ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟନମ ଗ୍ଲୋବାଲ୍ ଏଲାୟନ୍ସ ଫର ସଷ୍ଟେନେବଲ୍ ପ୍ଲାନେଟ୍ (ଜିଏସପି)ର ସଦସ୍ୟ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ମିଳିତ ତତ୍ତ୍ଵାବଧାନରେ ବିଶାଖାପାଟଣାର ୨୮ କିଲୋମିଟର ଦୂର ସମୁଦ୍ର ଉପକୂଳ ପରିଷ୍କାର କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା ବିଶାଖାପାଟଣା ବେଳାଭୂମିର ୪୦ଟି ପ୍ରମୁଖ ସ୍ଥାନରେ ପରିଷ୍କାର ପାଇଁ ୨୦ ହଜାରରୁ ଊର୍ଦ୍ଧ୍ଵ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ବିଶାଖାପାଟଣାର ଆର.କେ ବିଚଠାରୁ ୧୭ ଶତାବ୍ଦୀର ଡଚ୍ ଟାଉନସିପ୍ ଭୀମୁନିପାଟନମ ପର୍ଯ୍ୟନ୍ତ ବେଳାଭୂମିରୁ ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ୭୬ ଟନ୍ ଆବର୍ଜନା ହଟାଇ ଏକ ପ୍ରକାରର ରେକର୍ଡ ସୃଷ୍ଟି କରାଯାଇଛି।

ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ବିରୋଧରେ ସ୍ୱର ଉତ୍ତୋଳନ ସହ ସମୁଦ୍ର ବେଳାଭୂମି ଓ ପାଣିକୁ ପରିଷ୍କାର ରଖିବା ପାଇଁ ପାର୍ଲେ କମ୍ପାନି ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ବିଶାଖାପାଟନମରେ ଆୟୋଜିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ଲାଷ୍ଟିକ ରିସାଇକ୍ଲିଂ ପ୍ଲାଣ୍ଟ ପ୍ରତିଷ୍ଠା ଓ ପ୍ଲାଷ୍ଟିକ ଫ୍ଲେକ୍ସିର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ଆନ୍ଧ୍ରପ୍ରଦେଶରେ ୨୦୨୭ ସୁଦ୍ଧା ଏକକ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ, ସମୁଦ୍ରର ଉଦ୍ଭିଦମାନେ ବାୟୁମଣ୍ଡଳକୁ ୭୦ ପ୍ରତିଶତ ଅମ୍ଳଜାନ ଯୋଗାଇଥାନ୍ତି। ଯାହାଦ୍ଵାରା ମଣିଷ ନିଶ୍ୱାସ ନେଇଥାଏ ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ପରିବେଶ ସନ୍ତୁଳନ ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲଟି ପ୍ରଶାସନ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଏ ସୁରେଶ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଗୁଦିଭଡ଼ା ଅମରନାଥ, ମେୟର ଜି ହରି ଭେଙ୍କଟା କୁମାରୀ, ଜିଲ୍ଲା କଲେକ୍ଟର ଏ ମଲ୍ଲିକାର୍ଜୁନ ଏବଂ ମ୍ୟୁନିସିପାଲଟି କମିଶନର ଜି ଲକ୍ଷ୍ମୀସା ପ୍ରମୁଖ ଉପସ୍ଥିତ ଥିଲେ।

Tags: #AndhraPradeshGovt #AndhraCMJaganMohanReddy #BanSingleUsePlastic #RecyclingPlasticPlant

Comment