ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ତଥା ଭାରତ ବାହାରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କହିଛନ୍ତି ଯେ, ଅଗଷ୍ଟ ୧୪ ତାରିଖକୁ ବିଭାଜନ-ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ଏହି ସ୍ମୃତି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ଅଗ୍ରାଧିକାର ପ୍ରଦାନ କରିବା।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ଔପନିବେଶିକ ଶାସନର ବେଡିକୁ କାଟି ଦେଇଥିଲେ। ସେହି ଶୁଭ ଦିବସର ପାଳନ ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଦର ପ୍ରଣାମ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। ସେ ଆହୁରି କହିଥିଲେ ଯେ, ସଂଗ୍ରାମୀମାନଙ୍କ ବଳିଦାନ ଯୋଗୁଁ ଆମ ସମସ୍ତେ ସ୍ୱାଧୀନ ଭାରତରେ ସୁରକ୍ଷିତ ଭାବେ ବଞ୍ଚିପାରୁଛୁ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ଭୋଟ ଦେବାର ଅଧିକାର ପାଇଁ ମହିଳାମାନଙ୍କୁ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡ଼ୁଥିଲା। କିନ୍ତୁ ଭାରତର ଗଣତନ୍ତ୍ର ପ୍ରଥମରୁ ହିଁ ସମସ୍ତଙ୍କୁ ସମାନ ଅଧିକାର ଦେଇଆସିଛି। ଗତ ବର୍ଷ ନଭେମ୍ବର ୧୫ ତାରିଖକୁ ‘ଜନଜାତି ଗୌରବ ଦିବସ’ ପାଳନ କରାଯିବାର ସରକାରଙ୍କ ନିଷ୍ପତ୍ତିକୁ ରାଷ୍ଟ୍ରପତି ସ୍ୱାଗତ କରିଥିଲେ।

କୋଭିଡ ମୁକାବିଲାର ସଫଳତା ବଖାଣିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, କୋଭିଡ ମୁକାବିଲାରେ ଭାରତ ଅନ୍ୟ ଦେଶ ପାଇଁ ଉଦାହରଣ ପାଲଟିଛି। ଆମ ଦେଶ କୋଭିଡ ଟିକା ନିର୍ମାଣ କରିବା ସହ ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରିଛି। ଗତ ମାସରେ ଦେଶରେ ୨୦୦ କୋଟି ଟିକାକରଣର କରାଯାଇଛି।

ଦେଶର ପ୍ରତ୍ୟେକ ନାଗରିକ ନିଜର ମୁଖ୍ୟ କର୍ତ୍ତବ୍ୟ ବିଷୟରେ ଜାଣିବା ସହ ତାକୁ ପାଳନ କରିବା ଦ୍ଵାରା ଆମ ଦେଶ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିପାରିବ ବୋଲି ରାଷ୍ଟ୍ରପତି କହିଥିଲେ। ସେ କହିଥିଲେ ଆଜି ଭାରତରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥ ବ୍ୟବସ୍ଥା ତଥା ଏହା ସହିତ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ରରେ ଯେଉଁ ସକରାତ୍ମକ ପରିବର୍ତ୍ତନ ଆସିଛି, ଏହା କେବଳ ସୁଶାସନ ପାଇଁ ହିଁ ସମ୍ଭବ ହୋଇପାରିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆମ ଦେଶର ଝିଅମାନଙ୍କ ଉପରେ ଅନେକ ଆଶା ରହିଛି। ସୁଯୋଗ ମିଳିଲେ ସେମାନେ ସଫଳତାର ଶିଖର ଛୁଇଁପାରିବେ। ଆଜି ଆମ ଦେଶର ଝିଅମାନେ ଫାଇଟର-ପାଇଲଟଠାରୁ ଆରମ୍ଭ କରି ସ୍ପେସ ସାଇଣ୍ଟିଷ୍ଟ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଆଜି ଦେଶର ମହିଳାମାନେ ସାମାଜିକ ବେଡ଼ି ଖୋଲି ଆଗକୁ ବଢ଼ୁଛନ୍ତି। ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସଫଳତା ସାଉଣ୍ଟୁଛନ୍ତି। ଆଜି ଦେଶର ପଞ୍ଚାୟତଗୁଡ଼ିକରେ ନିର୍ବାଚିତ ମହିଳାଙ୍କ ସଂଖ୍ୟା ୧୪ ଲକ୍ଷରୁ ଅଧିକ ରହିଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସ୍ୱାଧୀନତାର ୭୬ତମ ଉତ୍ସବ ପାଳନ କରିବା ଅବସରରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

Tags: #IndependenceDay #Celebration #PresidentOfIndia #DraupadiMurumu #AjadiKaAmrutMahostav

Comment