ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଘୋଷଣା ଅନୁସାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଗୋଟାବାୟା ରାଜପକ୍ଷ ଇମେଲ ଯୋଗେ ଇସ୍ତଫା ପଠାଇଛନ୍ତି। ଏବେ ସେ ନିଜ ପତ୍ନୀଙ୍କ ସହ ସିଙ୍ଗାପୁରଠାରେ ରହୁଥିବା ଜଣାପଡ଼ିଛି।

ଶ୍ରୀଲଙ୍କାରେ ମୁଣ୍ଡ ଟେକିଥିବା ଆର୍ଥିକ ସଙ୍କଟକୁ ନେଇ ଦେଶବାସୀ ସରକାରଙ୍କୁ ଦାୟୀ କରିବା ସହ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରଖିଛନ୍ତି। ଦେଶର ପରିସ୍ଥିତି ଯୋଗୁଁ ନାହିଁନଥିବା ଅସୁବିଧା ଭୋଗୁଥିବା ଜନସାଧାରଣ ରାଷ୍ଟ୍ରପତିଙ୍କୁ ବିରୋଧ କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ। ଜନତାଙ୍କ ଆକ୍ରୋସରୁ ବର୍ତ୍ତିବା ପାଇଁ ଦେଶଛାଡ଼ି ପଳାଇଥିଲେ ଗୋଟାବାୟା। ଦେଶ ଛାଡ଼ିବା ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେବାକୁ ସେ ଘୋଷଣା କରିଥିଲେ। ବର୍ତ୍ତମାନ ଗୋଟାବାୟା ନିଜ ପତ୍ନୀ ଏବଂ ଦୁଇ ଜଣ ନିଜସ୍ଵ ବର୍ଡିଗାର୍ଡଙ୍କ ସହିତ ସିଙ୍ଗାପୁରରେ ଅଛନ୍ତି।

ପୂର୍ବରୁ ଶ୍ରୀଲଙ୍କା ସ୍ଥିତି ପାଇଁ ଲୋକେ ସରକାରଙ୍କୁ ଦାୟୀ କରିବା ପରେ ମହିନ୍ଦା ରାଜପକ୍ଷ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ପରେ ସେ ଦେଶଛାଡ଼ି ପଳାୟନ କରିଛନ୍ତି। ଏବେ ରାନିଲ ବିକ୍ରମାସିଙ୍ଘେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ବି ଦେଶବାସୀଙ୍କ ବିରୋଧର ଶିକାର ହୋଇଛନ୍ତି। ଗୋଟାବାୟା ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଦାୟିତ୍ଵ ତୁଲାଉଛନ୍ତି ବିକ୍ରମସିଙ୍ଘେ। ରାନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି ଦୌଡ଼ରେ ଅନେକ ରାଜନେତା ଏବେ ସାମିଲ ହୋଇଥିବା ଖବର ମିଳୁଛି।

Tags: #Politics #SriLankaPolitics #PresidentResigns

Comment