ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ନୂଆ ଉପରାଷ୍ଟ୍ରପତି ହୋଇଛନ୍ତି ଜଗଦୀପ ଧନଖଡ଼। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ସେ ଏନଡିଏର ପ୍ରାର୍ଥୀ ହୋଇଥିଲେ। ଜଗଦୀପ ଧନଖଡ଼ ପ୍ରାୟ ୭୩ ପ୍ରତିଶତ ଭୋଟରେ ବିଜୟ ହାସଲ କରି ଦେଶର ଚତୁର୍ଦଶ ରାଷ୍ଟ୍ରପତି ହୋଇଛନ୍ତି।

ରାଷ୍ଟ୍ରପତିଙ୍କ ପରେ ଏବେ ଦେଶ ପାଇଛି ନୂଆ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ୫୨୮ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିବାବେଳେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ମିଳିଛି ମାତ୍ର ୧୮୨ ଖଣ୍ଡ ଭୋଟ। ୧୯୯୭ ମସିହା ଉପରାଷ୍ଟ୍ରପତି ନିର୍ବାଚନଠାରୁ ଚଳିତ ନିର୍ବାଚନ ପର୍ଯ୍ୟନ୍ତ ଭୋଟର ଆକଳକୁ ଦେଖିଲେ ଧନଖଡ଼ ସବୁଠାରୁ ଅଧିକ ଭୋଟ ପାଇଥିବା ଉପରାଷ୍ଟ୍ରପତି ହୋଇଛନ୍ତି।

ଜନତା ଦଳରୁ ବିଜେପି

ରାଜସ୍ଥାନର ଏକ ଗାଁରେ ଚାଷୀ ପରିବାରରେ ଜଗଦୀପ ଧନଖଡ଼ଙ୍କର ଜନ୍ମ। ପରେ ସେ ଉଚ୍ଚ ଶିକ୍ଷା ଲାଭ କରି ଓକିଲାତିକୁ ପେଶା ଭାବେ ବାଛିଥିଲେ। ପର୍ଯ୍ୟାୟ କ୍ରମେ ସେ ରାଜସ୍ଥାନ ହାଇକୋର୍ଟ ସହ ସୁପ୍ରିମ କୋର୍ଟରେ ମଧ୍ୟ ପ୍ରାକ୍ଟିସ୍ କରିଛନ୍ତି। ସେ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସସନର ନେତୃତ୍ଵ ନେଇ ସାରିଛନ୍ତି। ୧୯୮୯ ମସିହାରେ ଜଗଦୀପ ଧନଖଡ଼ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ। ସେହି ବର୍ଷ ସେ ରାଜସ୍ଥାନ ଝୁଞ୍ଜୁନୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜଗଦୀପ ଧନଖଡ଼ ଚନ୍ଦ୍ରଶେଖରଙ୍କ ନେତୃତ୍ଵାଧୀନ ଜନତା ଦଳ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ଜଗଦୀପ ଧନଖଡ଼ ଜନତା ଦଳ ପରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ପରେ ସେ ବିଜେପିରେ ମିଶି ଥିଲେ।

୨୦୧୯ରେ ପଶ୍ଚିମବଙ୍ଗ ରାଜ୍ୟପାଳ ହେଲେ

କେନ୍ଦ୍ର ସରକାର ଜଗଦୀପ ଧନଖଡ଼ଙ୍କୁ ୨୦୧୯ ମସିହାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ଜଗଦୀପ ଧନଖଡ଼ ରାଜସ୍ଥାନର ଜାଟ ସମ୍ପ୍ରଦାୟଙ୍କୁ ଓବିସି ମାନ୍ୟତା ପ୍ରଦାନ କରିବା ସହ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସମସ୍ୟାର ସମାଧାନ କରିଆସୁଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଉପରାଷ୍ଟ୍ରପତିଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି।

Tags: #Politics #Election #VicePresidentElection #Voting #JagdeepDhankhar

Comment