ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଲୋକଙ୍କ ବିରୋଧ ପାଇଁ ପଦବୀ ଛାଡ଼ିଛନ୍ତି ରାଷ୍ଟ୍ରପତି। ଏବେ ସମସ୍ତଙ୍କ ନଜର କିଏ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି?

ଶ୍ରୀଲଙ୍କା ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଛନ୍ତି ଗୋଟାବାୟା ରାଜପକ୍ଷ। ଏବେ ଖାଲିପଡ଼ି ପଦବୀ। କିଏ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଆଉ ସୁଧାରିବେ ଶ୍ରୀଲଙ୍କାର ସ୍ଥିତି, ତାକୁ ନେଇ ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍କଣ୍ଠା। ଶ୍ରୀଲଙ୍କାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ରେସ୍‌ରେ ଅନେକ ରାଜନେତାଙ୍କ ନାଁ ରହିଛି।

ଦେଶର ଏହି ଶୀର୍ଷ ଆସନରେ ବସିବା ପାଇଁ ବିରୋଧୀ ଦଳର ନେତା, ଶାସକ, ସାମ୍ବାଦିକ ଓ କିଛି ବିଶିଷ୍ଟ ବ୍ୟକ୍ତି ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି। ସବୁଠାରୁ ଆଗରେ ରହିଛନ୍ତି ବର୍ତ୍ତମାନ କାମଚଳା ରାଷ୍ଟ୍ରପତି ପଦ ସମ୍ଭାଳିଥିବା ରାନିଲ ବିକ୍ରମାସିଙ୍ଘେ।। ଏହି ଦୌଡ଼ରେ ଚର୍ଚ୍ଚାରେ ରହିଥିବା ଅନ୍ୟତମ ରାଜନେତା ହେଉଛନ୍ତି ସାଜିଥ ପ୍ରେମଦାସା। ସାଜିଥ ପ୍ରେମଦାସା ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳର ନେତା। ସେ କୋଲମ୍ବୋ ଜିଲ୍ଲାର ସାଂସଦ ମଧ୍ୟ ଅଛନ୍ତି। ତେବେ ସଂସଦରେ କେବଳ ୫୦ ଜଣ ସାଂସଦ ତାଙ୍କ ସମର୍ଥନରେ ଅଛନ୍ତି। ବାଇପାର୍ଟି ସମର୍ଥନ ମିଳିଲେ ସାଜିଥ ପ୍ରେମଦାସା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି।

ରାଷ୍ଟ୍ରପତି ଦୌଡ଼ରେ ତୃତୀୟ ସ୍ଥାନରେ ରହିଛନ୍ତି ଏସଏଲପିପି ପାର୍ଟିର ଜଣେ ବରିଷ୍ଠ ବିଧାୟକ ଦୁଲାସ ଓହ୍ଲାପ୍ପରୂମା। ଦୁଲାସଙ୍କ ପକ୍ଷରେ ଦଳର ଅନେକ ବିଧାୟକଙ୍କ ସମର୍ଥନ ରହିଥିବା ମଧ୍ୟ କୁହାଯାଉଛି। ଏସଏଲପିପି ପାର୍ଟିରେ ୧୧୭ଟି ଭୋଟ ରହିଥିବା ଦଳର ସାଂସଦ ଚରିତା ହେରାଥ କହିଛନ୍ତି। ଏହାର ବ୍ୟବହାର କରି ଦଳ ଦୁଲାସଙ୍କୁ ବିଜୟୀ କରିପାରେ ବୋଲି କୁହାଯାଉଛି।

ଜୁଲାଇ ୨୦ରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

ଆସନ୍ତା ଜୁଲାଇ ୨୦ ତାରିଖରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ବର୍ତ୍ତମାନର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଙ୍ଘେଙ୍କ ନାଁ ରାଷ୍ଟ୍ରପତି ପାଇଁ ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କ ବିରୋଧରେ ଜନ ଆନ୍ଦୋଳାନ ମୁଣ୍ଡ ଟେକିଛି। ଦେଶବାସୀଙ୍କ ଏହି ଆକ୍ରୋସ ଏବଂ ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାସକ ଦଳର ସାଂସଦମାନେ ସାଜିଥ ପ୍ରେମଦାସାଙ୍କ ଆଡ଼କୁ ଢ଼ଳିପାରନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ।

ଚର୍ଚ୍ଚାରେ ଥିବା ସାଜିଥ ପ୍ରେମଦାସା କିଏ?

ସାଜିଥ ପ୍ରେମଦାସା ହେଉଛନ୍ତି ଶ୍ରୀଲଙ୍କାର ବିରୋଧୀ ଦଳର ନେତା ତଥା କୋଲମ୍ବୋ ଜିଲ୍ଲାର ସାଂସଦ। ୧୯୮୯ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ପ୍ରେମଦାସା ରଣସିଙ୍ଘେଙ୍କ ପୁଅ ହେଉଛନ୍ତି ସାଜିଥ ପ୍ରେମଦାସା। ସାଜିଥ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଏହା ପୂର୍ବରୁ ଏସ୍ ଥମାସ ପ୍ରିପରେଟରୀ ସ୍କୁଲ, ରୟାଲ କଲେଜ, କୋଲମ୍ବୋ ଏବଂ ମିଲ ହିଲ ସ୍କୁଲରୁ ଶିକ୍ଷା ସମାପ୍ତ କରିଛନ୍ତି। ୧୯୯୩ ମସିହାରେ ଯେତେବେଳେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା ସେ ସେସମୟରେ ମେରିଲ୍ୟାଣ୍ଡ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର କରୁଥିଲେ। ପିତାଙ୍କ ମୃତ୍ୟୁ ପରେ ସେ ଶ୍ରୀଲଙ୍କା ଫେରିଆସିଥିଲେ ଏବଂ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ହମ୍ବନଟୋଟା ଜିଲ୍ଲାରୁ ପ୍ରତିନିଧିତ୍ଵ କରିବା ସହ ସେ ୟୁନାଇଟେଡ ନ୍ୟାସନାଲ ପାର୍ଟିରେ ସାମିଲ ହୋଇଥିଲେ।

ଗୋଟାବାୟାଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ ସାଜିଥ

୨୦୦୦ ମସିହାରେ ସାଜିଥ ପ୍ରେମଦାସା ପ୍ରଥମଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ। ୨୦୦୧ ମସିହାରେ ତାଙ୍କୁ ସ୍ଵାସ୍ଥ୍ୟ ବିଭାଗର ଉପମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା। ଏହା ପରେ ୨୦୧୧ ମସିହାରେ ୟୁନାଇଟେଡ ନ୍ୟାସନାଲ ପାର୍ଟିର ଉପନେତା ଭାବେ ନିଯୁକ୍ତ ହୋଇଥିଲେ। ସାଜିଥ ପ୍ରେମଦାସାଙ୍କୁ ୨୦୧୫ ମସିହାରେ ସିରିସୋନାର ରାଷ୍ଟ୍ରୀୟ ସରକାର ସମୟରେ ଗୃହ ବିଭାଗ ମନ୍ତ୍ରୀ(କ୍ୟାବିନେଟ ପାହ୍ୟା) ଭାବେ ନିଯୁକ୍ତ କରାଯାଇଥିଲା।

୨୦୧୯ ମସିହାରେ ଗୋଟାବାୟା ରାଜପକ୍ଷଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ ସାଜିତ ପ୍ରେମଦାସା। କିନ୍ତୁ ଜିତି ପାରିନଥିଲେ। ୨୦୧୯ ମସିହା ଡିସେମ୍ବର ମାସରେ ତାଙ୍କୁ ବିରୋଧୀ ଦଳର ନେତା ଚୟନ କରାଯାଇଥିଲା।

ଏବେ ମୁରବୀ ବିହୀନ ହୋଇପଡ଼ିଥିବା ଶ୍ରୀଲଙ୍କାର ଭାଗ୍ୟ କିଏ ସଜାଡ଼ିବ ତାକୁ ନେଇ ରାଜନୈତିକ ଅଙ୍କକଶା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖ ରାଷ୍ଟ୍ରପତି ନିର୍ବାଚନ ପରେ ଏହା ସ୍ପଷ୍ଟ ହୋଇଯିବ, କିଏ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବେ?

Tags: #Politics #SriLankaPolitics #presidentElection #PresidentResigns

Comment