ଓଡ଼ିଶାଲାଇଭ୍ ବ୍ୟୁରୋ

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପାଦକୀୟ। ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଏ ମାଟିର କନ୍ୟା’ ଶୀର୍ଷକରେ ମୁଖ୍ୟମନ୍ତ୍ରୀଙ୍କ ଆଲେଖ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପାଇଁ ଏହି ଆଲେଖ୍ୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି, “ମୁଁ ଦ୍ରୌପଦୀ ମୁର୍ମୁ…। ଜୁଲାଇ ୨୫ ତାରିଖ ପୂର୍ବାହ୍ନ ୧୦ଟା ୧୪ ମିନିଟରେ ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ ହେଉଥିଲା, ତାହାଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ।“

ସେ କହିଛନ୍ତି ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତ ବର୍ଷର ସର୍ବୋଚ୍ଚ ସାମ୍ବିଧାନକ ପଦବୀରେ ଯେତେବେଳେ ଅଧିଷ୍ଠିତ ହେଉଥିଲେ, ଓଡ଼ିଆ ଅସ୍ମିତ, ଓଡ଼ିଆ ସ୍ବାଭିମାନର ଆଉ ଏକ ମହାର୍ଘ୍ୟ ଅବସର ଉପନୀତ ହୋଇଥିଲା। ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଥିଲା ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ଓଡ଼ିଆ ଜାତି ତା’ର ସେହି ପରିଚୟରେ ଗର୍ବିତ ଏବଂ ଗୌରବାନ୍ବିତ।

ଜଣେ ଜନଜାତି ବ୍ୟକ୍ତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ଦପରେ ଅଧିଷ୍ଠିତ ହେବା ତାଙ୍କର ବଡ଼ ଅଭିଳାଷା ଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେଥିପାଇଁ ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଡକ୍ଟର ପି.ଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ସମ୍ମାନସ୍ପଦ ନେତା ଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ଭାବେ ସେ ତାଙ୍କର ପ୍ରତିଭାର ପରିଚୟ ଦେଇଥିଲେ। ତେଣୁ ତାଙ୍କୁ ଭାରତର ରାଷ୍ଟ୍ରପତି କରିବାକୁ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସର୍ବୋତ୍ତମ ଉଦ୍ୟମ କରିଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡ଼ିଆ ଝିଅ ତଥା ଜନଜାତି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରସ୍ତାବ ଦେଇଥିଲେ, ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଜଣାଇଥିଲେ। ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ଓଡ଼ିଶାର ଜଣେ ଝିଅ, ଜନଜାତି ମହିଳା ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରି ଓଡ଼ିଶା ମାଟିର ଗୌରବକୁ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Tags: #Politics #CMOdisha #NaveenPatnaik #Editorial #DraupadiMurmu #PresidentOfIndia

Comment