ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮ ହକି ପୁରୁଷ ବିଶ୍ୱକପ୍‌ରେ ବ୍ୟାପକ ସଫଳତା ପାଇବା ପରେ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଏହି କ୍ରମରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଭିନ୍ନ ବିଭାଗର ମୁଖ୍ୟମାଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ବିଶ୍ଵକପକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରିବାକୁ ଏହି ବୈଠକରେ ଆଲୋଚନା କରାଯାଇଛି। ଏକାସହ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଯାଉଥିବାବେଳେ ଏହାକୁ ଅଧିକ ଚିତ୍ତାକର୍ଷକ କରିବା ଦିଗରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ,”ଖେଳାଳି, ଅଧିକାରୀ, ପ୍ରଶଂସକ ଓ ଦର୍ଶକଙ୍କ ପାଇଁ ହକି ବିଶ୍ଵକପକୁ ସୁଗମ, ସଫଳ ଓ ସ୍ମରଣୀୟ କରିବା ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବା ଦରକାର।” ୨୦୧୮ରେ ବିଭିନ୍ନ ସରକାରୀ ବିଭାଗ ଦକ୍ଷତାର ସହିତ କାର୍ଯ୍ୟକରି ହକି ବିଶ୍ଵକପକୁ ସଫଳ କରିବା ସହ ବିଶ୍ଵସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସେ କହିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ରାଉରକେଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ବିଶ୍ଵକପକୁ ସଫଳ କରିବା ଦିଗରେ ଆଗ୍ରହ ପ୍ରକାଶ କରିଥିଲେ।

ଅନ୍ୟପଟେ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାରକରିପାରିଛି ବୋଲି ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆମକୁ ଏହି ବିଶ୍ୱକପକୁ ଏକ ଉଲ୍ଲେଖନୀୟ ହୋଷ୍ଟ ଭାବରେ ନୁହେଁ ବରଂ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ରାଉରକେଲାର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବନ୍ଦୋବସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବାବେଳେ ଭୁବନେଶ୍ୱରରେ କିଛି ମାସ ପୂର୍ବରୁ କଳିଙ୍ଗ ହକି ଷ୍ଟାଡିୟମରେ ନୂଆ ଟର୍ଫ ପକାଯାଉଛି ଓ ମ୍ୟାଚ୍ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯାଇଛି।

ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସଫଳ ଆୟୋଜନ ପାଇଁ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଅର୍ଥ, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକତା, ଭୂମିକା ଉପରେ ବିସ୍ତୃତ ଆଲୋଚନା କରଯାଇଥିଲା।

Tags: #2023Men’sHockeyWorldCup #HockeyBhubaneswar #HockeyRourkela #kalingastadium#sundergarhstadium

Comment