ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଭାରତ ବର୍ଷରେ ଗଣତନ୍ତ୍ରର ମହତ୍ୱ ଏବଂ ଜଣେ ଗରିବର ଜୀବନ ଉପରେ ଆଲୋକପାତ କରିଛନ୍ତି।

“ଭାରତ ବର୍ଷରେ ଜଣେ ଗରିବ ସ୍ୱପ୍ନ ଦେଖିପାରେ ଏବଂ ତାକୁ ପୂରଣ ବି କରିପାରେ”, ସାରା ଦେଶବାସୀଙ୍କୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହି ବାର୍ତ୍ତା ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ।

ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଯେଉଁ ସ୍ଥାନରୁ ଆସିଛନ୍ତି ସେଠାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ବି କଷ୍ଟକର। ତଥାପି ସେ ଅନେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସାମ୍ନା କରି ନିଜ ଲକ୍ଷ୍ୟ ପଥରେ ପହଞ୍ଚି ପାରିଛନ୍ତି। ନିଜ ଗାଁର ପ୍ରଥମ କଲେଜ ପଢ଼ୁଆ ଝିଅ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅରୁ ବଞ୍ଚିତ ରହିଥିଲେ ମ୍ୟାଡାମ୍ ପ୍ରେସିଡେଣ୍ଟ ଜନ୍ମ ନେଇଥିବା ଗାଁର ଲୋକେ। ସେହି ଅନ୍ଧାର ମୂଲକରୁ ଆସି ଦେଶର ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଛୋଟିଆ ଗାଁର ଜନଜାତି ସମାଜରୁ ଆସିଥିବା ଜଣେ ସାଧାରଣ ଝିଅ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଧୈର୍ଯ୍ୟ ଓ ଦୃଢ ମନୋବଳ ଯୋଗୁଁ ସେ ଜଣେ କାଉନସିଲରରୁ ଆଜି ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଛନ୍ତି। ଜଣେ ଗରିବ ଆଦିବାସୀ ଅଧ୍ୟୁଷିତ ଇଲାକାରୁ ଆସି ଆଜି ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଏହା କେବଳ ଭାରତ ବର୍ଷର ଗଣତନ୍ତ୍ରର ଶକ୍ତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ସେ କହିଛନ୍ତି ତାଙ୍କର ଜନ୍ମ ଯେଉଁ ସମାଜରେ ହୋଇଛି ସେଠାକାର ଲୋକେ କାହିଁ କେତେ ବର୍ଷରୁ ପ୍ରକୃତି କୋଳରେ ବଢ଼ିଛନ୍ତି। ସେ ମଧ୍ୟ ପ୍ରକୃତି ସହ ମୂଳରୁ ଜଡ଼ିତ। ବଣ, ଜଙ୍ଗଲ, ପାହାଡ଼ ପର୍ବତ ପରିବେଶରେ ବଢ଼ିଛନ୍ତି। ପ୍ରକୃତିକୁ ଜାଣିଛନ୍ତି ଏବଂ ପ୍ରକୃତିକୁ ଭଲ ଭାବେ ବୁଝିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଗୋଟିଏ ଗରିବ ପରିବାରରୁ ଆସି ମଧ୍ୟ ଦେଶର ରାଷ୍ଟ୍ରପତି ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି।

ସେ କହିଛନ୍ତି ଏହା ଭାରତ ବର୍ଷର ଗଣତନ୍ତ୍ରର ଶକ୍ତି, ଯାହା ଆଦିବାସୀ ଅଧ୍ୟୁଷିତ ଇଲାକାର ଅତି ଗରିବ ପରିବାରର ଜଣେ ଝିଅକୁ ଆଜି ଦେଶର ସର୍ବୋଚ୍ଚ ପଦରେ ପହଞ୍ଚାଇପାରିଛି। ରାଷ୍ଟ୍ରପତି ପଦରେ ପହଞ୍ଚିବା ତାଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଭାରତର ପ୍ରତିଟି ଗରିବଙ୍କର ଉପଲବ୍ଧି।

Tags: #Politics #IndianPolitics #President #PresidentOfIndia #DraupadiMurmu

Comment