ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ ବୈବାହିକ ସମ୍ପର୍କରେ ଝଡ଼ ସୃଷ୍ଟି ହୋଇଛି। ବାବୁସାନ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କରେ ଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବାବୁସାନ ଏବଂ ପ୍ରକୃତିଙ୍କ ସହ ତୃପ୍ତିଙ୍କର ଝଗଡ଼ା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ କାର୍‌ରେ ବାବୁସାନ ଓ ପ୍ରକୃତି ରାସ୍ତା ଉପରେ ଥିବା ବେଳେ ହଠାତ ତାଙ୍କ ପତ୍ନୀ ତୃପ୍ତି ଆସି କାର୍ ଡୋର୍ ଖୋଲି ବାବୁସାନଙ୍କ ସାର୍ଟକୁ ଟାଣି ତାଙ୍କୁ ତଳକୁ ଆସିବାକୁ କହୁଥିଲେ। ଏହାରେ ସେ କାର୍‌ର ପଛ ଡୋର୍ ଖୋଲି ପ୍ରକୃତିଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଜୋରରେ ପ୍ରକୃତିଙ୍କ ଚୁଟି ଟାଣୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହାପରେ ପ୍ରକୃତି କାର୍‌ରୁ ବାହାରି ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ଗାଳି କରିବା ସହ ‘ଇଏ ମୋ ପରିବାର ଭାଙ୍ଗୁଛି’ ବୋଲି ବାରମ୍ଵାର କହୁଥିଲେ।ଘଟଣାଟି ଶନିବାର ସକାଳ ପ୍ରାୟ ୮ଟା ସମୟରେ ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳରେ ଘଟିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି। ଏଥିସହ ଘଟଣା ବାବଦରେ ପ୍ରକୃତି ଆହୁରି କହିଛନ୍ତି ଯେ, ସେ ଏବଂ ବାବୁସାନ ତାଙ୍କ ଆଗାମୀ ଫିଲ୍ମର ପ୍ରମୋସନ ପାଇଁ ଶନିବାର ସକାଳେ ଚେନ୍ନାଇ ଯିବାର ଥିଲା। ତେଣୁ ଏୟାରପୋର୍ଟ ଯିବା ପାଇଁ ବାବୁସାନ ତାଙ୍କୁ ନେବାକୁ ଆସିଥିଲେ। ସେମାନେ ଗୋଟିଏ କାର୍‌ରେ ଏୟାରପୋର୍ଟ ଅଭିମୁଖେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ତୃପ୍ତିଙ୍କ ବାପା କିଛି ଗୁଣ୍ଡାଙ୍କୁ ଆଣି ତାଙ୍କ ଉପରେ ଆକ୍ରମଣ କରିଥିଲେ। ତୃପ୍ତି ବାବୁସାନଙ୍କୁ ଭିଡ଼ି ଓଟରା କରିବା ସହ ପ୍ରକୃତିଙ୍କୁ ବାରମ୍ବାର ଆକ୍ରମଣ କରିଥିବା ପ୍ରକୃତି ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ପ୍ରକୃତିଙ୍କ ବାପା ମାଆ ଖାରବେଳ ନଗର ଥାନାକୁ ଆସି ତୃପ୍ତି ଏବଂ ତାଙ୍କ ବାପାଙ୍କ ନାଁରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି।ଅନ୍ୟପକ୍ଷେ ଘଟଣାକୁ ନେଇ ଅଭିନେତା ବାବୁସାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପ୍ରକୃତି ମୋର ଜଣେ ଭଲ ବନ୍ଧୁ। ଫିଲ୍ମର ପ୍ରମୋସନ ଲାଗି ଚେନ୍ନାଇ ଯିବାକୁ ମୁଁ ଆଜି ସକାଳେ ପ୍ରକୃତିଙ୍କୁ ନେଇ ଏୟାରପୋର୍ଟ ଯାଉଥିଲି। ହେଲେ ଏହି ସମୟରେ ମୋ ପତ୍ନୀ ଏବଂ ଶ୍ଵଶୁର ଆସି ପ୍ରକୃତିଙ୍କ ସହ ଖରାପ ବ୍ୟବହାର କଲେ, ଯାହା ଆଦୌ ଭଲ କଥା ନୁହେଁ।”

ବାବୁସାନ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରେ। ତେଣୁ ଅନେକ ଅଭିନେତ୍ରୀଙ୍କ ସହ ମତେ ମିଶିବାକୁ ପଡ଼େ। ହେଲେ ମୋ ପତ୍ନୀ ଏ ଇଣ୍ଡଷ୍ଟ୍ରିର ନୁହଁନ୍ତି। ତେଣୁ ତାଙ୍କୁ ମୋ ପେଶା ବିଷୟରେ ବୁଝିବାକୁ ହେବ।”

ଏହି ଘଟଣା ପରେ ବାବୁସାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛିଦିନ ହେବ ସମ୍ପର୍କ ଠିକ୍‌ ନ ଥିଲା ବୋଲି ଚର୍ଚ୍ଚା ହେଉଛି। ଏମିତିକି ବାବୁସାନ ନିଜ ପତ୍ନୀଙ୍କ ସହ ରହୁ ନଥିବା କୁହାଯାଉଛି।

Tags: #BabushanMohanty #PrakrutiMishra #Truptimohanty #Ollywood #ବାବୁସାନମହାନ୍ତି #ଓଲିଉଡ୍ #ପ୍ରକୃତିମିଶ୍ର

Comment