ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର କ୍ୟାମ୍ପସରେ ସୋଆ ଇଣ୍ଟରନ୍ୟାସ୍‍ନାଲ୍‍ ମଡେଲ୍‍ ୟୁନାଇଟେଡ୍‍ ନେସନ୍ସ(ସୋଆ ମୁନ୍‍)୫ମ ସଂସ୍କରଣ ଉଦ୍‍ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ଶୁକ୍ରବାର ଉଦଘାଟିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ କୁଟନୀତି, ଆନ୍ତର୍ଜାତିକ ସମ୍ପର୍କ ଓ ଜାତିସଂଘ ସମ୍ପର୍କରେ ଆଲୋଚନା କରାଯିବ। ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ଡାକ୍ତରୀ ଏବଂ ବୈଜ୍ଞାନିକ ବ୍ୟବହାର ସହିତ ଏହାର ଅପବ୍ୟବହାରରେ ରୋକ୍ ଲଗାଇବା, ସାମାଜିକ ଜୀବନରେ ମହିଳାଙ୍କର ଯୋଗଦାନ, ଲିଙ୍ଗଗତ ହିଂସା ଏବଂ ୟୁକ୍ରେନ୍‍ ଉପରେ ରୁଷିଆର ଆକ୍ରମଣ ପରେ ଦେଖାଯାଇଥିବା ସ୍ୱାସ୍ଥ୍ୟଜନିତ ପରିସ୍ଥିତିକୁ ଏଡ଼ାଇବା ଭଳି ପ୍ରସଙ୍ଗରେ ମତବିନିମୟ ହେବ।

ସେହିପରି ୟୁକ୍ରେନ୍‍ରେ କିଭଳି ଶାନ୍ତି ଫେରିଆସିବ ତାହା ନେଇ ଛାତ୍ର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିବେ। ଚଳିତ ବର୍ଷ କାର୍ଯ୍ୟକ୍ରମରେ ୫ଟି କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ହେଲା ୟୁଏନ୍‍ ଜେନେରାଲ୍‍ ଆସେମ୍ବଲି ଡିସ୍‍ଆର୍ମାମେଣ୍ଟ ଆଣ୍ଡ ଇନ୍‍ଟରନ୍ୟାସ୍‍ନାଲ୍‍ ସିକ୍ୟୁରିଟି କମିଟି (ୟୁଏନ୍‍ଜିଏ-ଡ଼ିଆଇଏସ୍‍ଇସି), ୱାର୍ଲ୍ଡ ହେଲ୍‍ଥ ଆସେମ୍ବଲି (ଡବ୍ଲୁଏଚ୍‍ଏ), ୟୁଏନ୍‍ କମିଶନ୍‍ ଅନ୍‍ ଦ ଷ୍ଟାଟ୍‍ସ୍‍ ଅଫ୍‍ ଓମେନ୍‍ (ୟୁଏନ୍‍ସିଏସ୍‍ଡବ୍ଲୁ), ୟୁଏନ୍‍ ଅଫିସ୍‍ ଅନ୍‍ ଡ୍ରଗ୍ସ ଆଣ୍ଡ କ୍ରାଇମ୍‍ (ୟୁଏନ୍‍ଓଡିସି) ଏବଂ ଇଂଟରନ୍ୟାସ୍‍ନାଲ୍‍ ପ୍ରେସ୍‍ (ଆଇପି)।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଶ୍ୱ ବର୍ତ୍ତମାନ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଜଳବାୟୁ ପରିବର୍ତ୍ତନ ଏହା ମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ବୋଲି ସେ କହିଥିଲେ। ଏ ଦିଗପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ।

ସୋଆର ଛାତ୍ର ମଙ୍ଗଳ ଡିନ୍‍ ତଥା ସୋଆ ମୁନ୍‍ର କନ୍‍ଭେନର୍‍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କୋ-କନ୍‍ଭେନର ଡକ୍ଟର ସୌର୍ଯ୍ୟ ରଞ୍ଜନ ଦାସ, ସେକ୍ରେଟାରୀ ଜେନେରାଲ ଶାଶ୍ୱତ ମହାପାତ୍ର ଏବଂ ଡାଇରେକ୍ଟର ଜେନେରାଲ୍‍ ଉମାଶଙ୍କର ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ।

Tags: #SOA #SOAIMUN #Students #WHA #UNODC #IP #UNCSW

Comment