ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ। ସଂସଦ ଭବନରେ ଶନିବାର ସକାଳ ୧୦ଟାରୁ ଆରମ୍ଭ ହୋଇଛି ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ମତଦାନ ଶେଷ ହେବା ପରେ ଭୋଟ ଗଣତି କରାଯାଇ ଆଜି ହିଁ ଫଳାଫଳ ଘୋଷଣା କରାଯିବ।

ଉପରାଷ୍ଟ୍ରପତି ପଦବୀ ନିମନ୍ତେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଏବଂ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵୀତା ଚାଲିଛି। ଆଜି ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଥମେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମତଦନ କରିବା ଲାଗି ସଂସଦ ଭବନରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହୋଇଛନ୍ତି।

ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତାର ଅଭାବ ଯୋଗୁଁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ନିର୍ବାଚନ ଜିତିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଭୋଟରୁ ଦୂରେଇ ରହିବ ବୋଲି ପୂର୍ବରୁ ଘୋଷଣା କରିଛି।

Tags: #Politics #Election #VicePresidentElection #Voting #JagdeepDhankhad #MargaretAlva

Comment