ଓଡ଼ିଶାଲାଇଭ୍ ବ୍ୟୁରୋ

“ବିଜେପିକୁ ଲୋକେ ହିନ୍ଦୀ ଭାଷୀ ଦଳ ବୋଲି କହୁଥିଲେ। ଉତ୍ତର ପୂର୍ବାଞ୍ଚଳରେ ବିଜେପି ସରକାର ଚାଲିଛି। ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଆମ ସରକାର। ତେଣୁ ଆସନ୍ତା ୨୦୨୪ ମସିହାରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ”, ଦୁଇ ଦିନିଆ ଓଡ଼ିଶା ଗସ୍ତରରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଏହିଭଳି ମନ୍ତବ୍ୟ ଦେଇଛନ୍ତି।

ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ‘ମୋଦି @20’ ପୁସ୍ତକ ଲୋକାର୍ପଣ ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ନରେନ୍ଦ୍ର ମୋଦୀ ଲଗାତର ୨ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୨୪ ନିର୍ବାଚନରେ ମଧ୍ୟ ଦୁଇ ତୃତୀୟାଂଶ ବହୁମତରେ ବିଜୟୀ ହୋଇ ଦେଶରେ ମୋଦୀ ସରକାର ଗଢ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ।

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ଭ୍ରାନ୍ତିକୁ ଦୂର କରିବେ। ଆମ ଦଳକୁ ବେପାରୀ ଏବଂ ବଣିଆଙ୍କ ଦଳ କୁହାଯାଉଥିଲା। ଏବେ ବିଜେପିରେ ସବୁଠାରୁ ଅଧିକ ଦଳିତ ଏବଂ ଆଦିବାସୀ ସାଂସଦ ଅଛନ୍ତି। ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ୨୭ ଜଣ ପଛୁଆ ବର୍ଗର ମନ୍ତ୍ରୀ”, କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଜରାଟରେ ନରେନ୍ଦ୍ର ମୋଦୀ ଲଗାତର ୩ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ଦୁଇଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆଗାମୀ ନିର୍ବାଚନରେ ମଧ୍ୟ ମୋଦୀ ସରକାର ଗଢ଼ିବେ।

ଓଡ଼ିଶାର ଭଲ ଦିନ ଆସିଛି

ବର୍ତ୍ତମାନ ଓଡ଼ିଶା ପାଇଁ ଭଲ ଦିନ ଆସିଛି। କଟକରେ ପ୍ରଜାତନ୍ତ୍ର ଖବର କାଗଜର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏହିପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ଅମିତ ଶାହ ‘ଜୟ ଜଗନ୍ନାଥ’ କହିବା ସହ ଉତ୍କଳ ମାଟିରେ ପାଦ ରଖିବା ଆଗରୁ ସେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଥାନ୍ତି ବୋଲି କହିଥିଲେ।

ଏହା ପରେ ଓଡ଼ିଶା ପାଇଁ ଏବେ ଭଲ ଦିନ ଆସିଛି ବୋଲି କହିଥିଲେ। କାରଣ ଆଜି ଦେଶ ମହାମହିମ ରାଷ୍ଟ୍ରପତି ହୋଇଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ। ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଓଡ଼ିଶା ପାଇଁ ଭଲ ଦିନର ସଙ୍କେତ। ଏହା ଦେଶ ପାଇଁ ଗର୍ବ ଏବଂ ଗୌରବର କଥା ବୋଲି ସେ କହିଥିଲେ। କେବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୁହଁନ୍ତି ଓଡ଼ିଶାର ଅନେକ ବ୍ୟକ୍ତିତ୍ଵ ଦେଶର ବଡ଼ ବଡ଼ ଦାୟିତ୍ୱରେ ରହିଛନ୍ତି। ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥ ରହିଛନ୍ତି। ଓଡ଼ିଶାରେ ପ୍ରଚୁର ପରିମାଣରେ ଖଣିଜ ସମ୍ପଦ ଭରି ରହିଛି। ଆଗାମୀ ଦିନରେ ଓଡ଼ିଶାର ଭାଗ୍ୟ ଉଜ୍ଜ୍ଵଳ ବୋଲି ସେ କହିଛନ୍ତି।

ଗୋଟିଏ ମଞ୍ଚରେ ନବୀନ ପଟ୍ଟନାୟକ-ଅମିତ ଶାହ

ଆଜି ଗୋଟିଏ ମଞ୍ଚରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ। ଏକାଠି ମଞ୍ଚରେ ବସିବା ସହ ଏକତ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ କଟକଠାରେ ଆୟୋଜିତ ପ୍ରଜାତନ୍ତ୍ର ଖବର କାଗଜର ୭୫ ତମ ପ୍ରତିଷ୍ଠା ଦିବସରେ। ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଦ୍ମଭୂଷଣ ସମ୍ମାନ ପ୍ରାପ୍ତ ଡକ୍ଟର ପ୍ରତିଭା ରାୟ।

ଏହି ଅବସରରେ ଅମିତ ଶାହ କହିଲେ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଦେଶ ପାଇଁ ଗୌରବ। ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ୭୫ ବର୍ଷ ଧରି ପ୍ରଜାତନ୍ତ୍ର ଲୋକଙ୍କ ସ୍ୱର ସାଜିଛି ବୋଲି ସେ କହିଥିଲେ।

ନେତାଜୀଙ୍କ ଜନ୍ମସ୍ଥାନ ଦେଖିଲେ

ପ୍ରଜାତନ୍ତ୍ରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ନେତାଜୀଙ୍କ ଫଟୋ, ନେତାଜୀ ବ୍ୟବହାର କରିଥିବା ଖଟ ଏବଂ ସାମଗ୍ରୀ ସବୁକୁ ଗୋଟି ଗୋଟି କରି ଦେଖିଥିଲେ। ନେତାଜୀଙ୍କ ପିଲା ଦିନର ବିଭିନ୍ନ ଘଟଣା, ପରିବାରର ଫଟୋ ସଂଗ୍ରହାଳୟରେ ରହିଛି। 

ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଅମିତ ଶାହ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପି ଚାଣକ୍ୟ ଅମିତ ଶାହ। ଦଳୀୟ ନେତୃତ୍ଵ ସହ ରୁଦ୍ଧଦ୍ୱାର ବୈଠକ କରି ଗୁରୁମନ୍ତ୍ର ଦେଇଛନ୍ତି ଶାହ। ପ୍ରାୟ ୫୦ ମିନିଟର ଏହି ବୈଠକରେ ରାଜ୍ୟ ପଦାଧିକାରୀ ଓ କୋର କମିଟି ସଦସ୍ୟ ଉପସ୍ଥିତ ଥିଲେ।  ଆଗାମୀ ୨୦୨୪ ସାଧାଣ ନିର୍ବାଚନ ପାଇଁ ଲାଗି ବିଜେପିର ରଣନୀତି କ’ଣ ରହିବ ସେନେଇ ଦଳୀୟ କାର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଅମତ ଶାହ। ତୃଣମୂଳ ସ୍ତରରେ ବିଜେପିକୁ ସୁଦୃଢ଼ କରିବାକୁ ଆହ୍ଵାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ବୁଥ ସ୍ତରରୁ ଦଳକୁ ମଜବୁତ କରିବା ସହ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାବା ଲାଗି କହିଛନ୍ତି ମୋଦୀ। ସେ କହିଛନ୍ତି ଦେଶରେ ବିଜେପି ବିଭିନ୍ନ ରାଜ୍ୟରେ ସରକାର ଗଢ଼ିଛି। ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ସରକାର ଗଢ଼ିବାର ସମ୍ଭାବନା ରହିଛି। ତେଣୁ ଆଜିଠାରୁ ଏଥିପାଇଁ କାମ ଆରମ୍ଭ କରିବା ଲାଗି କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ଅମିତ ଶାହ।

Tags: #Politics #OdishaPolitics #AmitShah #CMOdisha #NaveenPatnaik #BJP #BJD

Comment