ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଜନ୍ମାଷ୍ଟମୀରେ ଓଡ଼ିଶାର ବିଭିନ୍ନ କୃଷ୍ଣ ମନ୍ଦିରରେ ଜନସମାଗମ ଦେଖଇବାକୁ ମିଳୁଛି। ଓଡ଼ିଶାର ବିଭିନ୍ନ ସଂସ୍କୃତି ପରମ୍ପରା ଓ ଇତିହାସକୁ ବର୍ଣ୍ଣନା କରୁଥିବା ଅନେକ କୃଷ୍ଣ ମନ୍ଦିର ରହିଛି। ସେଥିମଧ୍ୟରୁ କଣ୍ଟିଲୋର ନୀଳମାଧବ ମନ୍ଦିର, ସାକ୍ଷୀଗୋପାଳର ସାକ୍ଷୀଗୋପାଳ ମନ୍ଦିର ଓ ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର ଆଦିର ଅନେକ ରହସ୍ୟ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ସବୁ ମନ୍ଦିରକୁ ବର୍ଷ ସାରା ଲୋକଙ୍କ ଆଗମନ ହୋଇଥାଏ। ତେବେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅଧିକ ଭିଡ଼ ଦେଖଇବାକୁ ମିଳିଥାଏ।­

କଣ୍ଟିଲୋ ନୀଳମାଧବ

ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋଠାରେ ମହାନଦୀର ଶାଖାନଦୀ ଚିତ୍ରୋତ୍ପଳା କୂଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ନୀଳମାଧବ ରୂପରେ ଶ୍ରୀ କୃଷ୍ଣ ଏଠାରେ କାହିଁ କେଉଁ କାଳରୁ  ପୂଜା ପାଇଆସୁଛନ୍ତି।

ଇତିହାସ କହେ କଣ୍ଟିଲୋରେ ମହାନଦୀ କୂଳରେ ଅବସ୍ଥିତ ବ୍ରହ୍ମଦ୍ରୀ ପାହାଡ଼ରେ ଥିବା ଏକ ଛୋଟ ଗୁମ୍ଫାରେ ନୀଳମାଧବଙ୍କର ସେବା ପୂଜା ପ୍ରଥମେ ଆରମ୍ଭ ହୋଇଥିଲା। ପରେ ମନ୍ଦିର ସ୍ଥାପନା କରାଯାଇ ବିଗ୍ରହ ସ୍ଥାନାନ୍ତର କରାଯାଇଥିଲା। ନୀଳମାଧବଙ୍କ ମୂର୍ତ୍ତି ପାଦରୁ ଜଳର ଏକ ସ୍ଥାୟୀ ପ୍ରବାହ ଏଠାରେ ରହିଛି। ଏହି ମନ୍ଦିର ନିକଟରେ ସିଦ୍ଧେଶ୍ୱର ମଧ୍ୟ ପୂଜିତ ହୋଇଥାନ୍ତି।

ତେବେ ନୀଳମାଧବଙ୍କ ଏହି ମନ୍ଦିରର ଗଠନ ଶୈଳୀ ପୁରୀ ଶ୍ରୀ ମନ୍ଦିର ଗଠନ ଶୈଳୀ ସହ ମେଳ ଖାଇଥାଏ। ମାଘସପ୍ତମୀ ଏହି ପୀଠର ବଡ଼ ପର୍ବ । ମାଘ ଏକାଦଶୀରେ ଏଠାରେ ମେଳା ହୋଇଥାଏ ଏବଂ ପୌଷପୂର୍ଣ୍ଣିମାରେ ନୀଳମାଧବଙ୍କୁ ସ୍ଵର୍ଣ୍ଣାଳଙ୍କାର ଆଦିରେ ଆଭୂଷିତ କରାଯାଇଥାଏ।

କିମ୍ବଦନ୍ତୀ ଅନୁସାରେ ଜଣେ ତୀର୍ଥଯାତ୍ରୀ ସତ୍ୟ ଯୁଗରେ ସୋମ ବଂଶର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟକୁ ଆସି ମହାନ ଭଗବାନ ନୀଳମାଧବଙ୍କୁ ଓଡ଼ିଶାର ନୀଳ ପର୍ବତରେ ପୂଜା କରାଯାଉଥିବା ବର୍ଣ୍ଣନା କରିଥିଲେ । ତୀର୍ଥଯାତ୍ରୀ କାହାଣୀ କହିବା ପରେ ଅଦୃଶ୍ୟ ହୋଇଯାଇଥିଲେ।

ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁରୋଧ କ୍ରମେ ତାଙ୍କ ପୁରୋହିତଙ୍କ ସାନଭାଇ ବିଦ୍ୟାପତି ଈଶ୍ୱରଙ୍କ ସନ୍ଧାନରେ ଶବରଦ୍ୱୀପ ଜଙ୍ଗଲରେ ପହଞ୍ଚିଥିଲେ। ଶବର ରାଜା ବିଶ୍ୱାବସୁ ବିଦ୍ୟାପତିଙ୍କୁ  ରୋହିଣୀ-କୁଣ୍ଡରେ ସ୍ନାନ କରାଇ କଳ୍ପବୃକ୍ଷ ତଳେ ବସାଇଥିଲେ।

ସେଠାରେ ବିଦ୍ୟାପତି ନୀଳମାଧବଙ୍କୁ ଦେବମାନଙ୍କଦ୍ୱାରା ପୂଜା କରାଯାଉଥିବା ଦେଖିଥିଲେ।  ବିଦ୍ୟାପତିଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଇନ୍ଦ୍ରଦ୍ୟୁମ୍ନ ପୁରୋହିତ ବିଦ୍ୟାପତି  ନୀଳମାଧବ ଅଭିମୁଖେ ଯାତ୍ରା କଲେ। ଯେଉଁ ଦିନ ବିଦ୍ୟାପତି ମାଳବକୁ ଫେରିଥିଲେ ସେହି ଦିନ ନୀଳମାଧବ ଅଦୃଶ୍ୟ ହୋଇଯାଇଥିଲେ।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶୂନ୍ୟବାଣୀ ହୋଇଥିଲା ଏକ ହଜାର ଅଶ୍ୱମେଧ ଯଜ୍ଞ ସହିତ ଦେବତାଙ୍କୁ ପୂଜା କଲେ ନୀଳମାଧବ ଫେରିବେ । ଯଜ୍ଞ ପରେ ନୀଳମାଧବ ରୂପରେ ଦେଖା ନ ଦେଇ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଚାରୋଟି ରୂପରେ ନିଜକୁ ପ୍ରକାଶ  କରିବେ ବୋଲି ପ୍ରଭୁ ରାଜାଙ୍କୁ କହିଥିଲେ। ସେହି ଦିନଠାରୁ ପୁରୀରେ ନୀଳମାଧବଦାରୁ ରୂପ ଧାରଣ କରି ପୂଜିତ ହେଉଛନ୍ତି। କଣ୍ଟିଲୋରେ ପୁରାଣ ବର୍ଣ୍ଣିତ ନୀଳମାଧବ ମନ୍ଦିରରେ ପୂଜିତ ହେଉଛନ୍ତି ।

କ୍ଷୀରଚୋରା ଗୋପୀନାଥ

ବାଲେଶ୍ୱର ଜିଲ୍ଲା ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଏକ ପ୍ରସିଦ୍ଧ ମନ୍ଦିର। ମନ୍ଦିରଟି ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କୁହାଯାଉଥିଲା। ବୃନ୍ଦାବନର ତିନି ଠାକୁର ଶ୍ରୀ ମଦନମୋହନ, ଶ୍ରୀ ଗୋବିନ୍ଦ ଓ ଶ୍ରୀ ଗୋପୀନାଥ ଏଠାରେ ପୂଜା ପାଇଥା’ନ୍ତି।

ଭଗବାନ ଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାମରେ ଗୋବିନ୍ଦ ଅଛନ୍ତି । ମଦନମୋହନ ଓ ଗୋବିନ୍ଦଙ୍କୁ ଶ୍ରୀ ରସିକାନନ୍ଦ ପ୍ରଭୁ ୩୫୦ ବର୍ଷ ତଳେ ତାଙ୍କର ଶିଷ୍ୟ ତିହିଡି ସାମନ୍ତ ରାଜାଙ୍କ ଦ୍ୱାରା ପ୍ରତିଷ୍ଠା କରାଇଥିବା କୁହାଯାଏ।

ଏହା ପୂର୍ବରୁ କେବଳ ଶ୍ରୀ ଗୋପୀନାଥ ଥିଲେ। ଲାଙ୍ଗୁଳା ନରସିଂହଦେବ ତୀର୍ଥଯାତ୍ରା ଯାଇଥିବା ସମୟରେ ସ୍ୱପ୍ନାଦେଶ ପାଇ ଚିତ୍ରକୁଟ ପର୍ବତରୁ ପୁରୀ ନେଇଯାଉଥିବା ବେଳେ ପୁଣି ସ୍ୱପ୍ନାଦେଶ ପାଇ ରେମୁଣାରେ ପ୍ରତିଷ୍ଠା କରିଥିବା ଶୁଣିବାକୁ ମିଳେ।

ଏହି ବିରାଟ ମୂର୍ତ୍ତିଙ୍କ ପାଦତଳେ ଚାରି ସଖାଙ୍କ ସହିତ ଗୋଚାରଣ ଦୃଶ୍ୟ, ଓ ଅଷ୍ଟସଖୀ ସେବାରତ ଥିବାର ଦୃଶ୍ୟ ଅଛି । ତାଙ୍କ ମସ୍ତକରେ ଶେଷଦେବ ଅଛନ୍ତି, ତିନୋଟି ଜମ୍ବୂ ଫଳ ଅଛି, ମସ୍ତକର ଉପରି ଭାଗରେ ବାମ ଓ ଡାହାଣପାର୍ଶ୍ୱରେ ଚାଣୁର ଏବଂ ମୁଷ୍ଟିକ ସହିତ ଯୁଦ୍ଧ କରୁଥିବାର ଦୃଶ୍ୟ ଅଛି। ତାଙ୍କର ନଟବର ବେଶରେ ଛନ୍ଦା ଚରଣରେ ମୁରଲୀ ବଜାଉଥିବା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ।

ଗୋପୀମାନଙ୍କ ପ୍ରିୟ ଶ୍ରୀକୃଷ୍ଣ ସେମାନଙ୍କ ଠାରୁ ଦୁଗ୍ଧଜାତ ଦ୍ରବ୍ୟ ଚୋରାଇ ଖାଇଥାଆନ୍ତି। ତେଣୁ ତାଙ୍କୁ କ୍ଷୀରଚୋରା ଗୋପୀନାଥ ମୟଭାବେ ପୂଜା କରାଯାଉଛି। ଏଠାରେ କ୍ଷୀର ଭୋଗ  ‘ଅମୃତ କେଳି’ ନାମରେ ଦିଅଁଙ୍କ ପାଖରେ ଅର୍ପଣ କରାଯାଇଥାଏ। କ୍ଷୀର, ଚିନି, ଖୁଆ ଓ ଗୁଜୁରାତି ଅଳେଇଚରେ ଏହା ତିଆରି କରାଯାଏ।

ସାକ୍ଷୀ ଗୋପାଳ

ପୁରୀ ଜିଲ୍ଲାସ୍ଥିତ ସାକ୍ଷୀଗୋପାଳ ଅଞ୍ଚଳରେ ଶ୍ରୀ କୃଷ୍ଣଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ପ୍ରଭୁଙ୍କୁ ସାକ୍ଷୀ ଗୋପାଳ ନାମରେ ଏଠାରେ ପୂଜା କରାଯାଉଥିବାବେଳେ ତାଙ୍କ ନାମ ଅନୁସାରେ ଏହି ସ୍ଥାନର ନାମକରଣ କରାଯାଇଛି।

ତେବେ ମନ୍ଦିର ପ୍ରତିଷ୍ଠା ତଥା ବିଗ୍ରହ ସ୍ଥାପନକୁ ନେଇ ଅନେକ ଲୋକକଥା ଓ କିମ୍ବଦନ୍ତୀ ଶୁଣିବାକୁ ମିଳେ। କୁହାଯାଏ ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ପାଇଁ ସାକ୍ଷୀ ଦେବା ପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀଗୋପାଳ ନାମରେ ପୂଜା ପାଉଥିବା କୁହାଯାଏ।

ପରେ  ରାଜା ପୁରୁଷୋତ୍ତମଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀସାକ୍ଷୀଗୋପାଳଙ୍କୁ ଶ୍ରୀ କ୍ଷେତ୍ର ନେଇଆସିଲେ। ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଅଇଁଠା କରି ଦେଉଛନ୍ତି ବୋଲି ରାଜା ରାମଚନ୍ଦ୍ର ଦେବଙ୍କୁ ସ୍ୱପ୍ନାଦେଶ ହୋଇଥିଲା।

ଏହି ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ରାଜାଙ୍କ ପାଖକୁ ଯାଇ କହିଥିଲେ ଯେ,”୧୫ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର।”

ବାବା ବ୍ରହ୍ମଚାରୀଙ୍କ  ପରାମର୍ଶ କ୍ରମେ ପ୍ରଥମେ ସିଦ୍ଧବଳରାମଙ୍କ ନିକଟରେ ଏକ ମନ୍ଦିର ପ୍ରତିଷ୍ଠା କରାଇ ଶ୍ରୀସାକ୍ଷୀଗୋପାଳଙ୍କୁ ସ୍ଥାପନ କରାଇଲେ। ପରବର୍ତ୍ତୀ କାଳରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଅଛି । ସମୟକ୍ରମେ ପ୍ରିୟା ଶ୍ରୀରାଧା ସେବକ ସାହିସ୍ଥିତ ଶ୍ରୀସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କଲେ।

ପରେ ପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ। ମୂର୍ତ୍ତିର ଜୀବନ୍ୟାସ ସମୟରେ ଲକ୍ଷ୍ମୀ ଦେହତ୍ୟାଗ କରିଥିଲେ। ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ସଂସ୍କାର କରାଯାଇଥିଲା। କିମ୍ବଦନ୍ତୀକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ ସମୟରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାଯାଇଥିବା କୁହାଯାଏ।

Tags: #threefamoustemple #lordshreekrishna #Sakhigopal #khirachoragopinath #kantilonilamadhav # odishatourism

LEAVE A REPLY

Please enter your comment!
Please enter your name here