ଓଡ଼ିଶାଲାଇଭ୍ ବ୍ୟୁରୋ

ରସଗୋଲା ହେଉ ଅବା ଜଳବାୟୁ ପରିବର୍ତ୍ତନ। ମହିଳା ସଶକ୍ତିକରଣଠାରୁ ନେଇ ଦକ୍ଷତା ବିକାଶ। କେତେବେଳେ ତାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି ପ୍ରେମଭରା ଗୀତ ତ’ ଆଉ କେତେବେଳେ ବିରହ ଯୁକ୍ତ। ଏମିତି ବିଭିନ୍ନ ଗୀତକୁ ଯିଏ ନିଜ ସୁମଧୁର କଣ୍ଠରେ ସଜେଇଛନ୍ତି ସେ ହେଲେ ଗାୟିକା ସୁସ୍ମିତା ଦାସ।

ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବାରେ ସୁସ୍ମିତା ଦାସ ଯେତିକି ପାରଙ୍ଗମ ଆଧୁନିକ ଗୀତରେ ମଧ୍ୟ ସେତିକି ଦକ୍ଷ। ତାଙ୍କ ଗୀତରେ ଏକ ନିଆରା ସ୍ୱାଦ ଥିବାରୁ ଓଡ଼ିଶାର ପୁରପଲ୍ଲୀରେ ତାହା ଗୁଞ୍ଜରିତ ହୋଇଥାଏ।

ସୁସ୍ମିତାଙ୍କ ଘର କଟକ ଜିଲ୍ଲାରେ। ଏକ ଯୌଥ ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ଗୀତ ଗାଇବାକୁ ତାଙ୍କର ଇଚ୍ଛା ଥିଲେ ବି ସେ ଗାଇପାରୁନଥିଲେ। ଆଇଏଫ୍‌ଏସ୍‌ ଅଫିସର ସିଦ୍ଧାନ୍ତ ଦାସଙ୍କୁ ବିବାହ କରିବା ପରେ ସେ ବିଧିବଦ୍ଧ ଭାବେ ସଙ୍ଗୀତ ଜଗତକୁ ଆସିଥିଲେ।

ସୁସ୍ମିତା କୁହନ୍ତି, ‘‘୧୯୮୫ରେ ମୋର ବାହାଘର ହେଲା। ମୋ ଶ୍ୱଶୂର ଥିଲେ ପୋଲିସ ଡିଜି। କିନ୍ତୁ ତାଙ୍କର ସଙ୍ଗୀତରେ ରୁଚି ଥିଲା। ମୋ ଶାଶୂ ମଧ୍ୟ ଭଲ ଭାଓଲିନ୍‌ ବଜାଉଥିଲେ। ମୁଁ ଗୀତ ଗାଏ ବୋଲି ଜାଣି ମୋ ଶାଶୂ, ଶ୍ୱଶୂର ମତେ ପ୍ରେରଣା ଦେଇଥିଲେ। ତା’ ପରେ ମୁଁ ସଙ୍ଗୀତ ଦୁନିଆକୁ ଆସିଲି’’

୧୯୮୭ ମସିହାରେ ସୁସ୍ମିତା ଦାସ ଆକାଶବାଣୀର ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଆକାଶବାଣୀରେ କଣ୍ଠଦାନ କରିବା ଆରମ୍ଭ କରିଥିଲେ। ତା’ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ସେ ବିଭିନ୍ନ ମଞ୍ଚରେ ଗୀତ ଗାଇଛନ୍ତି।

ମାୟାଧର ମାନସିଂହଙ୍କ ‘ଧୂପ’ କବିତା ସଙ୍କଳନରୁ ଆସିଥିବା ‘ମାୟଦର୍ପଣ’ ଆଲବମ୍‌ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ‘ହାତୀ ସଜ କର’, ‘ଗୋଟିଏ ଶାରୀ’, ‘ନୂଆ ଲୁହ ପୁରୁଣା ଲୁହ’ ଆଲବମ୍‌ କରି ବେଶ୍‌ ଚର୍ଚ୍ଚା ସାଉଣ୍ଟିଛନ୍ତି ସୁସ୍ମିତା।

ଓଡ଼ିଶାଲାଇଭ୍‌କୁ ଦେଇଥିବା ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ସୁସ୍ମିତା ଦାସ ତାଙ୍କ ଜୀବନର ଏମିତି ତମାମ ରୋମାଞ୍ଚକର ଘଟଣା ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି।

Tags: #SusmitaDas #OdiaSong #ClassicalSong #Odisha #ଶାସ୍ତ୍ରୀୟସଙ୍ଗୀତ
#ସୁସ୍ମିତାଦାସ

LEAVE A REPLY

Please enter your comment!
Please enter your name here