ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୁରୁଦିବସ ହେଲା କଳାଦିବସ
  • ଭାଙ୍ଗିଲା ପରମ୍ପରା
  • ପୂଜା ପାଇବା ପରିବର୍ତ୍ତେ ରାଜରାସ୍ତାରେ ଗୁରୁ
  • ବଦଳିଲା ଇତିହାସ

ଆଜି ହେଉଛି ଗୁରୁଦିବସ। ସମସ୍ତ ଛାତ୍ରଛାତ୍ରୀ ଗୁରୁଦିବସ ପାଳନ କରୁଥିବାବେଳେ ଶିକ୍ଷକମାନେ ଏହାକୁ କଳାଦିବସ ଭାବେ ପାଳୁଛନ୍ତି। ସରକାର ପ୍ରତିଶ୍ରୁତି ଦେଇ ମଧ୍ୟ ସେମାନଙ୍କର ଦାବିକୁ ପୂରଣ କରୁନାହାଁନ୍ତି। ଦାବି ପୂରଣ ଲାଗି ରାଜରାସ୍ତାରେ ବସିଛନ୍ତି ବ୍ଳକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ।

ସେମାନଙ୍କର ଦାବି ନ ପୂରଣ ହେବାଯାଏଁ ଏହି ଲଢେଇକୁ ଜାରି ରଖିବେ ବୋଲି କହିଛନ୍ତି। ରାଜଧାନୀ ରାଜରାସ୍ତାରେ ୨୧ ଦିନ ଧରି ଚାଲିଛି ଏହି ଆନ୍ଦୋଳନ। ସରକାର ସେମାନଙ୍କର ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ସେମାନେ ଗୁରୁଦିବସକୁ କଳାଦିବସ ଭାବେ ପାଳନ କରୁଛନ୍ତି।

କଳାଦିବସ ପାଳନ କରିବେ ବୋଲି ପୂର୍ବରୁ ରାଜ୍ୟ ସରକାରକୁ ଧମକ ଦେଇଥିଲେ ଆନ୍ଦୋଳନରତ ବ୍ଳକଗ୍ରାଣ୍ଟ ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ମିଳିତ ମଞ୍ଚ। ଏହାଛଡ଼ା ଆସନ୍ତାକାଲି ଠାରୁ ସ୍କୁଲରେ ତାଲା ପଡିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି।

ଅପରପକ୍ଷେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଶିକ୍ଷକଙ୍କର ଗୁରୁଦିବସକୁ ନେଇ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଶିକ୍ଷକମାନେ କ’ଣ ଗୁରୁଦିବସ ପାଳନ କରନ୍ତି? କଳାଦିବସ ପାଳନ କଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବନାହିଁ। ରାଜ୍ୟ ସରକାର ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଆଶାବାଦୀ ଅଛନ୍ତି ବୋଲି ସେ କହିଛନ୍ତି।

ତେବେ ଗତକାଲି ଠାରୁ ବିଧାନସଭାରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଆଜି ଏହି ପ୍ରସଙ୍ଗକୁ ଉଠାଇ ହୋହାଲ୍ଲା କରିଛନ୍ତି ବିଜେପି ବିଧାୟକ। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏବଂ ରବି ନାଏକ ଲୋୟର ପିଏମଜିଠାରେ ଚାଲିଥିବା ଶିକ୍ଷକମାନଙ୍କର ଏହି ପ୍ରତିବାଦରେ ସାମିଲ ମଧ୍ୟ ହୋଇଛନ୍ତି। ଗୃହ ଅଚଳ ହେବା ପରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ବିଧାୟକ ରବି ନାଏକ କହିଛନ୍ତି। ସରକାର ଶିକ୍ଷକଙ୍କର ଦାବି କର୍ଣ୍ଣପାତ କରୁନଥିବାରୁ ସେ ନିନ୍ଦା କରିଛନ୍ତି।

LEAVE A REPLY

Please enter your comment!
Please enter your name here