ଗୀତା ଦାସ

ବର୍ତ୍ତମାନ ଆତ୍ମହତ୍ୟା ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି। କାହିଁକି ଜଣେ ଏଭଳି ଏକ ଚରମ ପଦକ୍ଷେପ ନେଇଥାଏ? ଆତ୍ମହତ୍ୟା କରିବା ଭଳି ମାନସିକତା ଆସିଲେ ସେଥିରୁ କିପରି ମୁକୁଳିବା ଏବଂ ଆତ୍ମହତ୍ୟାର ପ୍ରତିରୋଧ କିପରି କରିବା ସେ ନେଇ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଗୀତା ଦାସ।

ଆତ୍ମହତ୍ୟା ବିଷୟରେ ଆମେ ଅନେକ କଥା ଜାଣୁ, କିନ୍ତୁ ଏ ବିଷୟରେ ଅନୁଭୂତି ନଥିବାରୁ ଠିକ୍ ଭାବରେ ବୁଝିବା ସମ୍ଭବ ନୁହେଁ। ତେଣୁ ଆଇନ ଅନୁସାରେ ଆତ୍ମହତ୍ୟା ହେଲା ବଡ଼ ଅପରାଧ। ସେଥିପାଇଁ ତ ଆତ୍ମହତ୍ୟାରେ ବିଫଳ ହୋଇଥିବା ମଣିଷ ବିରୋଧରେ ପୋଲିସ୍ କେସ୍ ହେବାର ସମ୍ଭାବନା ରହିଥାଏ। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ଘଟଣା ବିଷୟରେ ସଠିକ୍ ତଥ୍ୟ କାହା ପାଖରେ ନାହିଁ। ଏଥିପାଇଁ ଏବେ ମଧ୍ୟ ଆତ୍ମହତ୍ୟା ଘଟଣାକୁ ସ୍ଵାଭାବିକ ମୃତ୍ୟୁ ବୋଲି ରିପୋର୍ଟରେ ଲେଖା ହୁଏ।

ଅଧିକାଂଶ ଧର୍ମରେ ଆତ୍ମହତ୍ୟାକୁ ମହାପାପ ବୋଲି କୁହାଯାଏ। ତେଣୁ ସତ୍କାର ଓ ଶ୍ରାଦ୍ଧକର୍ମ ପାଇଁ ବିଧି ବିଧାନମାନ ଅନ୍ୟ ପ୍ରକାରର ରହିଥାଏ। ଯିଏ ଆତ୍ମହତ୍ୟା କରେ ତା’ ଆତ୍ମାର ସଦଗତି ହୁଏ ନାହିଁ ବୋଲି ଧରାଯାଏ। ହିନ୍ଦୁ ଧର୍ମରେ ଆତ୍ମହତ୍ୟାର ବିଚାର ଜଟିଳ। ସ୍ଵାଧୀନତା ଆନ୍ଦୋଳନ ବେଳେ ଯେଉଁମାନେ ବିଦେଶୀ ଶାସକର ଗୁଳି ମାଡ଼ରେ ମଲେ, ସେମାନଙ୍କୁ ଆମେ ବୀର ବୋଲି ଭାବୁ। ଆତ୍ମବଳି ସେମାନଙ୍କର ସାହସ, ତ୍ୟାଗ ଓ ଦେଶଭକ୍ତିକୁ ସୂଚାଏ। ସେମାନଙ୍କୁ ସମସ୍ତେ ସମ୍ମାନ କରନ୍ତି। ଧର୍ମ ଅନୁସାରେ ଯିଏ ମୁହାଁମୁହିଁ ଯୁଦ୍ଧ କରି ମରେ ସେ ସ୍ଵର୍ଗକୁ ଯାଏ।

ସେମିତି ଚିତୋରର ରାଣୀ ପଦ୍ମିନୀ ନିଜର ସମ୍ମାନ ଓ ଇଜ୍ଜତ ରକ୍ଷା କରିବା ପାଇଁ ଅଗ୍ନିକୁ ଝାସ ଦେଇଥିଲେ। ଏ ଘଟଣାକୁ କେହି ଆତ୍ମହତ୍ୟା ବୋଲି କୁହନ୍ତି ନାହିଁ, କୁହନ୍ତି ଆତ୍ମାହୁତି। ଅର୍ଥାତ ନିଜକୁ ଆହୁତି ଦେଲେ ଆମ ଭାଷାରେ ଘଟଣା ଅନୁସାରେ ଆତ୍ମହତ୍ୟାକାରୀର ଉଦ୍ଦେଶ୍ୟ ଅନୁସାରେ ଭଲ ଏବଂ ମନ୍ଦ କାମର ବିଚାର କରାଯାଏ ଏବଂ କେଉଁ ଘଟଣା ଆତ୍ମହତ୍ୟା ଓ କେଉଁ ଘଟଣା ଆତ୍ମବଳି ବିଚାର କରି ସେହି ଅନୁସାରେ ଦୋଷ ଓ ନିର୍ଦୋଷ ବିଷୟ ସ୍ଥିର ହୁଏ।

ବୋଧହୁଏ ଆତ୍ମହତ୍ୟାରୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ‘ଋଣଛାଡ଼’ର ବ୍ୟବସ୍ଥା କରାଯାଏ। ଛାତ୍ରଛାତ୍ରୀଙ୍କର ବିଫଳତା ଯୋଗୁଁ ଆତ୍ମହତ୍ୟା ଘଟଣା ବଢ଼ୁଛି ବୋଲି ମତାମତ ଦିଆଯାଏ। ପ୍ରକୃତ ତଥ୍ୟ ଜାଣିବା ପାଇଁ ଓ କ’ଣ କଲେ ଆତ୍ମହତ୍ୟା ଘଟଣା କମିବ, ସେ ବିଷୟ ନେଇ କୌଣସି ବ୍ୟବସ୍ଥା ନାହିଁ। ସବୁ ଋଣଗ୍ରସ୍ତ ଲୋକ ଆତ୍ମହତ୍ୟା କରନ୍ତି ନାହିଁ। ଅନେକ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ୍ ହେଲ ପୁନର୍ବାର ଚେଷ୍ଟା କରନ୍ତି। କିନ୍ତୁ ଆତ୍ମହତ୍ୟା କରନ୍ତି ନାହିଁ।

ଯଦି ଜଣକର ବ୍ୟବସାୟ ବୁଡ଼ିଯାଏ କିମ୍ବା କିଏ ଚାକିରୀରୁ ବରଖାସ୍ତ ହୁଏ ତେବେ ସେ ସାମୟିକ ଭାବରେ ଭାଙ୍ଗି ପଡ଼ିଲେ ମଧ୍ୟ, ପୁଣି ଉଠି ଠିଆ ହେଉଛି। ଜାଣିବା କଥା ଯେ, ଆତ୍ମହତ୍ୟାର କାରଣ ହେଲା, ବହୁ କାରଣ ମିଶି ଯେତେବେଳେ ମଣିଷକୁ ବାଟବଣା କରେ, ଯନ୍ତାରେ ପଡ଼ିଥିବା ମୂଷା ପରି କୌଣସି ଭାବରେ ମୁକୁଳି ନପାରି ଅସହ୍ୟ ମାନସିକ ଯନ୍ତ୍ରଣାରେ ଘାରି ହୁଏ। ସେତେବେଳେ ସେ ଆତ୍ମହତ୍ୟା କଲେ ଯନ୍ତ୍ରଣାରୁ ମୁକ୍ତି ପାଇବ ଭାବି ସେଇ ବାଟରେ ଯାଇଥାଏ। ତେଣୁ ଯଦି କେହି ତାକୁ ମୁକୁଳିବାର ବାଟ ଦେଖାଏ, ତା’ର ମନର ଭାର କମାଏ ହୁଏତ ଜଣେ ଆତ୍ମହତ୍ୟାର ନିଷ୍ପତ୍ତି ବଦଳାଇ ଦେଇପାରେ।Mental health

ପିଲାଦିନର ଏକ ଅନୁଭୂତିକୁ ମନେ ପକାଇ ଲେଖକ କହିଛନ୍ତି, ଯିଏ ବିଷ ଖାଇ ମଲା, ସେ ସାପକାମୁଡ଼ାରେ ମଲା ବୋଲି କୁହାହେଉଥିଲା। ଯିଏ ବେକରେ ଦଉଡ଼ି ଦେଇ ମଲା, ତାକୁ ଡକାଏତ ମାରିଛି ବୋଲି କୁହାଯାଉଥିଲା। ଏହିଭଳି ଆଉ ଗୋଟାଏ କାରଣ କହି ଘଟଣାଟିକୁ ଅନ୍ୟରୂପ ଦିଆଯାଉଥିଲା।

ବହୁ ଧର୍ମରେ ଆତ୍ମହତ୍ୟା ମହାପାପ ବୋଲି କୁହାଯାଇଛି। ବର୍ତ୍ତମାନ ଯୁଗରେ ପାପ ବୋଲି ହୁଏତ ଲୋକେ ଭାବନ୍ତି ନାହିଁ। କିନ୍ତୁ କଳଙ୍କ ବୋଲି ଭାବନ୍ତି। ଏମିତି କି ଘଟଣାସ୍ଥଳରୁ ମିଳିଥିବା ଅନେକ ‘ସୁଇସାଇଡ ନୋଟ’କୁ ଘରଲୋକ ନଷ୍ଟ କରିଦିଅନ୍ତି ଓ ଅନେକେ “ମୋ ଆତ୍ମହତ୍ୟା ପାଇଁ ମୁଁ ଦାୟୀ” ବୋଲି ଲେଖିଥାନ୍ତି। ଫଳରେ ଜଣେ ଆତ୍ମହତ୍ୟା କଲାପରେ, ତା’ର ସଠିକ୍ ତଥ୍ୟ କାହାକୁ ଜଣାପଡ଼ିନଥାଏ।

ଅନ୍ୟମାନେ ମୋତେ କ’ଣ ଭାବିବେ? ଏ ଚିନ୍ତା ଆମ ସମସ୍ତଙ୍କ ମନରେ ରହିଛି। ତେଣୁ ଯେଉଁସବୁ କଥାବାର୍ତ୍ତା ଏବଂ ବ୍ୟବହାର ଅନ୍ୟ ଲୋକ ନାପସନ୍ଦ କରନ୍ତି ନାହିଁ ତାକୁ ଆମେ ବାହାରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି। ତା’ ଛଡ଼ା ସାହାଯ୍ୟ ଖୋଜିଲେ ପ୍ରକୃତ ସାହାଯ୍ୟ ମିଳିବ କି ନାହିଁ ବୋଲି ମନରେ ସଂଶୟ ଜାତ ହୁଏ। ନିଜ କଥାକୁ କହିଲେ ହୁଏତ ପରଚର୍ଚ୍ଚାର ବିଷୟ ପାଲଟିବାର ଭୟ ମନକୁ ଆସେ। ମନର ଏ ସବୁ ଦକ ଯୋଗୁଁ ନିଜର ମାନସିକ ଯନ୍ତ୍ରଣା, ଅସହାୟତା, ହତାଶା ଓ ନୈରାଶ୍ୟ ଯୋଗୁଁ ନିଜ ମନ କଥା ଖୋଲାଖୋଲି ଭାବରେ କାହାକୁ କହି ହୁଏ ନାହିଁ। ଘରଲୋକ ମଧ୍ୟ ଅନେକ ସମୟରେ ଅତି ପାଖ ଲୋକର ମନକଥା ଜାଣିପାରନ୍ତି ନାହିଁ।

କମ୍ ନମ୍ବର ରଖୁଖିବା ପିଲା ସହ ଖୋଲାଖୋଲି କଥା ହେବା ଦ୍ଵାରା ତା’ ମନରେ ଦମ୍ଭ ଭରିବା ଦ୍ଵାରା ପିଲାଟିଏ ଏଭଳି ଚରମ ପଦକ୍ଷେପ ନେବା କଥା ହୁଏତ ଚିନ୍ତା କରନ୍ତା ନାହିଁ। ଏହା ସହିତ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ମଣିଷ ଚିନ୍ତାଗ୍ରସ୍ତ ରହୁଥିଲେ, ତାକୁ ଯଦି ସହାୟତାର ହାତ ବଢ଼ାଯାଏ ତେବେ ଏହି ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରନ୍ତା।

ଆମ ଦେଶରେ ଯେଉଁମାନେ ଯୁଗ ଯୁଗ ଧରି ଦଳିତ ଓ ବଞ୍ଚିତ ହୋଇ ରହିଥିଲେ। ବର୍ତ୍ତମାନ ସେମାନେ ପାଠପଢ଼ି ନିଜର ଭାଗ୍ୟର ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି। ଅଥଚ ପଢ଼ିବା ଜାଗାରେ କିଏ ଉପରେ ଓ କିଏ ତଳେ ରହିଛି, ସେ କଥା ପ୍ରତି ପଦରେ ତଉଲା ହେଉଛି। ମାପକାଠି ହେଲା ଧନ ପ୍ରତିପତ୍ତି, କ୍ଷମତା ଓ ଚାକଚକ୍ୟ। ଯେଉଁମାନେ ନିଜକୁ ଉପର ସ୍ତର ଭାବନ୍ତି, ସେମାନେ ଅନ୍ୟମାନଙ୍କୁ ବାରନ୍ତି, ଖୁଣନ୍ତି, ଉପହାସ କରନ୍ତି ଏବଂ ପାସଙ୍ଗରେ ପକାନ୍ତି ନାହିଁ। କେହି ସେମାନଙ୍କର ଭୁଲ ବ୍ୟବହାରକୁ ସଂଶୋଧନ କରନ୍ତି ନାହିଁ।

ଛାତ୍ରମାନଙ୍କର ସାମାଜିକ ଜୀବନର ସମସ୍ୟା ଓ ଚାପ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ ହୋଇନାହିଁ। ଆନନ୍ଦ ଓ ଦୁଃଖର ଅନୁଭୂତି ଅଛି। ସଫଳତା, ପ୍ରଶଂସା, ସମ୍ମାନ, ଆଦର ଓ ମମତା ମିଳିଲେ ଖୁସି ହେଉ। ଅନ୍ୟପଟେ ଗାଳି, ମାଡ଼, ଗଣ୍ଡଗୋଳ ଭିତରେ ଯେ ବଢ଼େ ସେ ପିଲାଦିନୁ ମାନସିକ ଦୁଃଖ ପାଇଥାଏ। ବ୍ୟର୍ଥତା, ବିଫଳତା, ଅସମ୍ମାନ, ଅନାଦରର ଜ୍ଵାଳାକୁ ମଣିଷ ସହଜରେ ଭୁଲି ପାରେ ନାହିଁ। ଯାହା ଜୀବନରେ ଦୁଃଖ ଲାଗି ରହିଥାଏ। ସେ ନିଜକୁ ହତଭାଗ୍ୟ ବୋଲି ଭାବେ ଓ ଆଶାବାଦୀ ନହୋଇ ଧୀରେ ଧୀରେ ନିରାଶା ଆଡ଼କୁ ଗତି କରେ। କାରଣ ହେଲା ତା’ର ଜୀବନର ସ୍ଵପ୍ନ, ଆଶା ଆକାଂକ୍ଷା ସବୁ ଭାଙ୍ଗିଯାଏ। ସେ ଭାବେ ଜୀବନର ଦାଉ ଜ୍ଵାଳା କେତେ ସହିବି?

ଏ ଭଳି ଲୋକ ଯେତେବେଳେ ସଙ୍ଗିନ୍ ଅବସ୍ଥାରେ ପଡ଼ି ମୁକୁଳିବାର ଉପାୟ ଭାବିପାରନ୍ତି ନାହିଁ, ସେ ଆତ୍ମହତ୍ୟା ବାଟ ବାଛନ୍ତି। ଏଭଳି ଲୋକ ଆତ୍ମହତ୍ୟା ପ୍ରବଣ ନୁହନ୍ତି। ନିଜ ଜୀବନର ତିକ୍ତ ଅନୁଭବ ଯୋଗୁଁ ସେମାନେ ଜୀବନର ସୁଯୋଗ, ସୁବିଧା ଏବଂ ଉନ୍ନତିର ସମ୍ଭାବନା ଭାବି ପୁଣି ଜୀବନର ଘାତ ପ୍ରତିଘାତକୁ ଫେରି ଆସିବାର ଇଚ୍ଛା ହରାଇଥାନ୍ତି। ଏମାନଙ୍କ ଛଡ଼ା ଅନ୍ୟ ପ୍ରକାର ଲୋକ ମଧ୍ୟ ଆତ୍ମହତ୍ୟା କରିଥାନ୍ତି।

ଆତ୍ମହତ୍ୟାର ଆଉ କେତେକ କାରଣ

  • ଯେଉଁମାନେ ଆତ୍ମହତ୍ୟାର ଚେଷ୍ଟା କରି ବିଫଳ ହେଉଛନ୍ତି
  • ଯେଉଁମାନଙ୍କର ମାନସିକ ରୋଗ ଅଛି ବା ଜଟିଳ ମାନସିକ ସମସ୍ୟା ରହିଛି
  • ବୟସ୍କ ଲୋକମାନେ ଅର୍ଥାଭାବ ଓ କିଛି ରୋଗ ଯୋଗୁଁ ପର ଉପରେ ନିର୍ଭର କରି ବଞ୍ଚନ୍ତିଥିଲେ କିମ୍ବା ନିଜକୁ ବୋଝ ବୋଲି ଭାବୁଥିଲେ
  • ଦୁଷ୍କର୍ମର ଶିକାର ହୋଇ ପରିବାର ତ୍ୟାଗର ଶିକାର ହେଲେ  
  • କିଶୋର ବୟସରେ ଭାବ ପ୍ରବଣତା ଯୋଗୁଁ

କିଶୋର ବୟସରେ ପ୍ରତିଟି ସୁଖ ଦୁଃଖର ଅନୁଭବ ପ୍ରଖର ହୋଇଥାଏ। ତେଣୁ ମାନ, ଅଭିମାନ, ରୁଷିବା ଏବଂ ରାଗିବା ଘଟଣା ଏଇ ବୟସ ପିଲାଙ୍କଠାରେ ବେଶୀ ଦେଖାଯାଏ। ପିଲାଦିନେ ବାପା ମା’ ଓ ଅନ୍ୟ ପାଖଲୋକଙ୍କୁ ମନକଥା କହୁଥିଲେ। କିନ୍ତୁ ଏ ବୟସରେ ସେମାନେ ନିଜର ମନକଥା କୁହନ୍ତି ନାହିଁ। ପ୍ରତିଯୋଗିତାମୂଳକ ସମାଜରେ ଯଦି ପିଲା ବିଫଳ ହୁଅନ୍ତି ସେମାନେ ନିଜର ବିଫଳତା ଅର୍ଥାତ୍ ଉପରକୁ ଉଠିବାର ସୁବିଧା ନପାଇ ଗଭୀର ମନସ୍ତାପରେ ପଡ଼ନ୍ତି। ତେଣୁ ଏ ବୟସରେ ଛାତ୍ରଛାତ୍ରୀଙ୍କର ଆତ୍ମହତ୍ୟା ସମ୍ଭାବନା ବହୁତ ବଢ଼ିଥାଏ।

କେମିତି ଏଥିରୁ ମୁକୁଳି ହେବ?

ସର୍ବ ପ୍ରଥମେ ଆତ୍ମହତ୍ୟାର ବିଭିନ୍ନ କାରଣ ଭିତରୁ ମାନସିକ ଅବସ୍ଥାର ଅବନତିକୁ ମୁଖ୍ୟ କାରଣ ଭାବି ମନର ସନ୍ତାପ ଓ ବିଚଳିତ ଅବସ୍ଥାରେ ଉନ୍ନତି କରିବାକୁ ଚେଷ୍ଟା କରିବା।

ଉଦାହରଣ ହେଲା, ସାଧାରଣ ମିଣିଷ ନିତିଦିନ ସଂସାରର ବୋଝ, ଆର୍ଥିକ ସମସ୍ୟା, କର୍ମଜୀବନର ଚାପରେ ସନ୍ତୁଳି ହେବା ପରେ ଅଧିକାଂଶ ପରିବାରରେ କମ୍ ବେଶୀ ଅଶାନ୍ତି ଦେଖାଦିଏ। ଯେତେବେଳେ ଘରଲୋକ ତା’ ପ୍ରତି ବିମୁଖ ହୁଅନ୍ତି, ସାଙ୍ଗସାଥୀ ତା’କୁ ଦୋଷ ଦିଅନ୍ତି ଏବଂ ଦୂରେଇଯାନ୍ତି, ସେତେବେଳେ ମନର ସନ୍ତାପ ବହୁଗୁଣରେ ବଢ଼ିଯାଏ। ସେହି ସମୟରେ ସଙ୍ଗୀନ ଅବସ୍ଥା ବା କ୍ରାଇସିସରେ ପଡ଼ିଲେ ଅନେକ ଆତ୍ମହତ୍ୟା କରନ୍ତି।

ତେକେ ସଫଳ ହୁଅନ୍ତି ଓ ଅନେକ ବିଫଳ ମଧ୍ୟ ହୋଇଥାନ୍ତି। ଏଥିପାଇଁ ମେଣ୍ଟାଲ ହେଲଥ ସର୍ପୋଟ ବା ମାନସିକ ସ୍ଥିତି ବଢ଼ାଇବା ଲାଗି ପରାମର୍ଶ, ସାହାଯ୍ୟ ଏବଂ ସମର୍ଥନର ଆବଶ୍ୟକତା ରହିଛି।

ଦ୍ଵିତୀୟରେ ଆତ୍ମହତ୍ୟା ଅପରାଧ ନୁହେଁ। ଏହା ଏକ ବିଶେଷ ଧରଣର ଅସୁସ୍ଥତା। ତେଣୁ ଏଥିପାଇଁ ଚିକିତ୍ସାର ଆବଶ୍ୟକତା ରହିଛି। ଆତ୍ମଘାତୀର ଜୀବନ ରକ୍ଷା ପାଇଁ ଯେମିତି ଡାକ୍ତରୀ ଚିକିତ୍ସା କରାଯାଏ, ସେମିତି ସେ ଆତ୍ମହତ୍ୟା କରିବାର ଚେଷ୍ଟାରୁ ଓହରିବା ନିମନ୍ତେ ଜଣେ ମଣିଷକୁ ଆର୍ଥିକ ସହାୟତା, ପାରିବାରିକ ସହାନୁଭୂତି ଏବଂ ମାନସିକ ପରାମର୍ଶ ଦରକାର ପଡ଼ିଥାଏ।

ଯିଏ ମରିଗଲା, ତା’ର ପରିବାର ସାଙ୍ଗସାଥୀ ସମସ୍ତେ ତା’ ମୃତ୍ୟୁ ପାଇଁ ନିଜକୁ ଦାୟୀ କରନ୍ତି। କିନ୍ତୁ ଲୋକ ନିନ୍ଦା ଭୟରେ ସ୍ଵାଭାବିକ ମୃତ୍ୟୁ ବୋଲି ଦର୍ଶାଇଥାନ୍ତି। ଏ ସମସ୍ତଙ୍କର ମନର ଶାନ୍ତି ଲୋଡ଼ା। ସେମାନେ ମଧ୍ୟ ଲୋକେ କ’ଣ ଭାବିବେ ଭୟରେ ନିଜର ଦୁଃଖ ଓ ଶୋକ ନୀରବରେ ସହିଯା’ନ୍ତି। ଯେଉଁ କଥା କାହାକୁ କହିହେବ ନାହିଁ, ସେଭଳି ମନକଥା ମନରେ ମାରି ଚଳିବାକୁ ପଡ଼ିଲେ ମାନସିକ ଅବସ୍ଥା ଶୋଚନୀୟ ହୋଇଯାଏ ଏବଂ ଅବସାଦ ଆରମ୍ଭ ହୋଇ ବଢ଼ି ବଢ଼ି ଚାଲେ।

ବର୍ତ୍ତମାନ ସବୁ ଜିଲ୍ଲାରେ କାଉନସେଲର ଅଛନ୍ତି। ସେମାନେ ଆତ୍ମହତ୍ୟା ନିରୋଧ ବିଷୟରେ ଅଧିକ ଟ୍ରେନିଂ ନେଇ ପରାମର୍ଶ ଦେବାର ଆବଶ୍ୟକତା ରହିଛି। ବିଭିନ୍ନ ବ୍ଲକରେ ସ୍ଵାସ୍ଥ୍ୟ ବିଭାଗରେ କାମ କରୁଥିବା ଆଶାକର୍ମୀ, ନର୍ସ ବା ସାମାଜିକ କର୍ମୀଙ୍କୁ କାଉନସେଲିଂର ଟ୍ରେନିଂ ଦିଆଯିବା ଦରକାର। ଯାହା ଫଳରେ ସେମାନେ ଆତ୍ମହତ୍ୟା କରିବାର ସମ୍ଭାବନା ଥିବା ମଣିଷ ଯେମିତି କି ଦୁଷ୍କର୍ମର ଶିକାର ହୋଇଥିବା ମହିଳା, ଋଣଗ୍ରସ୍ତ ଚାଷୀ, ନିର୍ଯାତନାର ଶିକାର ହେଉଥିବା କିଶୋରୀ ଓ ପରୀକ୍ଷାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କର ଚିହ୍ନଟ କରିବା ସହ ସେମାନଙ୍କୁ ଏଥିରୁ ମୁକୁଳିବା ପାଇଁ ବାଟ ଦେଖାଇପାରିବେ।

ଓଡ଼ିଶାରେ ବର୍ତ୍ତମାନ ଜେଲରେ ଅପରାଧୀମାନଙ୍କୁ ମେଣ୍ଟାଲ ହେଲଥ ସପୋର୍ଟ ମିଳିବାର ବ୍ୟବସ୍ଥା ହେଉଛି। ସେହିପରି ବ୍ୟବସ୍ଥା ଓଡ଼ିଶାର ସ୍କୁଲ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ କରାଗଲେ ଛାତ୍ରଛାତ୍ରୀ ଆତ୍ମହତ୍ୟା କମିବ। କାରଣ ପରୀକ୍ଷା ଫଳ ଉପରେ ନିଜର ଭବିଷ୍ୟତ ଅର୍ଥାତ ପାଠପଢ଼ା ଚାକିରୀ, ବିବାହ ଏବଂ ଆର୍ଥିକ ଉନ୍ନତି ନିର୍ଭର କରିଥାଏ। ଅବସାଦରେ ରହିଥିବା ମଣିଷକୁ ମେଣ୍ଟାଲ ହେଲଥ ସପୋର୍ଟ ମିଳିବା ଆବଶ୍ୟକ।

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା ଦୀର୍ଘଦିନରୁ ସେ କାନାଡ଼ାରେ ରହିଆସୁଛନ୍ତି)

Tags: #HealthCare #MentalHealth #MentalHealthCare #Suicide #SuicidePrevention

LEAVE A REPLY

Please enter your comment!
Please enter your name here