ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟରେ ମଙ୍ଗଳବାର ଦିନ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାନୀୟ ଜଳ ପ୍ରକଳ୍ପ, ଆଇଟି ପଲିସି ସହ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ପୁରୀରେ ନିର୍ମାଣ ହେବ ଧର୍ମଶାଳା। ୧୩୫ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ପୁରୀ ବାସେଳି ସାହି ଧର୍ମଶାଳା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ୨୪ ମାସ ମଧ୍ୟରେ ଧର୍ମଶାଳା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜାନାରେ ଧର୍ମଶାଳା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

ସେହିପରି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିଥିବାବେଳେ ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାଣି ଯୋଗାଣ କରାଯିବ। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ୭ ଓ କୋଲନରା ବ୍ଲକର ୮ ପଞ୍ଚାୟତ ନିମନ୍ତେ ପାନୀୟ ଜଳ ପ୍ରକଳ୍ପକୁ ଅନମୋଦନ ମିଳିଛି।

ଏହା ସହିତ ଆଇଟି ପଲିସିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ରାଜ୍ୟ ସରକାରଙ୍କ ଆଇଟି ପଲିସକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରାଯାଇଛି। ଆଇଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା କରାଯାଇଛି। ସ୍ଥାୟୀ ପୁଞ୍ଜି ନିବେଶ ନିମନ୍ତେ କମ୍ପାନିଗୁଡ଼ିକୁ ନିବେଶର ୨୫ ପ୍ରତିଶତ ଯୋଗାଇ ଦିଆଯିବ। ଭିତ୍ତିଭୂମିରେ ସ୍ଥାୟୀ ନିବେଶର ୩୦ ପ୍ରତିଶତ ଯୋଗ୍ୟ ଆଇଟି ସଂସ୍ଥାକୁ ରିହାତିରେ ଦିଆଯିବ।

Tags: #Assembly #Cabinet #DharmasalaProjects #Puri #OdishaGovt

Comment