ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ତାଲିମ ପ୍ରତିଷ୍ଠାନ ହେଲେ ସ୍ଥାନୀୟ ଛତ୍ରଛାତ୍ରୀଙ୍କୁ ସୁଫଳ ମିଳିବ।

କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ହେବା ଦ୍ଵାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ୪ଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ସମ୍ବଲପୁରର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢ଼ି ଉଠୁଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ସେହିପରି ବଲାଙ୍ଗୀରର ପାଟଣାଗଡ଼ଠାରେ ଆଇଟିଆଇ ପ୍ରତିଷ୍ଠାନରେ ୪ଟି ଟ୍ରେଡରେ ୨୪୦ ଜଣ ଛାତ୍ରଛାତ୍ରୀ ଶିଳ୍ପ ତାଲିମ ପାଇପାରିବେ। ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ଵାରା ବ୍ଲକ୍‌ର ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୨୫୧ଟି ବ୍ଲକ୍‌ର ସରକାରୀ ଓ ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ରହିଛି। ସେହିପରି ୫୮ଟି ସବ୍‌ଡିଭିଜନ ମଧ୍ୟରୁ ୪୮ଟିରେ ଆଇଟିଆଇ ରହିଛି। ପାଟଣାଗଡ଼ ଓ କୁଚିଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ।

‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକରେ ତାଲିମ ନେଇ ନିଜର ଦକ୍ଷତା ବୃଦ୍ଧି କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଭୁବନେଶ୍ଵର ନିକଟରେ ପ୍ରତିଷ୍ଠିତ ଓ୍ଵାର୍ଲ୍ଡ ସ୍କିଲ ସେଣ୍ଟର ଯୁବସମାଜ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି।

Tags: #Education #Career #Training #ITI #Employment

Comment