ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୨-୨୩ ଖରିଫ୍ ୠତୁରେ ଜିଲ୍ଲାର ମୋଟ ୧୨ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବ୍ଲକକୁ ସାମିଲ କରାଯାଇଛି। ଏଥିପାଇଁ ସୁନ୍ଦରଗଡ଼ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ‘ଆତ୍ମା’, ବୈଷୟିକ ପରାମର୍ଶକାରୀ ସଂସ୍ଥା ୱାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିତରେ ଏକ ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷର ହୋଇଛି। ଫଳରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଚାଷ ପାଇଁ ବଣାଇଁ ବ୍ଲକରେ ପ୍ରକ୍ରିୟା ଆରମ୍ଭ ହୋଇଛି।

ବଣାଇଁ ବ୍ଲକକୁ ମିଶାଇ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୧୨ଟି ବ୍ଲକରେ ଏହି ଚାଷ କରାଯାଉଛି। ୨୦୨୨-୨୩ ଖରିଫ୍ ୠତୁରେ ୬ ହଜାରରୁ ଅଧିକ ହେକ୍ଟର ଜମିରେ ପୁଷ୍ଟିଶସ୍ୟ ଚାଷ କରାଯାଉଥିବା ବେଳେ ଏଥିରେ ୧୩ ହଜାରରୁ ଅଧିକ ଚାଷୀଙ୍କୁ ଯୋଡ଼ାଯାଇଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ବଣାଇଁ ବ୍ଲକ ନୂଆକରି ଯୋଡ଼ି ହୋଇଛି। ତେଣୁ ଏହି ବ୍ଲକରେ ଚଳିତ ବର୍ଷ ୧୦୦ ହେକ୍ଟର ଜମିରେ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ୨୫୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ ୧୨ଟି ବ୍ଲକ ଭିତରୁ ୮ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ମାଣ୍ଡିଆରେ ପ୍ରଚୁର ମାତ୍ରାରେ ପୁଷ୍ଟିକର ଗୁଣ ଭରି ରହିଛି। ଏହା ଏକ ଲାଭଜନକ ଚାଷ ହୋଇଥିବାରୁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ’ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଗଠନ କରାଯାଇ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି।

୨୦୧୮-୧୯ରେ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ମାନଚିତ୍ରରେ ସ୍ଥାନ ପାଇଥିଲା। ଏହା ଅଧୀନରେ ପ୍ରଥମେ ୪ଟି ବ୍ଲକ୍ – କୁତ୍ରା, ନୂଆଗାଁ, କୁଆରମୁଣ୍ଡା ଓ ରାଜଗାଙ୍ଗପୁରରେ ପୁଷ୍ଟିଶସ୍ୟ ଚାଷ ଆରମ୍ଭ କରାଯାଇଥିଲା।

୨୦୨୦-୨୧ରେ ଆଉ ୪ଟି ବ୍ଲକ୍ – ଟାଙ୍ଗରପାଲି, ହେମଗିର, ଲେଫ୍ରିପଡ଼ା ଏବଂ ବାଲିଶଙ୍କରା ବ୍ଲକକୁ ଯୋଡ଼ା ଯାଇଥିଲା। ୨୦୨୧-୨୨ରେ ଗୁରୁଣ୍ଡିଆ, ଲାଠିକଟା ଏବଂ ଲହୁଣୀପଡ଼ା ବ୍ଲକକୁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନର କାର୍ଯ୍ୟକ୍ରମ ସଂପ୍ରସାରଣ କରାଯାଇଥିଲା। ପୁଷ୍ଟିଶସ୍ୟ ଚାଷ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବାରୁ ଯୁବ ଏବଂ ମହିଳା ଚାଷୀମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି।

ମାଣ୍ଡିଆକୁ ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିଛନ୍ତି। ଏହାସହ ମାଣ୍ଡିଆରୁ ଭଳିକି ଭଳି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଉଛି। ଏହି ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ସହ ମିଶନଶକ୍ତି ମା’ମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି କିଓସ୍କ ଖୋଲାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୨୧ଟି ମିଲେଟ୍ ଶକ୍ତି କିଓସ୍କ ଏବଂ ରାଉରକେଲାରେ ଗୋଟିଏ କାଫେ ଖୋଲାଯାଇଛି।

ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ତେଣୁ ପିଲାମାନଙ୍କ ପୋଷଣ ପାଇଁ ଏହାକୁ ବ୍ୟବହାର କରାଯାଉଛି। ସ୍ଥାନୀୟ ଖାଦ୍ୟ ହିସାବରେ ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପିଲାମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡ଼ୁ ଦିଆଯାଉଛି।

Tags: #OdishaMilletMission #Millets #BonaiBlock #Sundargarh

Comment