ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ନବନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନ ୧୨ଟା ୩୦ ମିନିଟରେ ଦେଶର ଚତୁର୍ଦଶ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ପଦ ଓ ଗୋପନୀତାର ଶପଥ ପାଠ କରାଇଛନ୍ତି। ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଉପରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଗଜଦୀପ ଧନଖଡ଼ ସକାଳ ୮ଟା ୩୦ ମିନିଟରେ ରାଜଘାଟଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜଗଦୀପ ଧନଖଡ଼।

ଅଗଷ୍ଟ ୮ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଏଥିରେ ଜଗଦୀପ ଧନଖଡ଼ଙ୍କୁ ଏନଡିଏର ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀଙ୍କ ପ୍ରାର୍ଥୀ ହୋଇଥିଲେ ମାର୍ଗାରେଟ ଆଲଭା। ନିର୍ବାଚନରେ ଜଗଦୀପ ଧନଖଡ଼ ପ୍ରାୟ ୭୩ ପ୍ରତିଶତ ଭୋଟରେ ବିଜୟ ହାସଲ କରି ଦେଶର ଚତୁର୍ଦଶ ଉପରାଷ୍ଟ୍ରପତି ହୋଇଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ ୫୨୮ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିବାବେଳେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ମିଳିଥିଲା ମାତ୍ର ୧୮୨ ଖଣ୍ଡ ଭୋଟ। ୧୯୯୭ ମସିହା ଉପରାଷ୍ଟ୍ରପତି ନିର୍ବାଚନଠାରୁ ଚଳିତ ନିର୍ବାଚନ ପର୍ଯ୍ୟନ୍ତ ଭୋଟର ଆକଳନକୁ ଦେଖିଲେ ଧନଖଡ଼ ସବୁଠାରୁ ଅଧିକ ଭୋଟ ପାଇଥିବା ଉପରାଷ୍ଟ୍ରପତି ବୋଲି କୁହାଯାଉଛି।

Tags: #Politics #IndianPolitics #Election #OathTaking #PresidentOfIndia #VicePresidentOfIndia #

Comment