ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶ ଆଜି ପାଳନ କରୁଛି ଆଜାଦୀକା ଅମୃତ ମହୋତ୍ସବ। ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଛି ୭୬ ତମ ସ୍ଵାଧୀନତା ଦିବସ। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, “ଆଜି ସାରା ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ଆପଣମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହର ଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ, ଡକ୍ଟର ବି.ଆର. ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅପ୍ରଣ କରିଥିଲେ। ଏହା ସହିତ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନମାନଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। ୭୫ ବର୍ଷରେ ଓଡ଼ିଶା ଆନେକ ଲ୍ୟାଣ୍ଡମାର୍କ ହାସଲ କରି ଦେଶକୁ ଅନେକ ରାସ୍ତା ଦେଖାଇଛି। ଓଡ଼ିଶାର ଆଜି ଟ୍ରାନ୍ସଫର୍ମେସନର ନୂଆ ଯୁଗ ଆରମ୍ଭ ହୋଇଛି। ଓଡ଼ିଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି। ଏକ ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଏକ ଖାଦ୍ୟଶସ୍ୟରେ ଭରପୁର ରାଜ୍ୟ ହେବା, ବିପର୍ଯ୍ୟୟ ମୁକାବିଲାରେ ବିଶ୍ଵ ପାଇଁ ଆଦର୍ଶ ସୃଷ୍ଟି କରିବା, ସ୍ପୋଟର୍ସ ହବ୍ ଭାବରେ ପରିଚୟ ସୃଷ୍ଟି କରିବା ଓ  ୭୦ ଲକ୍ଷ ମା’ଙ୍କୁ ସଶକ୍ତ କରିବା ଆଦି ଲ୍ୟାଣ୍ଡମାର୍କ ଆମ ଓଡ଼ିଶାର ଜୟଯାତ୍ରାର ପ୍ରତୀକ।”

ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଶିକ୍ଷା ଆମର ପ୍ରଥମ ଫୋକସ। ସ୍କୁଲ ଟ୍ରାନ୍ସଫର୍ମେସନ ପ୍ରୋଗ୍ରାମ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। କୋଟିଆରୁ ଆରମ୍ଭ କରି ଭୁବନେଶ୍ଵର ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ପ୍ରାୟ ୧ ଲକ୍ଷ ପିଲା ପାଠପଢ଼ୁଛନ୍ତି। ୫୦୦୦ ଝିଅଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ଖୋଲାଯାଉଛି।

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମୀ ପ୍ରୋଜେକ୍ଟରେ ୩୦୦୦ ସ୍ମାରକୀ ସ୍ଥାପନ କରାଯାଉଛି। ଜନଜାତି ଭାଇଭଉଣୀଙ୍କ ବିକାଶ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି। ଆସନ୍ତା ୨୫ ବର୍ଷରେ ସ୍ଵାଧୀନତାର ଶତବାର୍ଷିକ ପାଳନ କରିବା। ସେଥିପାଇଁ ଆମକୁ ବର୍ତ୍ତମାନଠାରୁ ପ୍ରସ୍ତୁତ ହେବାକୁ ହେବ।  ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିବ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆମେ ସମସ୍ତେ ଯଦି ଦିନର କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Tags: #IndependenceDay #IndependenceDay2022 #Celebration #FlagHosting #CMOdisha #NaveenPatnaik

Comment