ଓଡ଼ିଶାଲାଇଭ୍ ବ୍ୟୁରୋ

ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ। ଦିଲ୍ଲୀ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ରାଷ୍ଟପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇ ଜିତାଇବା ଲାଗି କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି।

ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କଂଗ୍ରେସ ବିଧାୟକମାନେ ଉପସ୍ଥିତ ରହିଥିଲେ। ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇ ଜିତାଇବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। କଂଗ୍ରେସ ବିଧାୟକ ଗଣେଶ୍ଵର ବେହେରା ଏବଂ ସନ୍ତୋଷ ସିଂ ସାଲୁଜା ରାଷ୍ଟ୍ରପତି ନିର୍ବାଚନ ଲାଗି କଂଗ୍ରେସର ଏଜେଣ୍ଟ ହୋଇଛନ୍ତି। ଏ ସମ୍ପର୍କରେ ଶନିବାର ଦିନ ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି।

ଏପଟେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ପୂର୍ବରୁ ବିଜେଡି ଘୋଷଣା କରିସାରିଛି। ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ଦେବା ଲାଗି ବିଜେଡି ପକ୍ଷରୁ କଂଗ୍ରେସଠାରୁ ସମର୍ଥନ ଲୋଡ଼ା ଯାଇଥିଲା। କିନ୍ତୁ ବିଜେଡି ପ୍ରସ୍ତାବରେ ରାଜି ହୋଇନଥିଲା କଂଗ୍ରେସ।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ଟକ୍କର ହେବ। ଆସନ୍ତା ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Tags: #Politics #IndianPolitics #Election #PresidentElection #PresidentialCandidate #YashwantSinha

Comment