ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ ଟ୍ରସ। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନିର୍ବାଚନରେ ବିଜୟୀ ହୋଇଛନ୍ତି ଲିଜ।

ବ୍ରିଟେନରେ ରାଜନୈତିକ ସଙ୍କଟ ମୁଣ୍ଡଟେକିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୋରିସ ଜନସନ। ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦବୀ ଲାଗି ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୨୦ ହଜାରରୁ ଅଧିକ ଭୋଟରେ ଋଷି ସୁନକଙ୍କୁ ପଛରେ ପକାଇ ନିର୍ବାଚନ ଜିତିଛନ୍ତି ଲିଜ ଟ୍ରସ।

ଲିଜ ଟ୍ରସଙ୍କୁ ମୋଟ ୮୧,୩୨୬ ଭୋଟ ମିଳିଥିବାବେଳେ ରିଷି ସୁନକଙ୍କୁ ମିଳିଛି ୬୦,୩୯୯ ଖଣ୍ଡ ଭୋଟ। ଏବେ ଲିଜ ଟ୍ରସ ହେବେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ପୂର୍ବରୁ ମାର୍ଗାରେଟ ଥୈଚର ଏବଂ ଥେରେସା ମେ’ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି।

କଞ୍ଚର୍ଭେଟିଭ ପାର୍ଟିର ନୂଆ ନେତା ବାଛିବାର ପ୍ରକ୍ରିୟା ଗତ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ ୧.୬୬ ଲକ୍ଷ ପାର୍ଟି ସଦସ୍ୟ। ବ୍ରିଟେନରେ ପ୍ରଧାନମନ୍ତ୍ରୀ ଲାଗି ଋଷି ସୁନକଙ୍କ ନାଁ ଆଗରେ ରହିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ବାଜି ମାରିଛନ୍ତି ଲିଜ ଟ୍ରସ।

ମନ୍ତ୍ରିମଣ୍ଡଳରେ ବିଦ୍ରୋହ ଚରମ ସୀମାରେ ପହଞ୍ଚିବା ପରେ ଗତ ଜୁଲାଇ ୭ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ବୋରିସ ଜନସନ। ସେବେଠାରୁ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଦୌଡ଼ରେ ଅନେକ ଅଭିଜ୍ଞ ସାମିଲ ହୋଇଥିବାବେଳେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାଁ ପ୍ରଥମରେ ରହିଥିଲା।

Tags: #Politics #Britain #LizTruss #BritainPM #Election #RishiSunak

Comment