ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ପ୍ରମୁଖ୍ୟ ବିଭାଗଗୁଡ଼ିକରେ ସଚିବସ୍ତରୀୟ ନିଯୁକ୍ତି କରିଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ସୋମବାର ଦିନ ବିଧିବଦ୍ଧ ଭାବେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ନେଇଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ବିଭାଗୀୟ ଅଧିକାରୀଙ୍କଠାରୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ ଅରବିନ୍ଦ ପାଢ଼ୀ। ଏହା ସହିତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସ୍ଵଚ୍ଛତା ବଜାୟ ରଖିବା ଏବଂ ଦଳଗତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ନବନିଯୁକ୍ତ କୃଷି ଓ କୃଷକ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ।

ଦୀର୍ଘ ଦିନ ହେଲା କେନ୍ଦ୍ରୀୟ ଡେପୁଟେସନରେ ଥିଲେ ୧୯୯୬ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ କୃଷି ଓ କୃଷି ସଶକ୍ତିକରଣ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ତୁଲାଇବେ।

ଗତ ୩ ତାରିଖରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିଲା। ଯେଉଁଥିରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କ ନାଁ ସାମିଲ ଥିଲା। ସୋମବାର ଦିନ ଦାୟିତ୍ଵ ଗ୍ରହଣ କରିବା ପରେ ଅରବିନ୍ଦ ପାଢ଼ୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରି ମୁଁ ଗର୍ବିତ ବୋଲି ନିଜ ଟୁଇଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

୨୦୧୫ ମସିହାରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଡକ୍ଟର ଅରବିନ୍ଦ ପାଢ଼ୀ। ଏହା ପୂର୍ବରୁ ସେ ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଚିବ ଦାୟିତ୍ଵରେ ଥିଲେ। ଡେପୁଟେସନ ସମୟରେ ତାଙ୍କୁ କେମିକାଲ୍ସ ଏବଂ ପର୍ଟିଲାଇଜର ମନ୍ତ୍ରାଳୟରେ ସଚିବ ଭାବେ ନିଯୁକ୍ତି ମିଳିଥିଲା। ସେ ୧୯୯୬ ନଭେମ୍ବର ୬ ତାରିଖରୁ ୧୯୯୮ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ କୃଷି ବିଭାଗରେ ପ୍ରମୁଖ ସଚିବ ଦାୟିତ୍ଵରେ ରହିଥିଲେ। ସେ ICRISATର କଣ୍ଟ୍ରି ଡାଇରେକ୍ଟର ମଧ୍ୟ ଥିଲେ।

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ରହିବା ସମୟରେ ନିଜ ଦାୟିତ୍ଵ ସୁଚାରୁ ରୂପେ ନିର୍ବାହ କରିଛନ୍ତି ଡକ୍ଟର ପାଢ଼ୀ। ଏବେ ଓଡ଼ିଶା କୃଷି ଏବଂ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ମିଳିଛି। କୃଷି ଏବଂ କୃଷକଙ୍କ ଉନ୍ନତି ନିମନ୍ତେ ତାଙ୍କର ବିଭିନ୍ନ ଜନ ହିତକର ଆଭିମୁଖ୍ୟ ରହିବ ବୋଲି କୁହାଯାଉଛି।

୧୯୯୬ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ଅରବିନ୍ଦ ପାଢ଼ୀ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଶା ୟୁନିଭସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବନାରସ ହିନ୍ଦୁ ୟୁନିଭର୍ସିଟି ଦିଲ୍ଲୀରୁ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ପିଏଚଡି କରିଥିଲେ। ଏହା ପରେ ସେ ୨୦୧୦ ମସିହାରେ ବ୍ରିଟେନର ବର୍ମିଂହାମ ୟୁନିଭର୍ସିଟିରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଭାରତୀୟ ପରିଷଦ ଦ୍ୱାରା ପରିଚାଳିତ ଅଲ-ଇଣ୍ଡିଆ କୃଷି ଅନୁସନ୍ଧାନ ସେବା ପରୀକ୍ଷାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସ୍ନାତକୋତ୍ତର କରିବା ସମୟରେ ସିଭିଲ ସର୍ଭିସରେ ଯୋଗ ଦେବାକୁ ସେ ଇଚ୍ଛା ରଖିଥିଲେ। ୧୯୯୬ ମସିହାରେ ପ୍ରଥମ ପ୍ରୟାସରେ ହିଁ ସେ ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିଲେ।

Tags: #ArvindPadhee #Agriculturedepartment #OdishaGovt #IASOfficer #

Comment