ଡକ୍ଟର ଫକୀର ମୋହନ ନାହାକ

Television Katha

ଆପେ ବଞ୍ଚିଲେ ବାପାର ନାଁ.. ଏଇ କଥାଟା ଅନେକ ଲୋକ ଅନେକ ସମୟରେ କହନ୍ତି। ଆଉ ଅଧିକାଂଶ ଲୋକ ଏ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। କିନ୍ତୁ କିଛି ଲୋକ ଥାଆନ୍ତି, ଯେଉଁମାନେ ଆପେ ବଞ୍ଚିବାଟା ଭୁଲିଯାଇ କେମିତି ନାଁ କରିହେବ, ସେକଥା ଚିନ୍ତା କରନ୍ତି। ଏହି ପ୍ରକ୍ରିୟାରେ ସୌଭାଗ୍ୟବଶତଃ କିଏ ବଞ୍ଚିଯାଏ ତ ଆଉ କାହାକୁ ଜୀବନ ହରାଇବାକୁ ପଡ଼େ। ସାମ୍ବାଦିକତାରେ ଦୁଃସାହସିକତା କଥା କହିଲେ, ମୂଳତଃ ସଂଘର୍ଷପୂର୍ଣ୍ଣ ସ୍ଥାନ ବା କନଫ୍ଲିକ୍ଟ ଜୋନରୁ ରିପୋର୍ଟିଂ କଥା କୁହାଯାଏ।

କେତେବେଳେ ହାତୀ-ମଣିଷ ଲଢ଼େଇ ତ ପୁଣି କେତେବେଳେ ଦେଶର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲରେ ମାଓବାଦୀ ଓ ଉଗ୍ରବାଦୀଙ୍କ ସହ ଲଢ଼େଇ, ଆଉ କେବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ଆତଙ୍କବାଦୀ ସଂଘର୍ଷ, ଗୋଷ୍ଠୀ ସଂଘର୍ଷ ଏବଂ ସାମ୍ପ୍ରଦାୟିକ ଦଙ୍ଗା କଥା ଆଲୋଚନାକୁ ଆସେ। ବିଶ୍ୱର ବିଭିନ୍ନ ଭାଗରେ ଏମିତି ହିଁ ସଂଘର୍ଷପୂର୍ଣ୍ଣ ସ୍ଥାନରୁ ରିପୋର୍ଟିଂ କରୁଥିବା ବେଳେ ଅନେକ ସୁଦକ୍ଷ ସାମ୍ବାଦିକ ଜୀବନ ହରାଇଛନ୍ତି। ତେବେ ସେ ସମସ୍ତେ ନିଜର ବ୍ୟକ୍ତିଗତ ସୁରକ୍ଷାପ୍ରତି ସମସ୍ତ ପ୍ରକାର ଯତ୍ନବାନ୍ ହେବା ସତ୍ୱେ ଏଭଳି ଘଟଣା ଘଟିଛି। କିନ୍ତୁ କେତେକ କ୍ଷେତ୍ରରେ ଦୂରଦର୍ଶିତାର ଅଭାବ କାରଣରୁ ବି ଅପ୍ରତ୍ୟାଶିତ ଦୁର୍ଘଟଣାର ଶିକାର ହୋଇଛି ସାମ୍ବାଦିକ। ସେଥିପାଇଁ ଅନେକ ସମୟରେ ଜୀବନ ବି ହରାଇବାକୁ ପଡ଼ିଛି।

ଓଡ଼ିଶାରେ ଟେଲିଭିଜିନ୍ ସାମ୍ବାଦିକତା କରିବାକୁ ଯାଇ ଏମିତି ଦୁଃସାହସିକ ପଦକ୍ଷେପ ନେଇଥିବା ଦୁଇ ଜଣ ସାମ୍ବାଦିକଙ୍କ କଥା ଆଲୋଚନା କରିବା। ଜଣେ ମରୁ ମରୁ ବଞ୍ଚିଗଲେ ଏବଂ ଅନ୍ୟ ଜଣେ ବଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରି ଶେଷରେ ପ୍ରାଣ ହରାଇଲେ। ଏହି ଘଟଣା ପରେ ପ୍ରାୟତଃ ଗ୍ରାଉଣ୍ଡ ଜିରୋରେ କାମ କରୁଥିବା ସବୁ ସାମ୍ବାଦିକ ଆତ୍ମସମୀକ୍ଷା କରିବା ପାଇଁ ବାଧ୍ୟ ହୋଇଛନ୍ତି।

୨୦୦୭ ମସିହା ଏପ୍ରିଲ ୨୪ ତାରିଖ। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ଖଇରା ଜଙ୍ଗଲରୁ ୧୩ଟି ହାତୀ ଜନବସତି ଆଡ଼କୁ ମାଡ଼ି ଆସିଥିଲେ। ସେମାନଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ୪ ଜଣ ସାଧାରଣ ଲୋକ। ଆଦିବାସୀ ଅଧ୍ୟୁସିତ ଏହି ଅଞ୍ଚଳର ଜଣେ ବ୍ୟକ୍ତି ତତ୍କାଳୀନ ରାୟଗଡ଼ା ଈଟିଭି ପ୍ରତିନିଧି ଅମୂଲ୍ୟରତ୍ନ ସାହୁଙ୍କୁ ଫୋନ୍ କରି ଜଣାଇଲେ, ୪ ଜଣ ମଲା ପରେ ବି ଯଦି ଈଟିଭି ଏହି ଖବର ନେଉନାହିଁ, ତା’ହେଲେ କ’ଣ ୪୦ ଜଣ ମରିବାକୁ ଅପେକ୍ଷା କରିଛି। ଏ କଥାଟା ଟିକିଏ ବାଧିଥିଲା ଅମୂଲ୍ୟରତ୍ନଙ୍କୁ। ସେ କିଛି ଜବାବ ନଦେଇ ସିଧା ଚାଲିଲେ ହାତୀ ଉପଦ୍ରୁତ ଅଞ୍ଚଳକୁ। ବାଟରେ ବଡ଼ନଦୀ। ନଦୀ ଏପଟେ ମୋଟରସାଇକେଲର୍ ରଖି, ସାଙ୍ଗରେ କ୍ୟାମେରା ଧରି ନିଜେ ପାଣିରେ ପଶି ନଦୀ ପାର ହେଲେ। ଜଙ୍ଗଲ ଭିତରେ ପଶିଲା ବେଳକୁ ଦେଖିଲେ ଲୋକମାନେ ଗୋଟିଏ ଛୋଟିଆ ପାହାଡ଼ ଉପରେ ଅଛନ୍ତି। ପାହାଡ଼ ତଳେ ପଲେ ହାତୀ। ଲୋକମାନେ ଉଚ୍ଚ ସ୍ଥାନରେ ଥାଇ ହାତୀ ଉପରକୁ ପଥର ଫିଙ୍ଗୁଥାନ୍ତି। ଅମୂଲ୍ୟ ଚେଷ୍ଟାକଲେ କିଛି ଭିଜୁଆଲ ନେବା ପାଇଁ। କିନ୍ତୁ ହାତୀ ତଳେ ଏବଂ ଦୂରରେ ଥିବାରୁ ଭଲ ଭିଜୁଆଲ ମିଳିବା ସମ୍ଭବ ହେଲାନି। ତେଣୁ ହାତୀ ପାଖକୁ ଯାଇ ଚିତ୍ର ନେବାକୁ ଦେଖିଲା ବେଳେ ହାତୀଟିଏ ଗୋଟିଏ ଖାଲଭିତରେ ରହିଛି।

ତା’ର ଭିଡିଓ କରିବା ବେଳେ ହଠାତ୍ ହାତୀଟି ଉଠି ଆସିଲା। ଭାଗ୍ୟବଶତଃ ଅମୂଲ୍ୟ ନିଜ ପାଖରେ ଥିବା ଗୋଟିଏ ଟାୱେଲକୁ ତା’ ଆଡ଼କୁ ଫିଙ୍ଗିଦେଇ ସେ ଦୌଡ଼ି ଆସିଲେ। ଏତିକିବେଳେ ଜଣେ ବୁଢ଼ୀ କହିଲା, ହାତୀ ଗତ ଦୁଇ ଦିନ ଭିତରେ ତାଙ୍କ ଗାଁର ଅଧିକାଂଶ ଲୋକଙ୍କ ଘରଦ୍ୱାର ଭାଙ୍ଗି ପକାଇଛି। ଯଦି ତା’ ଭଙ୍ଗାଘରକୁ ଟିଭିରେ ଦେଖାଯାଏ, ହୁଏତ ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦେବେ। ଅମୂଲ୍ୟରତ୍ନ ସେହି ଗାଁକୁ ଯାଇ ସମ୍ପୃକ୍ତ ବୁଢ଼ୀର ଘର ସହିତ ଅନ୍ୟ ଲୋକମାନଙ୍କ ଭଙ୍ଗାଘରର ଭିଜୁଆଲ ନେଇ ଫେରିଲା ବେଳେ ସାମ୍ନାରେ ହାତୀ ପଲ। ନିଶ୍ଚିତ ଆକ୍ରମଣରୁ ମୁକୁଳିବା ପାଇଁ ଅମୂଲ୍ୟ ଏବଂ ତାଙ୍କ ସାଙ୍ଗରେ ଥିବା ଦୁଇ ଜଣ ଲୋକ ଗୋଟିଏ ଗଛ ପଛରେ ଲୁଚିଗଲେ। ତେବେ ୧୩ଟି ହାତୀ ଧାଡ଼ିବାନ୍ଧି ଯାଉଥିବାର ଦୃଶ୍ୟ ଦେଖି ନିଜ ଲୋଭ ନିୟନ୍ତ୍ରଣ କରିପାରିଲେ ନାହିଁ ଅମୂଲ୍ୟ। 

ସେ ନିଜର କ୍ୟାମେରା ଖୋଲି ହାତୀପଲର ଚିତ୍ର ଉତ୍ତୋଳନ ପାଇଁ ଚେଷ୍ଟା କଲାବେଳେ ହଠାତ୍ ହାତୀପଲ ଓଲଟା ତାଙ୍କ ଆଡ଼କୁ ଦୌଡ଼ି ଆସିଲେ। ଅମୂଲ୍ୟଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ଲୋକ ଜୀବନ ବିକଳରେ ଦୌଡ଼ିବାରେ ଲାଗିଲେ। ଏତିକିବେଳେ ଅମୂଲ୍ୟ ନିଜ କ୍ୟାମେରାକୁ ବ୍ୟାଗ୍ ଭିତରେ ଭର୍ତ୍ତି କରି ଦୌଡ଼ିବାକୁ ଚେଷ୍ଟା କଲାବେଳକୁ ତାଙ୍କ ପାଖକୁ ଆସି ସାରିଥିଲା ହାତୀ। ଗୋଟିଏ ହାତୀ ନିଜ ଶୁଣ୍ଢରେ ଅମୂଲ୍ୟଙ୍କ ପିଠିକୁ ଆକ୍ରମଣ କଲା ଓ ଅମୂଲ୍ୟ ତଳେ ପଡ଼ିଯାଇଥିଲେ। ହାତୀ ପୁଣିଥରେ ଶୁଣ୍ଢରେ ମାରିଦେଇ ଏକ ବିକଟାଳ ରଡ଼ି ଛାଡ଼ି ଚାଲିଗଲା। ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥାନ୍ତି ସେ।

ହାତୀପଲ ଚାଲିଯିବା ପରେ, ସେଠାରେ ପହଞ୍ଚିଥିଲେ କିଛି ଗାଁ ଲୋକ। ଅମୂଲ୍ୟରତ୍ନଙ୍କ ମୃତ୍ୟୁ ହୋଇଛି ବୋଲି ସମସ୍ତେ ଧରି ନେଇଥିଲେ। ଏତିକି ବେଳେ କେହି ଜଣେ ଦେଖିଲା, ତାଙ୍କ ଶ୍ୱାସ-କ୍ରିୟା ଚାଲିଛି। ତାଙ୍କୁ ଗୋଟିଏ ଭଙ୍ଗା ଦଉଡ଼ିଆ ଖଟରେ ଲଦି ସେହି ଲୋକମାନେ କାନ୍ଧରେ ବୋହି ଆଣିଲେ। ତା’ ପରେ ନଦୀ ପାର କରାଇ ପହଞ୍ଚାଇଲେ ଗୁଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସାରେ ଜାଣିପାରିଲେ ଯେ, ଅମୂଲ୍ୟଙ୍କ ମେରୁଦଣ୍ଡର ଦୁଇଟି ହାଡ଼ ଏବଂ ପିଞ୍ଜରାର ଦୁଇଟି ହାଡ଼ ଭାଙ୍ଗି ଯାଇଛି। ତେଣୁ ତାଙ୍କୁ ତୁରନ୍ତ କୌଣିସ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ଦରକାର। ଅମୂଲ୍ୟଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଗଲା। ତେବେ ସେଠାରେ ବି ଚିକିତ୍ସା ପରେ ସେମିତି କିଛି ଆଖିଦୃଶିଆ ଉନ୍ନତି ନହେବାରୁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମସ୍ ସ୍ଥାନାନ୍ତର କରାଗଲା। ଦୀର୍ଘ ତିନି ମାସ ସେଠାରେ ଚିକିତ୍ସାଧୀନ ରହିବା ପରେ ସେ ସୁସ୍ଥ ହୋଇଥିଲେ। ଭାଗ୍ୟ ଭଲଥିବାରୁ ବଞ୍ଚିଗଲେ ଅମୂଲ୍ୟ।

ଏହି ଘଟଣା ପରେ ବି ଏମିତି ଦୁଃସାହସିକ ରିପୋର୍ଟିଂ କରିବା ପାଇଁ ପଛାଇନଥିଲେ ଅମୂଲ୍ୟରତ୍ନ। ୨୦୦୮ ଡିସେମ୍ବର ୧୦  ତାରିଖ ରାତିରେ ପ୍ରାୟ ଦୁଇ ଶହ ସଶସ୍ତ୍ର ମାଓବାଦୀ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡ଼ା ଫାଣ୍ଡିରେ ବିସ୍ଫୋରଣ ଘଟାଇଥିଲେ। ଏଥିରେ ଜଣେ ଆଇଆରବି ଯବାନ ସହିଦ ହୋଇଥିଲେ। ଏହି ରାତିରେ ହିଁ ସେହି ଘଟଣା ସ୍ଥଳକୁ ଦୌଡ଼ିଲେ ଅମୂଲ୍ୟରତ୍ନ। ପାହାନ୍ତିଆ ପ୍ରାୟ ପାଞ୍ଚଟା ବେଳେ ନିଜ କ୍ୟାମେରାମ୍ୟାନ ସନ୍ତୋଷ ସାହୁଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସେଇଠି ମିଳିଲେ କନଷ୍ଟେବଲ ବେଣୁଧର ନାୟକ। ଅମୂଲ୍ୟ ସେହି ଫାଣ୍ଡି ସାମ୍ନାରେ ହିଁ ବେଣୁଧରଙ୍କ ସହିତ କଥା ହେଉଥିଲା ବେଳେ ହଠାତ୍ ଗୋଟିଏ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଲା। ଆଖି ସାମ୍ନାରେ ହିଁ ବିସ୍ଫୋରଣର ଶିକାର ହେଲେ ବେଣୁଧର। କିନ୍ତୁ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ଅମୂଲ୍ୟ। ବେଣୁଧରଙ୍କୁ ମୁନିଗୁଡ଼ାରୁ ବିଶାଖାପାଟଣା ଯାଏଁ ଏୟାରଲିଫ୍ଟ କରାଗଲା ଏବଂ ଶେଷରେ ସେ ପ୍ରାଣ ହରାଇଲେ। କିନ୍ତୁ ସୁଧୁରିଲେ ନାହିଁ ଅମୂଲ୍ୟରତ୍ନ। ଜୀବନକୁ ବାଜି ଲଗାଇ ବିଭିନ୍ନ ବିବାଦୀୟ କ୍ଷେତ୍ର, ଯେମିତି କି ଜଙ୍ଗଲ, ନକ୍ସଲ ଉପଦ୍ରୁତ ଅଞ୍ଚଳ, ବନ୍ୟଜନ୍ତୁ ପ୍ରଭାବିତ ଅଞ୍ଚଳରୁ ରିପୋର୍ଟିଂ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏଥିପାଇଁ ଆବଶ୍ୟକ ପ୍ରତିକାର ମୂଳକ ପଦକ୍ଷେପ ସାଙ୍ଗକୁ ବ୍ୟକ୍ତିଗତ ସୁରକ୍ଷା ଦିଗରେ ବି ଯତ୍ନ ନେବାର ଆବଶ୍ୟକତା ରହିଛି।

ଏମିତି ହିଁ ଅନୁରୂପ ଘଟଣା ଘଟିଥିଲା ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ। ଓଟିଭି କେବଳ ନୁହେଁ ସାରା ଓଡ଼ିଶାର ଦୁଃସାହସୀ ରିପୋର୍ଟର ଅରିନ୍ଦମ୍ ଦାସ ଏମିତି ହିଁ ଏକ ଦୁଃସାହସିକ ରିପୋର୍ଟିଂ ପାଇଁ ମହାନଦୀ ଭିତରକୁ ଯାଇ ଚିରଦିନ ପାଇଁ ଆଖିବୁଜିଲେ। ଏଇଠି ଭାଗ୍ୟଦେବୀ ତାଙ୍କୁ ସହାୟ ହେଲେନି। ଆଠଗଡ଼ର ଜଙ୍ଗଲ ଭିତରୁ ଖସି ଆସିଥିବା ଗୋଟିଏ ହାତୀ ମହାନଦୀରେ ଭାସି ଆସିଥିଲା ମୁଣ୍ଡଳୀ ବ୍ୟାରେଜ୍ ଯାଏଁ। ଲୋକମାନଙ୍କ ହୋ-ହଲ୍ଲା ଡରରେ ହାତୀଟି ଆଉ କୂଳକୁ ଯିବାକୁ ସାହସ କରିପାରୁନଥିଲା। ଏତିକିବେଳେ ଓଡ୍ରାଫ୍ (Odisha Disaster Rapid Action Force) ର ଏକ ଟିମ୍ ପାଣି ଭିତରକୁ ଯାଇଥିଲା। ସେମାନଙ୍କ ସାଙ୍ଗରେ ସେହି ବୋଟରେ ପାଣିରେ ପଶିଥିଲେ ଅରିନ୍ଦମ୍ ଏବଂ ତାଙ୍କ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା।

ଉତ୍ସାହିତ ହୋଇ ପାଣି ଭିତରକୁ ସିନା ଚାଲିଗଲେ, କିନ୍ତୁ ହାତୀକୁ ଗୋଟିଏ କଡ଼ରୁ ଘଉଡ଼ାଇବାକୁ ଚେଷ୍ଟା କଲାବେଳର ଉତ୍ତେଜନା ଅଧିକ ସମୟ ଯାଏଁ ରହି ପାରିଲା ନାହିଁ। ନଦୀର ପ୍ରଖର ସୁଅରେ ଓଲଟି ପଡ଼ିଲା ଓଡ୍ରାଫର ବୋଟ୍। ସେହି ସମୟରେ କ୍ୟାମେରାରେ ରେକର୍ଡ ହୋଇଥିବା ଚିତ୍ର ଅନୁସାରେ ଅନେକ ସମୟ ଧରି ପାଣିର ପ୍ରଖର ସୁଅ ସହିତ ସଂଘର୍ଷ କରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ପରେ ଶେଷରେ ହାରି ଯାଇଥିଲେ ଅରିନ୍ଦମ୍। ଅରିନ୍ଦମ୍ ଓ ତାଙ୍କ ସହିତ ଥିବା ଓଡ୍ରାଫ୍ ଯବାନ ଓ କ୍ୟାମେରାମ୍ୟାନଙ୍କୁ ପାଣିରୁ ଛାଣି ଆଣି କଟକ ବଡ଼ ମେଡିକାଲରେ ପହଞ୍ଚାଇଲା ବେଳେ, ଡାକ୍ତର କହିଲେ, ସମସ୍ତ ଚେଷ୍ଟା ସତ୍ତ୍ୱେ ଅରିନ୍ଦମଙ୍କୁ ବଞ୍ଚାଇବା ସମ୍ଭବ ହେଲା ନାହିଁ। ତାଙ୍କ ଜୀବନଦୀପ ଲିଭିଯାଇଥିଲା। ଏହା ସହ ଲିଭିଯାଇଥିଲା ଜଣେ ଦୁଃସାହସୀ, ଅତ୍ୟନ୍ତ ଉତ୍ସାହୀ ଯୁବ ସାମ୍ବାଦିକର ଜୀବନ।

ଚିରକାଳ ଧରି ପ୍ରାକୃତିକ ବିପର୍ଯ୍ୟୟ ସହିତ ସଂଘର୍ଷ କରୁଥିବା ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଅରିନ୍ଦମ୍। ଗ୍ରାଉଣ୍ଡ ଜିରୋରୁ ବିପର୍ଯ୍ୟୟର ଚିତ୍ରକୁ ତୋଳିଆଣି ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ସେ ଥିଲେ ସିଦ୍ଧହସ୍ତ। ସିଧାଭାଷାରେ କହିଲେ ପ୍ରକୃତିର ତାଣ୍ଡବ ସହିତ ଲଢ଼ି ତାକୁ ହରାଇ ଦେବାର ଦମ୍ଭଥିଲା ଅରିନ୍ଦମଙ୍କର। ସେ ଫାଇଲିନ୍, ଫନି ଅବା ହୁଡ୍ ହୁଡ୍, କାହାରିକୁ ଖାତିର ନକରି ବାତ୍ୟା ଯେଉଁଠି ଲ୍ୟାଣ୍ଡଫଲ୍ କରିବ, ସେଇଠି ଯାଇ ପହଞ୍ଚି ଯାଉଥିଲେ ସେ। ଏ ସବୁ ରିପୋର୍ଟିଂରେ କହିବାକୁ ଗଲେ ନିଜ ଜୀବନକୁ ଥରକୁ ଥର ବାଜି ଲଗାଉଥିଲେ ଅରିନ୍ଦମ୍।

ଆଉ ସବୁଥର ତାଙ୍କୁ ମନେ ହେଉଥିଲା ସେ ବିପର୍ଯ୍ୟୟକୁ ମାତ୍ ଦେଇ ବିଜୟୀ ହୋଇଛନ୍ତି। ଏହା ତାଙ୍କ ମନୋବଳ ବଢ଼ାଇ ଚାଲିଥିଲା। ଆଉ ଏହା ସମ୍ପୃକ୍ତ ଚାନେଲକୁ ବି ପ୍ରୋତ୍ସାହିତ କରୁଥିଲା। କାରଣ ଏଥିରୁ ମିଳୁଥିଲା ଦର୍ଶକୀୟ ଆଦୃତି। ଲୋକମାନେ ଏଭଳି ଦୁଃସାହସିକ ରିପୋର୍ଟିଂକୁ ପସନ୍ଦ କରୁଥିଲେ, ପ୍ରଶଂସା ବି କରୁଥିଲେ। କିନ୍ତୁ କେହି କେବେ ଏଥିପାଇଁ ଅରିନ୍ଦମଙ୍କୁ ଆକଟ କରିନାହାନ୍ତି। ଯଦି କେହି କେବେ ଆକଟ କରିଛି, ତାକୁ ସେ ମାନି ନାହାନ୍ତି। ତାଙ୍କ ଉତ୍ସାହ ଉପରେ ଉତ୍ତେଜନା ଅଧିକ ପ୍ରଭାବଶାଳୀ ହୋଇଛି। ଯାହାଫଳରେ ଏମିତି ହିଁ ଏକ ଦୁଃସାହସିକ ରିପୋର୍ଟିଂ ଶେଷରେ ଅରିନ୍ଦମଙ୍କ ଜୀବନ ନେଇଛି।

ଏଇ ଘଟଣା ପରେ ଗୋଟିଏ ପ୍ରଶ୍ନ ଉଠିବା ସ୍ୱାଭାବିକ। ପ୍ରକୃତରେ ସାମ୍ବାଦିକତା କରିବା ପାଇଁ ବା ଲୋକଙ୍କ ନିକଟରେ ଖବର ପହଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବା କେତେଦୂର ଯୁକ୍ତିଯୁକ୍ତ? କେହି କେବେ କାହିଁକି ବିଧିବଦ୍ଧ ଭାବେ ଏଭଳି ଦୁଃସାହସିକ ପଦକ୍ଷେପକୁ ନୀତିଗତ ନିଷ୍ପତ୍ତି ନେଇ ରୋକିବାକୁ ଚେଷ୍ଟା କରିନାହାନ୍ତି? ଏହି ଘଟଣା ଆମର ବିଭିନ୍ନ ଟେଲିଭିଜନ୍ ଚାନେଲ୍ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଉପରେ ଏକ ପ୍ରଶ୍ନବାଚୀ ନୁହେଁ କି? ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ସାମ୍ବାଦିକର ଜୀବନକୁ ବାଜି ଲଗାଯାଇପାରିବ କି? ଏମିତି ଅନେକ ଅସମାହିତ ପ୍ରଶ୍ନ ଉପରେ ଟେଲିଭିଜନରେ କାମ କରୁଥିବା ସାମ୍ବାଦିକ, ସମ୍ପାଦନାମଣ୍ଡଳୀ, ଏହାର ପରିଚାଳକ ଏବଂ ମାଲିକ ସମସ୍ତେ ଆତ୍ମସମୀକ୍ଷା କରିବା ଦରକାର ନିଶ୍ଚିତ। ତା’ ନହେଲେ ଏଭଳି ଦୁଃସାହସୀଙ୍କ ଦ୍ୱାରା ପ୍ରୋତ୍ସାହିତ, ପ୍ରଭାବିତ ଏବଂ ଅନୁପ୍ରାଣିତ ହୋଇ ଆଗକୁ ଯେ ଆଉ କୌଣସି ଯୁବ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇବ ନାହିଁ, ସେ କଥା କହିବା ମୁସ୍କିଲ୍।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #Reporting #Reporter #Television #Media #Reporting

Comment