ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କୌଣସି ସଂଗଠନ ହେଉ କିମ୍ବା ପରମ୍ପରା, ସମୟ ପରିବର୍ତ୍ତନ ହେବା ସହ ତାହା ଧୀରେ ଧୀରେ ମଉଳି ଯାଏ। କିନ୍ତୁ ବିଶାଖାପାଟଣା ସହରରେ ରହିଥିବା ପ୍ରବାସୀ ଓଡ଼ିଆ ୪୪ ବର୍ଷ ହେଲା ନିଜର ପରମ୍ପରାକୁ ସାଇତି ରଖିଛନ୍ତି। ବିଶାଖାପାଟଣା ସହରର ମେଘାଦ୍ରିପେଟା ନୌସେନାର ସିଭିଲିଆନ କଲୋନୀରେ ରହୁଥିବା ପ୍ରବାସୀ ଓଡ଼ିଆ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ପାଳନ କରି ଏହାକୁ ଆଉ ପାଦେ ଆଗକୁ ନେଇଛନ୍ତି।

୧୯୭୮ ମସିହାରେ ପୂର୍ବତଟ ନୌସେନାର ଡକୟାର୍ଡରେ ସିଭିଲିଆନ କର୍ମଚାରୀ ରୂପେ କାର୍ଯ୍ୟରତ ୧୦ ପ୍ରବାସୀ ଓଡ଼ିଆ ପରିବାର ଏକାଠି ହୋଇ ପ୍ରଥମେ ଗଣେଶ ପୂଜାର ଆୟୋଜନ କରିଥିଲେ। ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ବର୍ତ୍ତମାନ ୫୦୦ରୁ ଊର୍ଦ୍ଧ୍ଵ ପରିବାରରେ ପହଞ୍ଚିଛି। ଏଠି ସାର୍ବଜନିକ ଗଣେଶ ପୂଜା କମିଟି ଦ୍ଵାରା ୪୪ ବର୍ଷ ଧରି ଅନବରତ ଗଣେଶ ପୂଜାର ଆୟୋଜନ ହେଉଛି। ଏହି କଲୋନୀରେ ପ୍ରବାସୀ ଓଡ଼ିଆଙ୍କ ସହ ସାରା ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଭିନ୍ନ ଭିନ୍ନ ଜାତିର ଲୋକ ବସବାସ କରନ୍ତି। କିନ୍ତୁ ଏଠାରେ ଆୟୋଜିତ ୩ ଦିନ ଗଣେଶ ପୂଜା କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆଙ୍କ ସହ ସେମାନେ ଏକତ୍ରିତ ହୋଇ ଏହାର ଆୟୋଜନରେ ସହଯୋଗ କରିଥାନ୍ତି।

ଏଠାରେ କାର୍ଯ୍ୟରତ ବହୁ ଓଡ଼ିଆ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ପରେ ନିଜ ରାଜ୍ୟ ଓଡ଼ିଶାକୁ ଫେରି ଯାଇଥିଲେ ସୁଦ୍ଧା ଆସୁଥିବା ନୂତନ ଓଡ଼ିଆମାନେ ଏହି ସଂଗଠନକୁ ଆଗେଇ ନେଉଛନ୍ତି। ସଂଗଠନ ସମ୍ପାଦକ ପ୍ରଦୀପ କୁମାର ବିଶ୍ଵାଳ କୁହନ୍ତି, “ମୁଁ ୩୮ ବର୍ଷ ପୂର୍ବେ ଡକୟାର୍ଡରେ ଯୋଗ ଦେବା ସମୟଠାରୁ ଏହି ସଂଗଠନ ସହ ଜଡ଼ିତ, ବହୁ ବାଧାବିଘ୍ନ ଆସିଛି କିନ୍ତୁ ତାହା କୌଣସି ରୂପେ ସଂଗଠନକୁ ପ୍ରଭାବିତ କରିପାରିନାହିଁ। ଏହି ଗଣେଶ ପୂଜାରୁ ହିଁ ଆନ୍ଧ୍ରପ୍ରଦେଶର ସବୁଠାରୁ ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ଜନ୍ମ ନେଇଛି।”

ମେଘାଦ୍ରିପେଟା ସିଭିଲିଆନ କଲୋନୀରେ ପ୍ରତ୍ୟେକ ବର୍ଷ ଗଣେଶ ପୂଜା ୩ ଦିନ ଧରି ବହୁ ଧୁମଧାମରେ ଆୟୋଜନ ହେଇଥାଏ। ଓଡ଼ିଶାରୁ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ପରିବେଷଣ କରାଯାଇଥାଏ। ତେବେ ଚଳିତ ବର୍ଷ ଓଡ଼ିଶାର କଟକରୁ ଆସିଥିବା ଡ୍ୟାଜଲିଙ୍ଗ ଷ୍ଟାର ମେଲୋଡି ଲୋକଙ୍କୁ ବହୁ ଆକର୍ଷିତ କରିଥିଲା। କାର୍ଯ୍ୟକ୍ରମରେ ବିଶାଖାପାଟଣା ରେଲୱେ ମୁଖ୍ୟ ପ୍ରବନ୍ଧକ ଅନୁପ କୁମାର ଶତପଥୀ ଓ ଉପମୁଖ୍ୟ ପ୍ରବନ୍ଧକ ମନୋଜ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରବାସୀ ଓଡ଼ିଆମାନେ ନିଜ ଜନ୍ମ ମାଟିଠାରୁ ଦୂରରେ ରହି ଓଡ଼ିଆ କଳା, ସଂସ୍କୃତି ଓ ଏକତାକୁ ବଜାୟ ରଖିଥିବାରୁ ମେଘାଦ୍ରିପେଟା କଲୋନୀ ସହ ନିକଟ କଲୋନୀର ବାସିନ୍ଦାମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି।

Tags: #PrabashiOdia #Vishakhapatnam #Odia #GaneshPuja #Celebration #Tradition

Comment