ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅମିତ ଶାହ ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିବା ପରେ ରାତ୍ରି ବିଶ୍ରାମ କରିବେ। ପରଦିନ ଶ୍ରାବଣ ଶେଷ ସୋମବାର ଦିନ ସକାଳେ ମହାପ୍ରଭୁ ଲିଙ୍କରାଜଙ୍କ ଦର୍ଶନ କରିବେ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ସେ କହିଛନ୍ତି ଅମିତ ଶାହ ସ୍ଵାଧୀନତାର ୭୫ ବର୍ଷ ପୂରଣ ଅବସରରେ କଟକ ସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ଗସ୍ତ କରିବେ। ସେଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ତାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ।  ଏହା ସହ ପ୍ଲାନିଟୋରିଅମ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

ପରେ ଅମିତ ଶାହ ଓଡ଼ିଶାର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ଵାରା ପ୍ରତିଷ୍ଠିତ ଖବରକାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯକ୍ରମରେ ଯୋଗ ଦେବେ। ସେଠାରୁ ଫେରିବା ପରେ ଭୁବନେଶ୍ଵର ବିଜେପି କାର୍ଯ୍ୟାଳାୟରେ ନେତା ଏବଂ କର୍ମୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ ଅମିତ ଶାହ।

ଅପରାହ୍ଣ ୫ଟା ସମୟରେ ଅମିତ ଶାହ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଡିଜିଟାଲ ଇଣ୍ଡିଆ ପବ୍ଲିସର ଦ୍ୱାରା ପ୍ରସ୍ତୁତ ହୋଇଥିବା ମୋଦୀ ଆଟ୍୨୦ର ବୁକ୍ ରିଡ଼ିଂ କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସମୀର ମହାନ୍ତି ସୂଚନା ଦେଇଛନ୍ତି।

Tags: #Politics #OdishaPolitics #IndianPolitics #AmitShah #Visit

Comment