ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ
  • କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ମାଣ୍ଡିଆ, ପନିପରିବା ଏବଂ କଫି ସ୍ୱତନ୍ତ୍ର
  • ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ହେବ
  • ଜନଜାତିଙ୍କୁ ସେମାନଙ୍କ ଭାଷାରେ ଶିକ୍ଷା ଦିଆଗଲେ ସେମାନଙ୍କ ପ୍ରାଥମିକ ଶିକ୍ଷା ବିକାଶରେ ଅଭିବୃଦ୍ଧି ହେବ
  • ଶିକ୍ଷାର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି
  • ଲୋକଙ୍କ ଟିକସରେ ଦେଶର ଶିକ୍ଷାନୁଷ୍ଠାନ ଚାଲୁଛି

(କୋରାପୁଟ): କୋରାପୁଟରେ ଜୈବିକ ପ୍ରଣାଳୀରେ ଉତ୍ପାଦନ ହେଉଥିବା ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରକୁ ନେବାକୁ ହେବ। ଏଥିପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ସାହାଯ୍ୟ ନେଉ ଏବଂ ଗବେଷଣା ଦ୍ୱାରା ଜିଲ୍ଲାର ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ଦିଗରେ ସହଯୋଗୀ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଦାରିଦ୍ର୍ୟତା ଦୂର କରିବାର ଏକମାତ୍ର ଚାବିକାଠି ହେଉଛି ଶିକ୍ଷା। ଶିକ୍ଷାର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି। ଏହି ଶିକ୍ଷା ନୀତି ମାଧ୍ୟମରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ମିଶି ସଂକଳ୍ପ ନେବା ଦରକାର।

ସେ କହିଥିଲେ ନୂଆ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଉଛି। ଜନଜାତିଙ୍କ ସଶକ୍ତୀକରଣ ମଧ୍ୟ ସେମାନଙ୍କ ଭାଷାରେ ହିଁ ଅନ୍ତର୍ନିହିତ। ଜନଜାତିଙ୍କୁ ସେମାନଙ୍କ ସ୍ଥାନୀୟ ଭାଷାରେ ଶିକ୍ଷା ଦିଆଗଲେ ଜନଜାତିଙ୍କ ପ୍ରାଥମିକ ଶିକ୍ଷାର ବିକାଶରେ ଅଭିବୃଦ୍ଧି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଲୋକଙ୍କ ଟିକସରେ ଆମ ରାଜ୍ୟ ଓ ଦେଶର ଶିକ୍ଷାନୁଷ୍ଠାନ ଚାଲୁଛି। ଏହା ପ୍ରତିବଦଳରେ ଆମର ଦାୟିତ୍ୱ ହେଉଛି ଶିକ୍ଷା ମାଧ୍ୟମରେ ସାଧାରଣ ଲୋକଙ୍କୁ ସେମାନଙ୍କ ଟିକସର ଉଚିତ ପ୍ରାପ୍ୟ ଦେବା। ଭାରତକୁ ଶିକ୍ଷିତ ସମାଜ ଭାବେ ପ୍ରତିଷ୍ଠା କରିବା ଏବଂ ପରିଶ୍ରମ, ପରାକାଷ୍ଠା ଓ ପୁରୁଷାର୍ଥ ବଳରେ ନିଷ୍ପେସିତ ଲୋକଙ୍କ ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି।

କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ହେଉଥିବା ଧାନ, ଆମ୍ବ, ମାଣ୍ଡିଆ, ପନିପରିବା ଏବଂ କୋରାପୁଟ କଫି ସ୍ୱତନ୍ତ୍ର। ପ୍ରଧାନମନ୍ତ୍ରୀ ମନ୍ କି ବାତରେ ମିଲେଟ୍ ବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ଉପରେ କହିଛନ୍ତି। ତେଣୁ ଏ ଦିଗରେ ଆମକୁ ପ୍ରାଥମିକତା ଦେବାକୁ ହେବ। କୋରାପୁଟର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ତମ ସ୍ୱାଧୀନତା ଦିବସ ଅବସରରେ ବିକଶିତ ଭାରତ ସହ ପାଞ୍ଚଟି ସଂକଳ୍ପ ନେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅପାର ସମ୍ଭାବନାର ଅଞ୍ଚଳର କୋରାପୁଟକୁ ବିନିର୍ମାଣ କ୍ଷେତ୍ରର ପେଣ୍ଠସ୍ଥଳୀ କରିବା। ବକ୍ସସାଇଟର ରପ୍ତାନୀ କଲେ ହେବ ନାହିଁ ବରଂ କୋରାପୁଟରେ ଉଚ୍ଚମାନର ଆଲୁମିନିୟମ ବିନିର୍ମାଣ କେନ୍ଦ୍ର ସ୍ଥାପନା କରିବାକୁ ହେବ। ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବା ପାଇଁ ସହଯୋଗୀ ହେବା ଓ ଦେଶର ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ସାମୂହିକ ଉଦ୍ୟମ କରିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଦେଶକୁ ସ୍ୱାଧୀନତା ଦେବା ଓ ଆଧୁନିକ ଓଡ଼ିଶା ନିର୍ମାଣ କରିବା ତଥା ନାଗରିକଙ୍କୁ ଗଣତନ୍ତ୍ରର ଅଧିକାର ଦେବାରେ କୋରାପୁଟର ଜନଜାତି ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାଏକ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂଙ୍କ ଭଳି ଅନେକ ନେତୃତ୍ୱଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Tags: #CentralUniversity #FoundationDay #Celebration #UnionMinisterDharmendraPradhan

Comment