ଓଡ଼ିଶାଲାଇଭ୍ ବ୍ୟୁରୋ

କୁନା ପାତ୍ର (ନବରଙ୍ଗପୁର): ନବରଙ୍ଗପୁର ପୌର ସଂସ୍ଥା ପକ୍ଷରୁ ସ୍ୱାୟତ ଶାସନ ଦିବସ  ପାଳିତ ହୋଇଯାଇଛି। ପୂର୍ବାହ୍ନରେ ପୌର ଅଧ୍ୟକ୍ଷ କୁନୁ ନାୟକ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପରିଷଦ ଓ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ଶାସ୍ତ୍ରୀ ଭବନ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ସ୍ୱାୟତ ଶାସନ ଦିବସର ଆଭିମୁଖ୍ୟ ସମ୍ପର୍କରେ ମତ ଦେଇଥିଲେ। ନବରଙ୍ଗପୁର ସହର ସୁନ୍ଦର ଓ ସୁସ୍ଥ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଳାପାଳ କମଳ ଲୋଚନ ମିଶ୍ର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଜିଲାପାଳ ଭାସ୍କର ରୋଇତ ପ୍ରମୁଖ ଉପସ୍ଥିତ ରହି କାଉନସିଲର ଓ କର୍ମକର୍ତ୍ତା ମଧ୍ୟରେ ସମନ୍ୱୟ ରହି ବିକାଶ କରିବାକୁ ପଡିବ ବୋଲି କହିଥିଲେ।

ପୌର ଅଧ୍ୟକ୍ଷ କୁନୁ ନାୟକ ସଭାପତିତ୍ୱ କରି କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ସହରର ବିକାଶ ହେବ। ଶାସ୍ତ୍ରୀ ଭବନ ସ୍ଥାନରେ ଅଡିଟୋରିୟମ କରାଯିବ ବୋଲି ସେ କହିଥିଲେ।  ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ସଂଯୁକ୍ତା ପଣ୍ଡା ଯୋଗ ଦେଇ ସ୍ୱାୟତ ଶାସନ ଗଠନ, କାର୍ଯ୍ୟକାରିତା ଓ ଏହାର ପରିଚାଳନା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।

ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ କାଉନସିଲର ଏବଂ ଶ୍ରେଷ୍ଠ ସଫେଇ କର୍ମଚାରୀ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।

କର୍ମଚାରୀ ଜ୍ୟୋତି ପରିଛା ମଞ୍ଚ ସଞ୍ଚାଳନ କରିଥିବାବେଳେ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମରେ ପୋୖର ସଂସ୍ଥାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Tags: #LSGday #nabarangapurLSG

 

Comment