ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଛି ପାର୍ବଣ ଋତୁ। କିଛିଦିନ ପରେ ମା’ ଦୁର୍ଗାଙ୍କର କରାଯିବ ଆବାହନ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ସବୁଠି ପୂଜା ଆୟୋଜନ।

ରାଜଧାନୀ ଭୁବନେଶ୍ଵରରେ ସୁଉଚ୍ଚ ତୋରଣ ସହ ଆଖି ଝଲସିଲା ଆଲୋକମାଳାର ସାଜସଜ୍ଜା ପାଇଁ ଚାଲିଛି ପ୍ରସ୍ତୁତି। ପ୍ରତିଯୋଗିତାମୂଳକ ଭାବେ ଗଢ଼ା ହେଉଛି ମା’ଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି। ଦର୍ଶକଙ୍କୁ ଆକୃଷ୍ଟ କରିବା ଭଳି ମେଢ଼ ମଧ୍ୟ ପ୍ରସ୍ତୁତ କରାଯାଉଛି। ସବୁ ପୂଜା କମିଟିରେ ଭିନ୍ନ ଶିଳ୍ପୀ ଓ କାରିଗର କାମରେ ଲାଗିପଡ଼ିଛନ୍ତି।

ଅନୁରୂପ ଭାବେ ମା’ ଟଙ୍କପାଣି ରୋଡ୍‌ ଦୁର୍ଗାପୂଜା ସମିତି ଏଥର ପୂଜା ପ୍ରସ୍ତୁତିକୁ ନିଆରା ଭାବେ କରୁଛି। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ ତିଆରି ଚାଲିଛି। ପ୍ରତି ବର୍ଷ ନୂଆ ନୂଆ ଭେଟି ଦେଇ ଆସୁଥିବା ଏହି ସମିତି ପକ୍ଷରୁ ଏଥର ତୋରଣରେ ହାଇକୋର୍ଟର ପ୍ରତିଛବି ସ୍ଥାନ ପାଇବ। ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ଏହି ତୋରଣ ପ୍ରସ୍ତୁତ କରାଯାଉଛି।

ପ୍ରସ୍ତୁତି ବୈଠକ ଶେଷ ହେବା ପରେ ତୋରଣ କାମ ଆରମ୍ଭ ହୋଇଛି। ଚଳିତ ବର୍ଷ ଦୁର୍ଗାପୂଜା ସମିତି ପକ୍ଷରୁ ୧୩ତମ ପୂଜା ଆୟୋଜିତ ହେବ। ଏଥିପାଇଁ ୧୩ଲକ୍ଷ ଟଙ୍କା ବଜେଟ୍‌ ରହିଛି। ତୋରଣର ଚଉଡା ୬୫ ଫୁଟ ରହିଥିବାବେଳେ ଲମ୍ବ ୭୦ ଫୁଟ ରହିବ।

ସେହିପରି ମଣ୍ଡପର ଉଚ୍ଚତା ୧୯ ଫୁଟ ହୋଇଥିବାରୁ ମା’ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ରହିବ। ଉଭୟ ମୂର୍ତ୍ତି ଓ ତୋରଣର ଦାୟିତ୍ୱ କୋଲକାତା କାରୀଗରଙ୍କୁ ଦିଆଯାଇଛି। ମା’ଙ୍କୁ ରୂପା ଅଳଙ୍କାର, ଜରି ଏବଂ ଅନ୍ୟାନ୍ୟ ସାମଗ୍ରୀରେ ସଜ୍ଜିତ କରାଯିବ। ଏଥିସହିତ ଆଖପାଖ ଅଞ୍ଚଳକୁ ଲିଚୁ ଏବଂ ଆଲୋକମାଳାରେ ସଜାଯିବ। ସପ୍ତମୀଠାରୁ ନବମୀ ପର୍ୟ୍ୟନ୍ତ ୩ଦିନ ମେଲୋଡି ଏବଂ ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ। ତେବେ ପୂଜା ସମିତି ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା ଏଥର ବନ୍ଦ ରହିବ।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲାଗିବା ସହ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ ହେବେ। ଏହାବାଦ୍‌ ଭଲ୍ୟୁଣ୍ଟରମାନେ ନିୟୋଜିତ ରହିବେ।

ସେହିପରି ପରମ୍ପରା ଅନୁଯାୟୀ ଅଷ୍ଟମୀ ଦିନ ଅଞ୍ଚଳବାସୀଙ୍କ ଘରେ ଖେଚୁଡି ଭୋଗ ବଣ୍ଟାଯିବ। ଭସାଣୀ ଦିନ ଶଙ୍ଖ, ଘଣ୍ଟଘଣ୍ଟା, ଦୁଲୁଦୁଲି ଆଦି ପାରମ୍ପରିକ ବାଦ୍ୟ ସହିତ ମା’ଙ୍କୁ ମେଲାଣି ଦିଆଯିବ।

Tags: #Culture #Festival #Durgapuja2022 #BBSRDussera#TankapaniroadDurgapuja #HighcourtToran

Comment