ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ପବିତ୍ର ସୁନିଆଁ ପର୍ବ ପାଳନ କରାଯାଉଥିବାବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେଉଛି। ଏନେଇ ବୁଧବାର ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ  ଚନ୍ଦ୍ରଧ୍ୱଜା ପୂଜା ଵିଧି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଅପରାହ୍ନ ୫ଟାଠାରୁ ରାତି  ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାମନ ଜନ୍ମ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

ଅନ୍ୟପଟେ ଆଜି ସୁନିଆଁ ପର୍ବ ହୋଇଥିବାରୁ ଶ୍ରୀମନ୍ଦିର ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବାର ବିଧାନ ରହିଛି। ସୁନିଆଁର ଅର୍ଥ ଏକ ସୁବର୍ଣ୍ଣ ମୋହରରେ ଅଙ୍କ କଷିବା। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ। ବୁଧବାରଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ୧୪ଶହ ୩୦ ସାଲ ୬୫ ଅଙ୍କର ପ୍ରବେଶ ହୋଇଥିବାରୁ ଗଜପତି କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହଙ୍କୁ ପୂଜାର୍ଚ୍ଚନା କରିବେ।

ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ଅନୁଷ୍ଠିତ ହେବ। ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ। ପରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହରକରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜା ଏହାକୁ ଘୋଷଣା କରିବେ।

ପରମ୍ପରା ଅନୁଯାୟୀ, ଆଜି ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ନୀତି ପରେ ଟେରା ପଡ଼ି ଜୟ-ବିଜୟ ଦ୍ବାର ବନ୍ଦ କରାଯିବ। ଏହାପରେ ଭିତର କାଠ ପାଖରେ ମୁରୁଜରେ ମଣ୍ଡଳ କଟାଯିବ। ମୁଦିରସ୍ତ ଧଣ୍ଡିପ୍ରସାଦ ଲାଗି କଲା ପରେ ବାମନ (ଶ୍ରୀକୃଷ୍ଣ) ମଣ୍ଡଳକୁ ବିଜେ କରିବେ। ବଣିଆ ସେବକ ଦେଇଥିବା ସୁନା ବାମନ ପ୍ରତିମାଙ୍କ ନିକଟରେ ବରୁଣ ପୂଜା, ବ୍ରହ୍ମବରଣ ନୀତି ଅନୁଷ୍ଠିତ ହେବା ପରେ ଖଣ୍ଡୂଆ ଯୋଡ଼ାଯାଇ ଜନ୍ମବିଧି ଅନୁଷ୍ଠିତ ହେବ।

କ୍ଷୀର, ସର, ଲହୁଣୀ ଭୋଗ ପରେ ସୋମନାଥ ମାଜଣା ମଣ୍ଡପ ଖଟକୁ ବିଜେ କରିବେ। ପରେ ପତି ମହାପାତ୍ର ରୁପା ବଟାରେ ଶ୍ରୀଦୁର୍ଗା ଦେବୀଙ୍କୁ ସୋମନାଥ ମଣ୍ଡପରେ ବିଜେ କରାଇବେ। ଏଠାରେ ବସୁଧାରା ଓ ଯଜ୍ଞ ବିଧି ପରେ ଶୀତଳ ଭୋଗ, ବନ୍ଦାପନା ହୋଇ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ।

Tags: #Sunia #Bamanjanma #shreemandir #puri

Comment