ବିଶ୍ଵଜିତ ସାହୁ

ଆଲବମ୍ ହେଉ କି ସିନେମା, ସବୁଥିରେ ଥାଏ ତାଙ୍କ ସଙ୍ଗୀତର ଯାଦୁଗରୀ। କେତେବେଳେ ଓଡ଼ିଆ ସଂସ୍କୃତି ତ କେତେବେଳେ ଆଧୁନିକ ସଙ୍ଗୀତର ଝଲକ ଦେଖିବାକୁ ମିଳେ ତାଙ୍କ ଗୀତରେ। ନୂଆ ନୂଆ ସଙ୍ଗୀତ ସୃଷ୍ଟିରେ ଯିଏ ପାଆନ୍ତି ଆନନ୍ଦ, ସେ ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ସଙ୍ଗୀତ ଦୁନିଆରେ ପ୍ରେମ୍ ଆନନ୍ଦଙ୍କ ଲମ୍ଵା ଅନୁଭୂତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାର।

ପ୍ରେମ୍ ଆନନ୍ଦଙ୍କ ପ୍ରକୃତ ନାଁ ପ୍ରେମ୍ ଆନନ୍ଦ ନା ସଙ୍ଗୀତ ଦୁନିଆକୁ ଆସିବା ପରେ ସେ ନାଁଟିକୁ ସର୍ଟକଟ୍ କରି ଏମିତି କରିଛନ୍ତି?

ମୋର ପ୍ରକୃତ ନାଁ ପ୍ରେମାନନ୍ଦ। ବାପା ମାଆ ଏ ନାଁ ରଖିଥିଲେ। ଏବେ ବି ସେଇୟା ଅଛି, ବାସ୍ ମୁଁ ସେ ନାଁର ସନ୍ଧିବିଚ୍ଛେଦ କରି ‘ପ୍ରେମ୍ ଆନନ୍ଦ’ କରିଦେଇଛି।ଆପଣଙ୍କ ସଙ୍ଗୀତ ଦୁନିଆରେ କେମିତି ପାଦ ଦେଇଥିଲେ, ଆଉ ଜୀବନରେ ଯେତେବେଳେ ପ୍ରଥମ ବ୍ରେକ୍ ପାଇଥିଲେ ସେ ସମୟର ଅନୁଭୂତି କ’ଣ ଥିଲା?

କେନ୍ଦ୍ରାପଡ଼ା ଜିଲ୍ଲା ସାନଗାଁରେ ମୋର ଜନ୍ମ। ସେଇଟି ହିଁ ମୋର ସ୍କୁଲ, କଲେଜ ଜୀବନ କଟିଛି। ପିଲାଟି ବେଳୁ ଗୀତ ପ୍ରତି ମୋର ଦୁର୍ବଳତା ଥିଲା। ମାର୍ଶାଘାଇ କଲେଜରେ ପାଠ ପଢ଼ିବା ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଗୀତ ଗାଉଥିଲି। ଏଇ ଗୀତ ପାଇଁ ମୋ ସାଙ୍ଗସାଥୀ, ସାହି ପଡ଼ିଶା ଏବଂ ଗାଁ ଲୋକମାନେ ପ୍ରଶଂସା ବି କରୁଥିଲେ। ଏହାପରେ ମୋ ମନକୁ ଆସିଲା, ଯଦି ମୋ ଗୀତରେ ମୁଁ ଆମ ଗାଁ ଲୋକଙ୍କୁ ଖୁସି କରିପାରୁଛି ତେବେ ମୋ ଜିଲ୍ଲା, ମୋ ରାଜ୍ୟ, ମୋ ଦେଶର ଲୋକମାନଙ୍କୁ ବି ନିଶ୍ଚୟ ଖୁସି କରିପାରିବି। ତେଣୁ ପରବର୍ତ୍ତୀ ସମୟରେ ଭୁବନେଶ୍ଵର ଆସି ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଲି। ସେଠି ଗୁରୁ ଭିକାରି ବଳ, ଗୁରୁ ରାମହରି ଦାସ ଏବଂ ଗୁରୁ ଗୋପାଳକୃଷ୍ଣ ପଣ୍ଡାଙ୍କଠାରୁ ମୁଁ ସଙ୍ଗୀତ ଶିକ୍ଷା କରି ସଙ୍ଗୀତ ଦୁନିଆରେ ପାଦ ଦେଇଥିଲି।

ଆଉ କଥା ରହିଲା ସଙ୍ଗୀତକୁ ନେଇ ମୋର ପ୍ରଥମ ଅନୁଭୂତି ବିଷୟରେ, ତାହା ଭାରି ରୋଚକ ଥିଲା। ୧୯୯୩ ମସିହାର କଥା ‘ମା’ ଗୋଜବାୟାଣୀ’ କ୍ୟାସେଟ୍‌ ମୋ କ୍ୟାରିୟରର ପ୍ରଥମ ଗୀତ ଥାଏ। ଯେଉଁଦିନ ଏହା ରିଲିଜ୍ ହେଲା ସେଦିନ ନିର୍ମାତା ମୋ ପାଖକୁ ଦଶଟି କ୍ୟାସେଟ୍ ପଠାଇଥିଲେ। ମୁଁ ସେତେବେଳେ ପାରାଦୀପରେ ଥାଏ କ୍ୟାସେଟ୍‌ରେ ଗାୟିକା ଗୀତା ଦାସଙ୍କ ପାଖକୁ ଲାଗି ମୋର ଛୋଟିଆ ଫଟୋଟେ ଲାଗିଥିଲା। ମୋର ପ୍ରଥମ କ୍ୟାସେଟ୍ ଆଉ ସେଥିରେ ପୁଣି ଏତେବଡ଼ ଗାୟିକାଙ୍କ ସହ ମୋର ଫଟୋ ଦେଖି ମୁଁ ଏତେ ଖୁସି ହୋଇଥିଲି ଯେ, ସେ କ୍ୟାସେଟ୍ ସବୁକୁ ନେଇ ଗାଁରେ ଶୁଣାଇଥିଲି। ସେ ଅନୁଭୂତି ଏବେ ବି ମତେ ଭାରି ଖୁସି ଦିଏ।ଆପଣଙ୍କର ପ୍ରଥମ ଭଜନ ଓ ଆଧୁନିକ ହିଟ୍ କ’ଣ ଥିଲା?

ମୋର ପ୍ରଥମ ହିଟ୍ ଭଜନ ଥିଲା ‘ଗୁଆଘିଅ ସଞ୍ଜ ବଳିତା ସଜେଇ ଦେ ବଉଳ’। ଆଉ ଆଧୁନିକରେ ପ୍ରଥମ ହିଟ୍ ଗୀତ ଥିଲା ‘ମୋର ଭୂଗୋଳରେ ଭଲ ହଉଥିଲା’। ଏହି ଦୁଇଟି ଗୀତକୁ ଦର୍ଶକ ବେଶୀ ପସନ୍ଦ କରିଥିଲେ। ଏବେ ‘ଶ୍ରୀମନ୍ଦିର’ ଶୀର୍ଷକରେ ଏକ ଗୀତ ମୁଁ କରିଛି, ଯେଉଁଥିରେ କୌଣସି ପ୍ରକାର ବାଦ୍ୟଯନ୍ତ୍ର ବାଜି ନାହିଁ କି କିଛି ରିଦିମ୍ ବି ନାହିଁ। କେବଳ ଗାୟକମାନଙ୍କର କଣ୍ଠ, ତାଳି ଆଉ ଆଳାପରେ ହୋଇଛି। ମହାପ୍ରଭୁଙ୍କର ଏହି ଗୀତଟିକୁ ସମସ୍ତେ ବହୁତ ଭଲପାଇବା ଦେଇଛନ୍ତି।

ଆପଣ ଓଲିଉଡ୍ ସହିତ ବଲିଉଡରେ ବି ଭାଗ୍ୟ ପରୀକ୍ଷା କରିଛନ୍ତି। ଓଡ଼ିଶା ଇଣ୍ଡଷ୍ଟ୍ରିର ଗୀତ ଆଉ ବମ୍ଵେରେ ହେଉଥିବା ଗୀତରେ କଣ ଫରକ ଦେଖନ୍ତି?

ସେମିତି ଫରକ କିଛି ନାହିଁ। କେବଳ ଏତିକି ଆମର ଏଠି ଓଡ଼ିଆ ଭାଷା, ସେଠି ହିନ୍ଦୀ। ସଙ୍ଗୀତ ସବୁଠି ସମାନ। କିନ୍ତୁ ଏ ଦୁଇଟି ଇଣ୍ଡଷ୍ଟ୍ରିକୁ ଯଦି ତୁଳନା କରାଯାଏ, ତେବେ ବମ୍ଵେରେ ଯେଉଁ ଗୀତ ହୁଏ ସେଥିରେ କୌଣସି ପ୍ରକାରର କମ୍ପରମାଇଜ୍ ବା କାମଚଳା କଥା ନଥାଏ। ପ୍ରୋଜେକ୍ଟ ପାଇଁ ଯାହା ଦରକାର ମାନେ ଦରକାର। କିନ୍ତୁ ଆମ ଓଡ଼ିଶାରେ ଗୀତଟିଏ କରିବା ପୂର୍ବରୁ ତାକୁ ନେଇ ଅନେକ ସ୍ଵପ୍ନ ଦେଖାଯାଏ। କିନ୍ତୁ ପରବର୍ତ୍ତୀ ସମୟରେ ବଜେଟ୍ ହେଉ କି ଅନ୍ୟ କିଛି କାରଣ ପାଇଁ କମ୍ପରମାଇଜ୍ କରିବାକୁ ପଡ଼େ।ପ୍ରେମ୍ ଆନନ୍ଦଙ୍କ ପ୍ରାୟ ଗୀତର ଲିରିକ୍ସରେ ବହୁ କଠିନ ଶବ୍ଦ ଥାଏ। ଯେମିତି ଅଭିମନ୍ୟୁଫିଲ୍ମର ଟାଇଟଲ୍ ଗୀତ। ଏତେ କଠିନ ଶବ୍ଦକୁ ସଙ୍ଗୀତ ଟ୍ରାକରେ କେମିତି ପକାଇ ପାରନ୍ତି। କିଛି ରାଜ୍ ଅଛି କି?

ଗୋଟିଏ ଗୀତର ପ୍ରଥମ ବିଶ୍ଵକର୍ମା ହେଉଛନ୍ତି ତାହାକୁ ଲେଖିଥିବା ଗୀତିକାର। ଏଥିରେ ସେ ତାଙ୍କ ଭାବନାକୁ ଶବ୍ଦର ରୂପ ଦେଇଥାନ୍ତି। ତେଣୁ ସ୍ଵର କରିବା ବେଳେ ମୁଁ ଦିଗକୁ ସବୁବେଳେ ଗୁରୁତ୍ଵ ଦେଇଥାଏ। ଯେତେ କ୍ଳୀଷ୍ଟ ଶବ୍ଦ ଥିଲେ ମଧ୍ୟ ତାହାକୁ କିଭଳି ସଙ୍ଗୀତର ଟ୍ରାକ୍‌କୁ ଅଣାଯାଇ ସୁନ୍ଦର ଗୀତଟିଏ କରାଯାଇ ପାରିବ ସେଥିପାଇଁ ମୁଁ ସବୁବେଳେ ଚେଷ୍ଟିତ।

ମୋର ଏହି କଳା ପାଇଁ ବିଶିଷ୍ଟ ଗୀତିକାର ବିଜୟ ମଲ୍ଲ ମତେ ସବୁବେଳେ ଗୋଟେ କଥା କହି ଆର୍ଶୀବାଦ ଦିଅନ୍ତି ଯେ, ପ୍ରେମ୍ ଆନନ୍ଦଙ୍କୁ ସମାଜ ଖବରକାଗଜ ଦେଲେ ବି ସେ ତା’ର ଶବ୍ଦକୁ ନେଇ ଗୀତ କରିପାରିବେ।ଆପଣଙ୍କ ନାଁରେ ପ୍ରେମ ଆଉ ଜୀବନରେ ବି ଭଲ ପ୍ରେମ କାହାଣୀଟେ ରହିଛି। ସେ କାହାଣୀ କେମିତି ଆରମ୍ଭ ହୋଇଥିଲା ଆଉ ଏବେ ସେ ସମ୍ପର୍କର ସ୍ଥିତି କିଭଳି ରହିଛି ସେ ବିଷୟରେ କହିବେ କି?

ମୋ ପ୍ରେମ କାହାଣୀ ବସ୍‌ରୁ ଆରମ୍ଭ ହୋଇଥିଲା। ଥରେ ଗୋଟେ ଅଡିସନ୍ ଦେବାକୁ ମୁଁ ପୁରୀ ଯାଉଥାଏ। ପିପିଲି ପାଖାପାଖି ହେବ ମୁଁ ଦେଖିଲି ଜଣେ ଝିଅ ବସ୍‌ର ଭିଡ଼ ଭିତରେ ଚାପିଚୁପି ଛିଡ଼ା ହୋଇଥାନ୍ତି। ମୁଁ ତାଙ୍କୁ ପଚାରିଲି ‘ଆପଣ ବସିବେ କି ଏଠି?’। ତା’ପରେ ମୋ ପାଖ ସିଟ୍‌ରେ ସେ ବସିଲେ। ସେ ପୁରୀର ଏକ କଲେଜରେ ଇଞ୍ଜିନିୟରିଂ କରୁଥିଲେ। ତାଙ୍କ ଷ୍ଟପେଜ୍ ଆସିବା ପରେ ସେ ଓହ୍ଲାଇ ପଡ଼ିଲେ ଆଉ ମୁଁ ବି ଅଡିସନ୍ ଦେବାକୁ ଗଲି। ସେ ଅଡିସନ୍‌ର ମୋର ସିଲେକ୍ସନ ହେଲା, ଆଉ ୫୦ ହଜାର ଟଙ୍କାର ଚେକ୍‌ଟେ ବି ମିଳିଲା। ମନକୁ ଆସିଲା ବସ୍‌ରେ ଭେଟିଥିବା ସେ ଝିଅଟି ବୋଧେ ମୋ ପାଇଁ ଶୁଭଙ୍କର ହେଲା। ତେଣୁ ତାଙ୍କୁ ଧନ୍ୟବାଦ କହିବାକୁ ଚାହୁଁଥିଲି। ଯୋଗକୁ ଫୁରୀରୁ ଫେରିବା ବେଳେ ବି ସମାନ ବସ୍‌ରେ ତାଙ୍କ ସହ ପୁଣି ଭେଟ ହେଇଗଲା। ସେ ପ୍ରେମ୍ ଆନନ୍ଦଙ୍କୁ ଜାଣିଥିଲେ। ହେଲେ ସେ ବ୍ୟକ୍ତି ଜଣକ ମୁଁ ବୋଲି ସେ ଜାଣି ନଥିଲେ। ପରିଚୟ ପରେ କିଛି କଥାବାର୍ତ୍ତା ଆଉ ତା’ପରେ ସେ ତାଙ୍କ ଷ୍ଟପେଜ୍ ଲକ୍ଷ୍ମୀସାଗରରେ ଓହ୍ଲାଇଲେ। ବାସ୍ ସେତିକିରେ ଚାପ୍ଟର କ୍ଲୋଜ୍।

ହଁ ପରେ ଲକ୍ଷ୍ମୀସାଗରରେ ଥରେ ତାଙ୍କ ସହ ଦେଖା ଦେଇଥିଲା ଆଉ ସେ ମତେ ତାଙ୍କ ଘରକୁ ନେଇଥିଲେ। ଏହାପରେ ଆଉ ଆମର ଦେଖାନାହିଁ।

ବାପାଙ୍କ ଦେହ ଖରାପ ହୋଇଥାଏ। ଡାକ୍ତର କହିଲେ ବାପା ଆଉ କିଛି ଦିନ ବଞ୍ଚିବେ। ହେଲେ ବାପାଙ୍କର ଇଚ୍ଛାଥିଲା ସେ ମୋ ବାହାଘର ଦେଖିବେ। ତେଣୁ ମୁଁ କିଛି ନ ଭାବି ସିଧା ସେ ଝିଅ ଘରକୁ ଫୋନ୍ କଲି ଆଉ ବାହାଘର ପ୍ରସ୍ତାବ ଦେଲି। ପରେ ସେମାନେ ରାଜି ହେଲେ ଆଉ ଆମ ବାହାଘର ହେଲା। ଆମ ବାହାଘର ପରେ ବାପା ପ୍ରାୟ ୮ ବର୍ଷ ରହିଥିଲେ। ପ୍ରଥମେ ମୋ କ୍ୟାରିୟର ପାଇଁ ଆଉ ବାହାଘର ପରେ ମୋ ପରିବାର ପାଇଁ ସେ ଶୁଭଙ୍କର ହୋଇଥଲେ।

ଆଉ କଥା ରହିଲା ଆମ ସମ୍ପର୍କର, ମୋ ପ୍ରଫେସନକୁ ବୋଧେ ମୋଠାରୁ ସେ ଅଧିକ ବୁଝନ୍ତି। ମୋର ସବୁ ସ୍ଵରର ସେ ହେଉଛନ୍ତି ପ୍ରଥମ ପ୍ରଶଂସକ ଆଉ ପ୍ରଥମ ସମାଲୋଚକ ମଧ୍ୟ। ତାଙ୍କର ପ୍ରଶଂସା ଏବଂ ସମାଲୋଚନା କାରଣରୁ ମୋ ଗୀତରେ ସବୁବେଳେ ଭିନ୍ନତା ଆସେ। ତେଣୁ ମୋ କଳାକାର ଏବଂ ବ୍ୟକ୍ତିଗତ ଜୀବନରେ ମୋ ପତ୍ନୀଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ।ଓଡ଼ିଆ ସଙ୍ଗୀତକୁ ନେଇ ପ୍ରେମ୍ ଆନନ୍ଦଙ୍କ ଆଗାମୀ ଲକ୍ଷ୍ୟ କ’ଣ ରହିଛି?

ଓଡ଼ିଆ ସଙ୍ଗୀତର ଆଦର ସବୁବେଳେ ରହିଛି, ଆଗକୁ ମଧ୍ୟ ରହିବ। ତେଣୁ ଓଡ଼ିଆ ସଙ୍ଗୀତର ମୂଳଦୁଆକୁ ସାଥିରେ ନେଇ ଆଗକୁ ମୁଁ ଆହୁରି ଅଧିକ ଭଲ ଭଲ ଗୀତ ଶ୍ରୋତାମାନଙ୍କୁ ଭେଟିଦେବି। ଏହାସହ ମୁଁ ବଲିଉଡ୍ ଇଣ୍ଡଷ୍ଟ୍ରି ଯେଉଁସବୁ ଗୀତ କରୁଛି, ସେଥିରେ କିଭଳି ଓଡ଼ିଶାର ସଂସ୍କୃତି, ଏଠାକାର ନିଜସ୍ଵ ସଙ୍ଗୀତ ରହିପାରିବ ସେ ଦିଗରେ ମଧ୍ୟ ସବୁବେଳେ ଚେଷ୍ଟିତ। ଗୋଟିଏ ଧାଡ଼ିରେ କହିଲେ ଓଡ଼ିଶାର ସଙ୍ଗୀତକୁ ଗ୍ଲୋବାଲ କରିବା ହିଁ ମୋର ଲକ୍ଷ୍ୟ।

ଏବେ ସଙ୍ଗୀତ ଦୁନିଆକୁ ଆସୁଥିବା ନୂଆ ପିଢ଼ିଙ୍କୁ ଆପଣଙ୍କର ବାର୍ତ୍ତା କ’ଣ ରହିବ?

ନୂଆ ପିଢ଼ିଙ୍କ ପାଇଁ ସବୁବେଳେ ମୋର ଗୋଟିଏ ବାର୍ତ୍ତା – ଭଲ ଗୀତର ଆୟୁଷ ବହୁତ ଥାଏ। ଭଲ ଗୀତଟେ ଲମ୍ଵା ସମୟ ପର୍ଯ୍ୟନ୍ତ ଲୋକଙ୍କ ମନରେ ଘରକରି ରହିଯାଏ। କିନ୍ତୁ କମର୍ସିଆଲ ବା ଚାଲୁ ଗୀତର ଆୟୁଷ ଖୁବ୍ କମ୍। ସ୍ଵଳ୍ପ ସମୟ ପାଇଁ ଏହା ଚାଲେ। ତେଣୁ ସ୍ଵଳ୍ପ ସମୟ ପଛରେ ନ ଗୋଡ଼ାଇ ଆମେ ଭଲ ଗୀତ କରିପାରିଲେ ହିଁ ସଙ୍ଗୀତ ଜଗତରେ ବହୁଦିନ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ରହିପାରିବା। ସେମାନଙ୍କ ଭଲପାଇବା ସାଉଣ୍ଟିପାରିବା।

Tags: #PremAnand #Music #MusicalScientist #OdiaMusic #Ollywwod #ଓଡ଼ିଆସଙ୍ଗୀତ #ପ୍ରେମଆନନ୍ଦ

LEAVE A REPLY

Please enter your comment!
Please enter your name here