ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଛନ୍ତି। ଏବେ ତାଙ୍କ ଠିକଣା ବଦଳି ନୂଆଦିଲ୍ଲୀ ସ୍ଥିତ ୧୨ ଜନପଥ ନୂଆ ଠିକଣା ପାଲଟିଛି।

ଜୁଲାଇ ୨୪ ତାରିଖରେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଶେଷଥର ଲାଗି ରବିବାର ଦିନ ରାଷ୍ଟ୍ରପତି ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ରାମନାଥ କୋବିନ୍ଦ। ବିଦାୟୀ ଭାଷଣରେ ସେ କହିଥିଲେ, “ଆଜି ମୋର କାର୍ଯ୍ୟକାଳ ସରୁଛି, ଦେଶବାସୀଙ୍କ ପାଖରେ ମୁଁ କୃତଜ୍ଞ। ନିଷ୍ଠାବାନ ନାଗରିକ ବାସ୍ତବରେ ଦେଶ ନିର୍ମାଣ କରୁଛନ୍ତି। ଆମ ସୈନିକମାନଙ୍କର ଅତୁଟ ଦେଶପ୍ରେମ ରହିଛି। ସେମାନଙ୍କ ବଳିଦାନ ପାଇଁ ଦେଶବାସୀ ସୁରକ୍ଷିତ ଅଛନ୍ତି। ଏତେ ଭଲପାଇବା ଏବଂ ସମ୍ମାନ ଦେଇଥିବାରୁ ଦେଶବାସୀଙ୍କ ନିକଟରେ ମୁଁ କୃତଜ୍ଞ।”

୨୦୧୭ ମସିହା ଜୁଲାଇ ୨୫ ତାରିଖରୁ ୨୦୨୨ ମସିହା ଜୁଲାଇ ୨୫ ତାରିଖ। ଫ୍ରେମ ଗୋଟିଏ କିନ୍ତୁ ଚିତ୍ର ଭିନ୍ନ। ରବିବାର ଦିନ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ଆଜି ଶପଥ ନେଇଛନ୍ତି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆ ରାଷ୍ଟ୍ରପତିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ପରେ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଛନ୍ତି ରାମନାଥ କୋବିନ୍ଦ।

୫ ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ଉପସ୍ଥିତ ସମସ୍ତେ ଯୋଡ଼ ହସ୍ତରେ ରାମନାଥ କୋବିନ୍ଦଙ୍କୁ ବିଦାୟ ଦେଇଥିଲେ। ଏବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠିକଣା ବଦଳି ନୂଆଦିଲ୍ଲୀ ସ୍ଥିତ ୧୨ ଜନପଥ ନୂଆ ଠିକଣା ପାଲଟିଛି।

ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ୧୨ ଜନପଥ

ରାଷ୍ଟ୍ରପତି ଭବନରୁ ବିଦାୟ ନେବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ ସ୍ଥିତ ୧୨ ଜନପଥରେ ଥିବା ବଙ୍ଗଳାରେ ରହିବେ। ନିୟମ ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତିଙ୍କୁ ଟାଇପ୍-୮ ବଙ୍ଗଳା ମିଳିଛି। ଏହି ବଙ୍ଗଳାରେ ୭ଟି ରୁମ୍ ସହ ସହାୟକଙ୍କ ପାଇଁ ଗୋଟିଏ ରୁମ୍ ରହିଛି। ବଙ୍ଗଳାଟିକୁ ସୁନ୍ଦର ଭାବେ ଡିଜାଇନ କରାଯିବା ସହ ଆବଶ୍ୟକୀୟ ମରାମତି କରାଯାଇଛି। ପୂର୍ବରୁ ଏହା ଦିବଙ୍ଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବାସଭବନ ଥିଲା। ଦୀର୍ଘ ଦୁଇ ଦଶନ୍ଧି ଧରି ପାଶୱାନ ଏଠାରେ ରହିବା ପରେ ଏହି ଘରେ ତାଙ୍କ ପୁଅ ଚିରାଗ ପାଶୱାନ ରହି ଆସୁଥିଲେ। ଏବେ ଏହା ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ପାଲଟିଛି।

ମାସକୁ ଦେଢ ଲକ୍ଷ ଟଙ୍କା ପେନସନ ପାଇବେ ପୂର୍ବତନ ରାଷ୍ଟ୍ରପତି

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମାସକୁ ପେନସନ ବାବଦକୁ ଦେଢ ଲକ୍ଷ ଟଙ୍କା ମିଳିବ। ଏହା ବ୍ୟତୀତ ଜଣେ ବ୍ୟକ୍ତିଗତ ସଚିବ, ଅତିରିକ୍ତ ସଚିବ, ବ୍ୟକ୍ତିଗତ ସହାୟକ ଓ ଦୁଇ ଜଣ କର୍ମଚାରୀ ରାମନାଥ କୋବିନ୍ଦଙ୍କ ପାଇଁ ରହିବେ। କାର୍ଯ୍ୟାଳୟ ଖର୍ଚ୍ଚ ବାବଦକୁ ଅର୍ଥ ସହ ଦୁଇଟି ଲ୍ୟାଣ୍ଡଲାଇନ ଫୋନ୍, ମୋବାଇଲ ଫୋନ୍, ବ୍ରଡବ୍ୟାଣ୍ଡ ଓ ଇଣ୍ଟରନେଟ ସୁବିଧା ପ୍ରଦାନ କରାଯିବ। ମାଗଣା ଚିକିତ୍ସା ସୁବିଧା ମଧ୍ୟ ମିଳିବ। ତାଙ୍କ ପତ୍ନୀଙ୍କୁ ମଧ୍ୟ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ପୂର୍ବତନ ରାଷ୍ଟ୍ରପତି ନିଜ କାର୍ଯ୍ୟାଳୟ ପାଇଁ ବର୍ଷକୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

ଯେମିତି ଆଗମନ, ସେମିତି ବିଦାୟ

୨୦୧୭ ମସିହା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭବନରେ ନିଜର କାର୍ଯକାଳ ଆରମ୍ଭ କରିଥିଲେ ରାମନାଥ କୋବିନ୍ଦ। ଆଜି ୨୦୨୨ ମସିହା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭବନରୁ ସେ ବିଦାୟ ନେଇଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ନେବାବେଳେ ରାମନାଥ କୋବିନ୍ଦଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ବିଦାୟ ସମୟରେ ମଧ୍ୟ ତାଙ୍କୁ ସେହି ସମ୍ମାନ ପ୍ରଦାନ କରାଯାଇଛି।

ଗତ ୫ ବର୍ଷ ଧରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଗାଡ଼ିର ଡ୍ରାଇଭର ତାଙ୍କୁ ଯୋଡ଼ ହସ୍ତରେ ବିଦାୟ ଦେବା ସହ ରାମନାଥ କୋବିନ୍ଦଙ୍କର ନୂଆ ଆବାସ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲେ।

ରାମନାଥ କୋବିନ୍ଦଙ୍କୁ ନିଜେ ଛାଡ଼ିବାକୁ ଆସିଲେ ଦ୍ରୌପଦୀ ମୁର୍ମୁ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥିମାନଙ୍କୁ ସାକ୍ଷାତ କରିଥିଲେ। ସେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଶାଇ ବିଦାୟ ଦେଇଥିଲେ। ନିଜ ସୁରକ୍ଷା କର୍ମୀମାନଙ୍କଠାରୁ ଅନ୍ତିମ ବିଦାୟ ନେଇ ନିଜର ନୂତନ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ବାହାରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାମନାଥ କୋବିନ୍ଦଙ୍କୁ ବିଦାୟ ଦେବା ଲାଗି ବାହାରିଥିଲେ।

ବିଦାୟ ସମ୍ବର୍ଦ୍ଧନାରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାର

ସୋମବାର ଦିନ ରାଷ୍ଟ୍ରପତି ଭବନରେ ଅନେକ ପରିବର୍ତ୍ତନ ହୋଇଗଲା। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ସହ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଛନ୍ତି। ରାମନାଥ କୋବିନ୍ଦଙ୍କୁ ବିଦାୟ ଦେବା ଲାଗି ସ୍ଵତନ୍ତ୍ର ଆୟୋଜନ କରାଯାଇଥିଲା। ବିଦାୟ ସମ୍ବର୍ଦ୍ଧନା ଅବସରରେ ସାମିଲ ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରିବାର ଲୋକେ। ରାମନାଥ କୋବିନ୍ଦଙ୍କ ସହ ତାଙ୍କ ପରିବାର ଲୋକେ ରାଷ୍ଟ୍ରପତି ଭବନକୁ ବିଦାୟ କହିଥିଲେ।

Tags: #Politics #IndianPolitics #President #FormerPresident #RamnathKovind

Comment