ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ କହିଛନ୍ତି, “ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୋତେ ଦାୟିତ୍ୱ ମିଳିଛି, ଏହା ଏକ ଐତିହାସିକ ମୁହୂର୍ତ୍ତ। ଆଗାମୀ ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି। ଦେଶର ସମସ୍ତ ନାଗରିକଙ୍କର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବି।”

ଓଡ଼ିଶା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଛୋଟ ଆଦିବାସୀ ଗାଁରୁ ନିଜର ଯାତ୍ରା ସମ୍ପର୍କରେ ଦ୍ରୌପଦୀ ମୁର୍ମୁ ବର୍ଣ୍ଣନା କରିବା ସହ ଜଣେ ଓ୍ୱାର୍ଡ କାଉନସିଲରରୁ ଦେଶର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦବୀରେ ବସିବାକୁ ଯୋଗ୍ୟ ହୋଇପାରିଥିବା ସେ କହିଛନ୍ତି। ଏଥିପାଇଁ ସେ ଗଣତନ୍ତ୍ରର ଶକ୍ତିକୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଭାରତର ଗଣତନ୍ତ୍ରର ଶକ୍ତି ଯୋଗୁଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରିପାରିଛି।

ଜୁଲାଇ ୨୬ ତରିଖ କାରଗିଲ ବିଜୟ ଦିବସ ଅବସରରେ ଯବାନଙ୍କୁ ଆଗୁଆ ଶୁଭେଚ୍ଛା ଜେଣାଇବା ସହ କରୋନା ମହାମାରୀ ସମୟରେ ଭାରତ ଯେଉଁଭଳି ଭାବେ ଏହାର ମୁକାବିଲା କଲା, ସାରା ବିଶ୍ୱ ଭାରତର ସାମର୍ଥ୍ୟ ଦେଖିଲା। ବିଭିନ୍ନ ସମୟରେ ଭାରତ ଅନେକ ଦେଶକୁ ସହାୟତାର ହାତ ପଢ଼ାଇଛି ବୋଲି ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।

ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇଙ୍କ କବିତା ଆବୃତ୍ତି କରି କହିଲେ, “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।”

ଏହା ସହ ‘ଭୋକାଲ୍ ଫର୍ ଲୋକାଲ୍’ ହେବାକୁ ଜନସାଧାରଣଙ୍କୁ ସେ ଆହ୍ୱାନ ଦେଇଥିଲେ। ରେକର୍ଡ ସଂଖ୍ୟକ ଷ୍ଟାର୍ଟ ଅପ୍ ସୃଷ୍ଟି କରିବାରେ ଯୁବକଙ୍କ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କହିବା ସହ ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ।

Tags: #Politics #President #PresidentOfIndia #DraupadiMurmu

Comment