ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୌରପାଳିକାରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଘରରୁ ଘର ଅଳିଆ ସଂଗ୍ରହ କାର୍ଯ୍ୟକ୍ରାମ ଦିଗହରା ହୋଇପଡ଼ିଛି। ପୌରପାଳିକାର ପରିମଳ ଅଧିକାରୀଙ୍କ ଅବହେଳା ଯୋଗୁଁ ଏସଡବ୍ଲ୍ୟୁଏମ କାର୍ଯ୍ୟକ୍ରମ ସମ୍ପୂର୍ଣ ଠପ୍ ହୋଇଯାଇଛି ବୋଲି କାଉନସିଲରମାନେ ଅଭିଯୋଗ କରିଛନ୍ତି। ପ୍ରାୟ ୧୫ ଦିନ ହେବ ସହରର ବିଭିନ୍ନ ସାହିରୁ ନିୟମିତ ଭାବେ ଅଳିଆ ଉଠୁନାହିଁ।

ସ୍ଵଚ୍ଛସାଥୀମାନଙ୍କୁ ଅଳିଆ ପୃଥକୀକରଣରୁ ବାଦ ଦିଆଯାଇଥିବାବେଳେ ସେମାନଙ୍କୁ ଗତ ୪ ମାସ ହେବ ପ୍ରାପ୍ୟ ମିଳୁନାହିଁ। ଶେଷରେ ସହରର ଅଧ୍ୟକ୍ଷଙ୍କ ସମେତ କାଉନସିଲର ଓ ସ୍ଵଚ୍ଛସାଥୀ ମହିଳାମାନେ ଦାୟିତ୍ଵରେ ଥିବା ପରିମଳ ଅଧିକାରୀ ମନୋଜ ଦତ୍ତଙ୍କୁ ଘେରାଉ କରିବା ସହ ଅଳିଆ ଗାଡ଼ିକୁ ପ୍ରାୟ ୨ ଘଣ୍ଟା ଅଟକାଇ ରଖିଥିଲେ।

ଗତ ୬ ତାରିଖରୁ ୱାର୍ଡ ନଂ ୬, ୧୦, ୧୧, ୧୩ ଓ ୧୫କୁ ଅଳିଆ ସଂଗ୍ରହକାରୀ ଗାଡ଼ି ଯାଉନାହିଁ। ଏହା ସହିତ ୧୪ ଓ ୧୬ ନଂ ୱାର୍ଡକୁ ନିୟମିତ ଭାବେ ଅଳିଆ ସଂଗ୍ରହକାରୀ ଗାଡ଼ି ଯାଉନଥିବା ଅଭିଯୋଗ କରିଥିଲେ। ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ବ୍ୟାଟେରି ଚାଳିତ ଗାଡ଼ି ସହରରେ ଅଳିଆ ସଂଗ୍ରହ ପାଇଁ ନିୟୋଜିତ କରାଯାଇଛି। ଏଥିରେ ମହିଳାମାନଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ଏବେ ଏମାନଙ୍କୁ ବାଦ ଦିଆଯିବା ପରେ ଏଥିରେ ନିୟୋଜିତ ମହିଳାମାନେ ଏବେ ଘରେ ବସିଛନ୍ତି।

ଗତ ଏକ ମାସ ହେଲା ଅଳିଆ ସଂଗ୍ରହ କରିବା ସ୍ଥାନକୁ ଗାଡ଼ି ଯାଇପାରୁ ନଥିବାରୁ ଅଳିଆ ଉଠାଇ ହେଉନାହିଁ। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ସହରରେ ସଫେଇ ଦାୟିତ୍ଵରେ ଥିବା ସଂସ୍ଥା ସଫେଇ ପାଇଁ ମାସକୁ ୧୪ ଲକ୍ଷ ୪୭ ହଜାର ଟଙ୍କା ନେଉଛନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ସଫେଇ କର୍ମଚାରୀ ନିୟୋଜିତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଆସୁଥିଲା।

ସଫେଇ ପାଇଁ ଦୈନିକ ୭୦ ଜଣ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିୟମ ରହିଛି। କିନ୍ତୁ ପ୍ରତିଦିନ ୫ ଜଣ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଏପଟେ ସ୍ଵଚ୍ଛସାଥୀ ମହିଳାମାନେ ପରିମଳ ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ୧୫ରୁ ୨୦ ଦିନ ଧରି ଅଳିଆ ସଂଗ୍ରହ ନହେବାରୁ ସ୍ଵଚ୍ଛସାଥୀମାନେ ଲୋକଙ୍କ ରୋଷର ଶିକାର ହେଉଛନ୍ତି। ଏ ସଂକ୍ରାନ୍ତରେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହା ସହିତ ପରିମଳ ଅଧିକାରୀ ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ପରିମଳ ଅଧିକାରୀ କୌଣସି କାଉନସିଲରଙ୍କ କଥାକୁ ଭ୍ରୁକ୍ଷେପ କରୁନଥିବା କାଉନସିଲରମାନେ ଅଭିଯୋଗ କରିଛନ୍ତି। ୧୦ଟି  ବ୍ୟାଟେରି ଚାଳିତ ଗାଡ଼ିର ଦାୟିତ୍ଵ ମଧ୍ୟ ତାଙ୍କ ହାତରେ ଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡ଼ିକ ଏବେ ଖରାପ ହେବାକୁ ବସିଲାଣି।  

ନୂତନ ପୌର ପରିଷଦ ଗଠନ ହେବା ପରେ ଏ ନେଇ ପୌର ଅଧ୍ୟକ୍ଷ ପରିମଳ ଅଧିକାରୀ ମନୋଜ ଦତ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଗାଡ଼ିଗୁଡ଼ିକର ମରାମତି ପାଇଁ ମେକାନିକଙ୍କୁ କୁହାଯାଇଛି। ଇତି ମଧ୍ୟରେ ଚାରିମାସ ବିତିଯାଇଥିଲେ ସୁଦ୍ଧା ଗାଡ଼ିଗୁଡ଼ିକ ମରାମତି ହୋଇପାରି ନାହିଁ।

ସରକାର ସଫେଇ କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିମଳ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି କାଉନସିଲରମାନେ ଅଭିଯୋଗ କରିଛନ୍ତି। ମନୋଜ ଦତ୍ତ ‘ମୋ ଖତ’ ଦାୟିତ୍ଵରେ ରହିଥିବାବେଳେ ଆଜି ପର୍ଯ୍ୟନ୍ତ କେତେ ଖତ ପ୍ରସ୍ତୁତ ହୋଇଛି, କେତେ ବିକ୍ରି ହୋଇଛି, କେତେ ଖତ ମହଜୁଦ ଅଛି ଏବଂ ବିକ୍ରି ହୋଇଥିବା ଖତ ବାବଦରେ କେତେ ଟଙ୍କା ଅଛି ତାହାର କିଛି ହିସାବ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ପୌରାଞ୍ଚଳରେ ସଫେଇ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ଓ ତଦାରଖ ନିମନ୍ତେ ଏକ ନୂତନ ପରିମଳ ଅଧିକାରୀ ନିଯୁକ୍ତି କରିବାକୁ କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, କେଶବ ରାଜୁ, ଏ ସତିଶ, ଅମିତ ପ୍ରଧାନ, ସମେଶ ଖୋରା, ଅଲେଖ ସୌରା, ରାମ ହରିଜନ, ମମତା ମହାରଣା, ଗୀତାଞ୍ଜଳି ଯାଦବ, ପି ଉଷାରାଣୀ ଏବଂ ସନ୍ତୋଷୀ ଜାନୀ ପ୍ରମୁଖ ଦାବି କରିଛନ୍ତି।

Tags: #Councillor #SwachhaSathi #SanitationOfficer #Nabarangpur

LEAVE A REPLY

Please enter your comment!
Please enter your name here