ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ସୋମବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ଦ୍ରୌପଦୀ ମୁର୍ମୁଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଭାରତ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ। ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଓଡ଼ିଶା ପାଇଁ ମଧ୍ୟ ଏହା ଗର୍ବ ଆଉ ଗୌରବର ବିଷୟ ପାଲଟି ଯେ, ଦ୍ରୌପଦୀ ମୁର୍ମୁ ଓଡ଼ିଶାରୁ ପ୍ରଥମ ତଥା ଦେଶର ଦ୍ଵିତୀୟ ମହିଳା ଭାବେ ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରିଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଏବଂ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।

ସଂସଦ ଭବନର ସେଣ୍ଟ୍ରାଲ ହଲଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପୂର୍ବାହ୍ନ ୧୦ଟା ୧୫ ମିନିଟରେ ଶପଥ ନେଇଛନ୍ତି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୯ଟା ୨୨ମିନିଟରେ ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚି ଥିଲେ। ନର୍ଥ କୋର୍ଟରେ ଦ୍ରୌପଦୀ ମୁର୍ମୁଙ୍କୁ ଏଡିସି ସ୍ଵାଗତ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ଵାଗତ କରିଥିଲେ। ୯ଟା ୩୭ରେ ରାଷ୍ଟ୍ରପତିଙ୍କ ସାମରିକ ସଚିବ ସାଲ୍ୟୁଟ୍‌ ଦେଇଥିଲେ। ୯ଟା ୪୨ରେ ରାମନାଥ କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁ ଦରବାର ହଲ୍‌କୁ ଯାଇଥିଲେ।

୧୦ଟା ୩ ମିନିଟରେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଓ ପ୍ରଧାନ ବିଚାରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଥିଲେ। ୧୦ଟା ୧୪ରେ ପ୍ରଧାନ ବିଚାରପତି ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ। ୧୦ଟା ୧୪ମିନିଟରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପାରେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ଆସନ ଛାଡ଼ିଥିଲେ। ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ ୧୦ଟା ୧୮ ମିନିଟରେ ଶପଥ ରେଜିଷ୍ଟରରେ ନିଜର ଦସ୍ତଖତ କରିଥିଲେ। ୧୦ଟା ୧୮ ମିନିଟରେ ଗୃହ ସଚିବ ଘୋଷଣାନାମା ଜାରି କରିଥିଲେ।

Tags: #Politics #IndianPolitics #President #PresidentOfIndia #DraupadiMurmu #OathTakingCeremony

Comment