ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଁଖାଇ ଲାଗି ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମ ଓଡ଼ିଶାର ଗାଁଠାରୁ ସହର। ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଁଖାଇରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବ। ସମସ୍ତେ ନୂଆବସ୍ତ୍ର ପିନ୍ଧି ଏକାଠି ହୋଇ ନୂଆଁ ଖାଇବେ।

କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀମାନଙ୍କ ନୂଆଁଖାଇରେ କିଛିଟା ଭିନ୍ନତା ଦେଖିବାକୁ ମିଳେ। ଆଦିବାସୀ ସମ୍ପ୍ରଦାୟର ଲୋକେ ନୂଆଁଖାଇର ଗୋଟିଏ ଦିନ ପୂର୍ବରୁ ହିଁ ଉତ୍ସବ ପାଳନ କରିଥାନ୍ତି। ଏମାନେ ନିଜ ପୂର୍ବପୁରୁଷଙ୍କଠାରେ ନବାନ୍ନ ଲାଗି କରି ନୂଆଁଖାଇ ଉତ୍ସବ ପାଳନ କରିଥାନ୍ତି। ପତ୍ରରେ ତିଆରି ଖଲି ଏବଂ ଦନାରେ ସେମାନେ ନୂଆଁ ଖାଇଥାନ୍ତି। ନିଜ ପାରମ୍ପରିକ ନାଚଗୀତରେ ମଜ୍ଜିଯାଆନ୍ତି ସୁନ୍ଦରଗଡ଼ର ଆଦିବାସୀ ସମ୍ପ୍ରଦାୟ।

ନୂଆଁଖାଇରେ ସାମିଲ ହେବାକୁ ଘରକୁ ଫେରୁଛନ୍ତି ଘରବାହାରେ ରହୁଥିବା ପଶ୍ଚିମ ଓଡ଼ିଶା ବାସିନ୍ଦା। ନୂଆ ପୋଷାକ କିଣିବା ସହ ନାନା ନୂଆ ଜିନିଷରେ ସଜେଇଛନ୍ତି ଘର। ଗାଁଠାରୁ ସହର ନୂଆଁଖାଇ ପାଇଁ ନୂଆ ନୂଆ ଦିଶୁଛି। ଏବେଠୁ ନାଚଗୀତର ଆସର ଜମୁଛି।

Tags: #Nuakhai #Celebration #Culture #Nuakhaicelebration

Comment