ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ନିଜସ୍ଵ ଦଳ ଓଡ଼ିଶା ଜଗରନଟ୍ସ ସଦ୍ୟ ସମାପ୍ତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ସର୍ବପ୍ରଥମ ସଂସ୍କରଣରେ  ଚାମ୍ପିୟନ ହୋଇ ଇତିହାସ ରଚିଛି। ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଭାରୋତ୍ତୋଳନ ହଲ୍‌ରେ ଓଡ଼ିଶା ଜଗରନଟ୍ସ ଦଳକୁ ସମ୍ବର୍ଦ୍ଧିତ କରିବା ସହ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।

ଖୁବଶୀଘ୍ର ଓଡ଼ିଶାରେ ଖୋ ଖୋ ଷ୍ଟାଡିୟମ ଏବଂ ହାଇ ପର୍‌ଫର୍ମାନ୍ସ ସେଣ୍ଟର (ଏଚ୍‌ପିସି) ନିର୍ମାଣ ହେବ ବୋଲି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ ସୁଇମିଂ, ଆଥ୍‌ଲେଟିକ୍ସ, ଭାରୋତ୍ତୋଳନ, ହକି, ଶୁଟିଂ, ବ୍ୟାଡ୍‌ମିଣ୍ଟନ ଓ ଫୁଟ୍‌ବଲ ଆଦିର ଏଚ୍‌ପିସି ଥିବାବେଳେ ଏଥିରେ ଖୋ ଖୋ ଯୋଡ଼ିହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,”ପାରମ୍ପରିକ କ୍ରୀଡ଼ା ଖୋ ଖୋ ଗ୍ରାମାଞ୍ଚଳରେ ସୀମିତ ରହିବା ସତ୍ତ୍ୱେ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଚାମ୍ପିୟନ ହୋଇ ଦଳ ଇତିହାସ ରଚିଛି। ଏହାକୁ ପେସାଦାର କ୍ରୀଡ଼ା ଭାବେ ଆପଣାଇବାକୁ ଯୁବପିଢ଼ି ଆଗ୍ରହ ପ୍ରକାଶ କରିବେ। ଲୋକମାନେ ଏବେ ଅଲ୍‌ଟିମେଟ ଖୋ ଖୋ ଏବଂ ଓଡ଼ିଶା ଜଗରନଟ୍ସ ସମ୍ପର୍କରେ ଆଲୋଚନା କରୁଛନ୍ତି।”

ଏହି ଅବସରରେ ଅଲ୍‌ଟିମେଟ ଖୋ ଖୋ ସିଇଓ ତେନଜିଂ ନିୟୋଗି ମୁଖ୍ୟମନ୍ତ୍ରୀଙ୍କୁ ଦଳର ଏକ ସ୍ଵର୍ଣ୍ଣ ପଦକ ପ୍ରଦାନ କରିଥିଲେ।

ଗତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଓଡ଼ିଶା ଜଗରନଟ୍ସ ଦଳ ଅଧିକାଂଶ ସମୟ ଟେବୁଲ ଟପ୍ପର ରହିଥିଲା। ଫାଇନାଲର ଅନ୍ତିମ ସେକେଣ୍ଡରେ ତେଲ୍‌ଗୁ ଯୋଦ୍ଧାସ୍‌କୁ ଚକ୍‌ମା ଦେଇ ବିଜୟ ମୁକୁଟ ପିନ୍ଧିଥିଲ। ଅନ୍ୟପକ୍ଷରେ ଖୋ ଖୋ ଖେଳ ପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଏବଂ ଆଗ୍ରହକୁ ଭାରତୀୟ ଖୋ ଖୋ ଫେଡେରେଶନ ସଭାପତି ସୁଧାଂଶୁ ମିତ୍ତଲ ପ୍ରଶଂସା କରିଥିଲେ।

ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଖୋ ଖୋକୁ ଏପରି ସମର୍ଥନ ଜଣାଇବା ଆବଶ୍ୟକ ବୋଲି ସୁଧାଂଶୁ ମିତ୍ତଲ କହିଥିଲେ। ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ସିଇଓ ଓ କମିଶନର ତେନଜିଂ ନିୟୋଗି ଓଡ଼ିଶା ଦଳର ସଫଳତାରେ ଖୁସି ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ  ୫-ଟି ସଚିବ ଭି.କେ. ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #CMNaveenPatanaik #ultimatekhokhochampions #OdishaJuggernauts

Comment