ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଜାତୀୟ ନଡ଼ିଆ ଦିବସ। ନଡ଼ିଆ ପାଟିକୁ ଯେତେ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ । ନଡ଼ିଆର ବିଭିନ୍ନ ଅଂଶକୁ ଆମେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ। ନଡ଼ିଆ କତା ଠାରୁ ଆରମ୍ଭ କରି ନଡ଼ିଆ ଷଢ଼େଇ ପର୍ଯ୍ୟନ୍ତ ସବୁ ଅଂଶକୁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ। ତେବେ ନଡ଼ିଆ କତାରେ ବିଭିନ୍ନ ଘରସଜ୍ଜା ସାମଗ୍ରୀ, ଖେଳଣା, ପାପୋଛ ଆଦି ପ୍ରସ୍ତୁତ କରାଯାଉଛି। ସେହିପରି ନଡ଼ିଆ ଷଢ଼େଇରେ ପ୍ରସ୍ତୁତ ସାମଗ୍ରୀ ବର୍ତ୍ତମାନ ବ୍ୟବସାୟର ମାଧ୍ୟମ ପାଲଟିଛି। ନଡ଼ିଆ ଦିବସରେ ଭୁବନେଶ୍ୱରର କିଛି ଚିତ୍ରଶିଳ୍ପୀ ସୁନ୍ଦର ଚିତ୍ର ଅଙ୍କନ କରି ଏହି ଫଳର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେବାକୁ ଚାହିଁଛନ୍ତି।

ନଡ଼ିଆରେ କାଳିଆ

ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଞ୍ଚଳର ଚିତ୍ରଶିଳ୍ପୀ ସିଲିପ୍ରଭା ପରିଡ଼ା। ଯୁକ୍ତ ଦୁଇରେ ପଢ଼ୁଥିବା ଚିତ୍ରଶିଳ୍ପୀ ଗୋଟା ନଡ଼ିଆରେ ପ୍ରସ୍ତୁତ କରିଛନ୍ତି ‘କାଳିଆ’ ଚିତ୍ର। ନଡ଼ିଆ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ଫଳ ହୋଇଥିବାବେଳେ ଏଥିରେ ମହାପ୍ରଭୁଙ୍କର ଚିତ୍ର ଅଙ୍କନ କରି ନଡ଼ିଆର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେବାକୁ ଚାହୁଁଥିବା ସିଲିପ୍ରଭା କହିଛନ୍ତି। ୱାଟର କଲର ବ୍ୟବହାର କରି  ୩୦ ମିନିଟ୍ ସମୟରେ ସେ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି। ଜଗନ୍ନାଥଙ୍କର ଅବିକଳ ପ୍ରତିଛବି ନଡ଼ିଆ ଉପରେ ଶୋଭା ପାଉଛି।

କଷି ପଇଡ଼ରେ ଜଗନ୍ନାଥ

ରସୁଲଗଡ଼ ଅଞ୍ଚଳର ଜଣାଶୁଣା ଚିତ୍ରଶିଳ୍ପୀ ତଥା ସଫ୍ଟୱେୟର ଇଞ୍ଜିନିଅର ପ୍ରିୟଙ୍କା ସାହାଣୀ କଷି ପଇଡ଼ରେ ଆଙ୍କିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଚିତ୍ର। ୧.୫ଇଞ୍ଚର କଷି ପଇଡ଼ରେ ଅତି ନିଖୁଣ ଢ଼ଙ୍ଗରେ ସେ ମହାପ୍ରଭୁଙ୍କୁ ଚିତ୍ରିତ କରିଛନ୍ତି। ଏକ୍ରିଲିକ ରଙ୍ଗରେ ସେ ଏହି ଚିତ୍ରକଳା କରିଛନ୍ତି। ପ୍ରଭୁ ହାତରେ ଶଙ୍କ ଚକ୍ର ଧରିଥିବା ଏହି ଚିତ୍ରରେ ଦେଖିବାକୁ ମିଳୁଛି। ସବୁ ଦେବଦେବୀଙ୍କର ପ୍ରିୟ। ଛୋଟବେଳେ ଦାସିଆ ବାଉରୀଙ୍କ ଭକ୍ତିର ମହାତ୍ମ୍ୟ ଶୁଣିଥିଲେ। ସେଇଠୁ ନଡ଼ିଆରେ ଚିତ୍ର କରିବାର ଇଚ୍ଛା ଆସିଥିଲା ବୋଲି ପ୍ରିୟଙ୍କା କହିଛନ୍ତି। ତେବେ ପ୍ରିୟଙ୍କା ବିଭିନ୍ନ ସମୟରେ ନଡ଼ିଆ ଉପରେ ବିଭିନ୍ନ କଳାକୃତି ନଡ଼ିଆର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ଦେଇଛନ୍ତି।

ନଡ଼ିଆ ଷଢ଼େଇରେ ନିଖୁଣ ଚିତ୍ର

ନଡ଼ିଆକୁ ଖାଦ୍ୟ ବା ତେଲ ବାହର କରିବାରେ ବ୍ୟବହାର କରିବା ପରେ ଅନେକଙ୍କ ପାଇଁ ଷଢ଼େଇ ବଜ୍ୟବସ୍ତୁ ହୋଇପଡ଼େ। ତେବେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଚିତ୍ରଶିଳ୍ପୀ ରାଜକିଶୋର ମହାରଣାଙ୍କ ପାଇଁ ପରିତ୍ୟକ୍ତ ଷଢ଼େଇ ପାଲଟିଯାଏ କାନଭାସ୍। ସେ ଘରେ ବ୍ୟବହାର କରୁଥିବା ନଡ଼ିଆର ଷଢ଼େଇରେ ସୁନ୍ଦର ଚିତ୍ର ଅଙ୍କନ କରି ପୁନଃ ବ୍ୟବହାର ଉପଯୋଗୀ କରିଥାଆନ୍ତି।

ଡ଼ାଇନିଂ ଟେବୁଲ ଉପରେ ଏହି ଚିତ୍ରିତ ଷଢ଼େଇରେ ଲୁଣ ଆଦି ଜିନଷ ରଖିଥାଆନ୍ତି। ନଡ଼ିଆର ପ୍ରତ୍ୟକ ଅଂଶ ଆମ ପାଇଁ ବ୍ୟବହାର ଉପଯୋଗୀ ବୋଲି ସେ ତାଙ୍କ ଚିତ୍ର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।

Tags: #WorldCoconutDay #Artoncoconut #ArtandCraft #PriyankaSahani #RajkishoreMaharana #SilipravaParida #shreegannath

 

LEAVE A REPLY

Please enter your comment!
Please enter your name here