ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମ୍ସରେ ଇତିହାସ ରଚିଲେ ଭାରତୀୟ ମହିଳା ଟିମ୍। ୯୨ ବର୍ଷ ଇତିହାସରେ ଲନ ବଲ୍ସ ଇଭେଣ୍ଟରେ ଭାରତ ପାଇଁ ଆଣିଲେ ପ୍ରଥମ ସ୍ଵର୍ଣ୍ଣ। ଏ ସଫଳତା କିନ୍ତୁ ସହଜ ନଥିଲା ବିଜୟୀ ଟିମଙ୍କ ପାଇଁ।

କମନୱେଲଥ୍ ଗେମ୍ସ ୨୦୨୨ରେ ୪ ଜଣିଆ ଭାରତୀୟ ମହିଳା ଟିମ୍ ଦେଶ ପାଇଁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଲନ ବଲ୍ସ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ହାସଲ କରି ବିଶ୍ଵ ଦରବାରରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ତେବେ ଟିମ୍ ପାଇଁ ଏହି ସଫଳତା ଏତେ ସହଜ ନଥଲା। କାରଣ ଏହି ମହିଳା ଟିମ୍ ପାଖରେ ଅର୍ଥ ବଳ ନଥିଲା କି ପ୍ରଶିକ୍ଷଣ ଦେବାକୁ କୋଚ ମଧ୍ୟ ନଥିଲେ। ତଥାପି ବିଜୟ ହାସଲ କରି ରଚିଛନ୍ତି ସ୍ଵର୍ଣ୍ଣିମ ଇତିହାସ।

ଝିଅ ଆଣିଲେ ୯୨ ବର୍ଷରେ ନୂଆ ରେକର୍ଡ

କମନୱେଲଥ ଗେମ୍ସର ଲନ୍ ବଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ମାତ ଦେଇ ସ୍ଵର୍ଣ୍ଣ ପଦକ ଜିତିଥିଲେ ଭାରତ ଟିମ୍। ଲନ ବଲ୍ସ ଇଭେଣ୍ଟରେ ୯୨ ବର୍ଷ ମଧ୍ୟରେ ଭାରତକୁ କୌଣସି ପଦକ ହାସଲ ହୋଇନଥିଲା। ଚଳିତ ଥର ଏକା ଥରକେ ସ୍ଵର୍ଣ୍ଣ ପଦକ ହାସଲ କରିବା ନିଶ୍ଚିତ ଭାବେ ଗର୍ବ ଏବଂ ଗୌରବର ବିଷୟ। ଏହି ଗୌରବ ଆଣିଛନ୍ତି ଭାରତ ମାଟିର ଝିଅ ଲଭଲି ଚୌବେ, ରୂପା ରାଣୀ ତିର୍କୀ, ପିଙ୍କି ଏବଂ ନୟାନମୋନି ସୌକିଆ। ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ହିଁ ସେମାନଙ୍କୁ ଏହି ସଫଳତା ଆଣି ଦେଇଛି।

କମନୱେଲଥ୍ ଗେମ୍ସ ୨୦୨୨ରେ ଭାରତ ଉତ୍ତମ ପ୍ରଦର୍ଶନ ଜାରି ରହିଥିବାବେଳେ କ୍ରୀଡ଼ାର ପ୍ରଥମ ୫ ଦିନରେ ଭାରତକୁ ୧୫ଟି ପଦକ ହାସଲ ହୋଇଛି। ଲନ୍ ବଲ୍ସ ଇଭେଣ୍ଟରେ ଭାରତକୁ ସ୍ଵର୍ଣ୍ଣ ପଦକ ମିଳିବା ପରେ ଭାରତ ଇତିହାସରେ ଏବେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

ବିନା କୋଚରେ ଏହି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ଏବେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ପାଖରେ ନା ଥିଲା ଟଙ୍କା ନା ପ୍ରଶିକ୍ଷଣ ଦେବାକୁ ରହିଥିଲେ କୋଚ। ନିଜର ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ଏହି ସଫଳତାର ପାଲଟିଲା ମୁଳ କାରଣ।

୨୦୧୦ରୁ ଆରମ୍ଭ ହୋଇଥିଲା ଯାତ୍ରା

ଲନ ବଲ୍ସ ଇଭେଣ୍ଟରେ ସ୍ଵର୍ଣ୍ଣ ଜିତିଥିବା ଏହି ଚାରିଜଣ ଭିନ୍ନ ଭିନ୍ନ ବର୍ଗରୁ ଆସିଛନ୍ତି। କମନୱେଲଥ ଗେମ୍ସରେ ସ୍ଵର୍ଣ୍ଣ ପଦବ ଜିତି ଥିବା ଏହି ବିଜେତାମାନେ ଅତି ସାଧାରଣ ବର୍ଗରୁ ଆସିଛନ୍ତି। ଏମାନଙ୍କ ଜୀବନ ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ସରଳ। ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ କିମ୍ବା ପ୍ରଶିକ୍ଷଣ ନେବାକୁ କୋଚ ମଧ୍ୟ ନାହାନ୍ତି। ତଥାପି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି। ପୂର୍ବରୁ ଏହି ଖେଳାଳିମାନଙ୍କର ଲକ୍ଷ୍ୟ ଥିଲା କେମିତି କମନୱେଲଥ୍ ଗେମ୍ସ ପର୍ଯ୍ୟନ୍ତ ପହଞ୍ଚିବେ? ୨୦୧୦ ମସିହାରୁ ଆରମ୍ଭ ହୋଇଥିଲା ତାଙ୍କର ଏହି ଯାତ୍ରା। ଆଜି ଏହି ଯାତ୍ରା ସେମାନଙ୍କର ସଫଳ ହୋଇଛି।

୪ ବର୍ଷ ହେଲା ଟିମ୍ ପାଖରେ ନାହାନ୍ତି କୋଚ

କମନୱେଲଥ୍ ଗେମ୍ସ ୨୦୨୨ରେ ଲନ୍ ବଲ୍ସ ଇଭେଣ୍ଟରେ ଭାରତ ପାଇଁ ସ୍ଵର୍ଣ୍ଣ ଆଣିଥିବା ଭାରତୀୟ ଟିମ ପାଖରେ କୋଚ ନାହାନ୍ତି। କମନୱେଲଥ୍ ଗେମ୍ସ ୨୦୧୮ ମସିହା ପରଠାରୁ ଏହି ମହିଳା ଟିମଙ୍କ ପାଖରେ କୌଣସି କୋଚ ନାହାନ୍ତି। ଅର୍ଥାତ୍ ଗତ ୪ ବର୍ଷ ହେଲା ବିନା କୋଚରେ ନିଜେ ନିଜେ ପ୍ରୟାସ ଚଳାଇଛନ୍ତି ଟିମ୍। ନିଜ ପ୍ରଚେଷ୍ଟାରେ ଆଜି ସେମାନେ ଏହି ସଫଳତା ହାତେଇବାରେ ସଫଳ ହୋଇଛନ୍ତି। ଭାରତ ଝିଅଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଏବେ ଏହି ଟିମ୍ ଚାରିଆଡୁ ଚର୍ଚ୍ଚା ସାଉଣ୍ଟିବାକୁ ଲାଗିଛନ୍ତି।

ରାଷ୍ଟ୍ରପତି ଜଣାଇଲେ ଅଭିନନ୍ଦନ

କମନୱେଲଥ୍ ଗେମ୍ସ ୨୦୨୨ରେ ଲନ୍ ବଲ୍ସ ଇଭେଣ୍ଟରେ ଭାରତ ପାଇଁ ସ୍ଵର୍ଣ୍ଣ ଆଣିଥିବା ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଖେଳାଳିମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ଆଗକୁ ଏହା ଜାରି ରଖିବାକୁ ପ୍ରେରଣା ଦେଇଛନ୍ତି।

ଲନ ବଲ୍ସ କମନୱେଲଥ୍ ଗେମ୍ସରେ ୯୨ ବର୍ଷ ହେଲା ସାମିଲ ରହିଛି। ଭାରତକୁ ପ୍ରଥମ ଥର ଏହି ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ହାସଲ ହୋଇଛି। ବର୍ତ୍ତମାନ କହିବାକୁ ଗଲେ ଅଧିକାଂଶ ଲୋକ ଏହି ଖେଳର ନାଁ ଏବଂ ଅର୍ଥ ଜାଣି ନାହାନ୍ତି। କିନ୍ତୁ ଭାରତକୁ ଏଥିରେ ପ୍ରଥମ ସ୍ଵର୍ଣ୍ଣ ମିଳିବା ପରେ ଏହି ଖେଳ ବିଷୟରେ ଜାଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି।

Tags: #Sports #CommonwealthGames #CommonwealthGames2022 #IndianTeam #LawnBowlEvent #GoldMedal #Medal

Comment