ଓଡ଼ିଶାଲାଇଭ୍ ବ୍ୟୁରୋ

‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନିଂ’ରେ କ୍ୟାରିୟର କରିବାକୁ ଚାହୁଁଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଏକ ସୁଯୋଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ ଖୋଲିଥିବା ଦକ୍ଷତା ବିକାଶ କେନ୍ଦ୍ର ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ରେ ଏହି ଆଧୁନିକ ବିଷୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ଦୁଇଟି ପାଠ୍ୟକ୍ରମର ଅବଧି ହେଉଛି ୧ ବର୍ଷ। ଯୁକ୍ତ ୨ ଉତ୍ତୀର୍ଣ୍ଣ କିମ୍ବା ଯେ କୌଣସି ବିଷୟରେ ଡିପ୍ଳୋମା ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଏଥିପାଇଁ ପ୍ରାର୍ଥୀଙ୍କ ବୟସ ୧୭ରୁ ୩୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ।

ଏହି ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରାର୍ଥୀଙ୍କୁ ମାତ୍ର ୫ ହଜାର ଟଙ୍କା ଦେବାକୁ ପଡ଼ିବ। ପ୍ରାର୍ଥୀମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ଯୋଗାଇଦେବା ସହିତ ସେମାନଙ୍କର ଖାଇବା ଓ ରହିବା ତଥା କେନ୍ଦ୍ରକୁ ଯାତାୟତ ବାବଦ ସମସ୍ତ ସୁବିଧା ମାଗଣାରେ ମିଳିବ।

ଆଗ୍ରହୀ ପ୍ରାର୍ଥୀମାନେ ୱେବସାଇଟ୍ www.worldskillcenter.org/admissions ଜରିଆରେ ନାମ ଲେଖା ବାବଦରେ ଅଧିକ ସୂଚନା ପାଇପାରିବେ।

‘‘ଏହି କେନ୍ଦ୍ରରେ ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ କ୍ଲାସରୁମ ଓ ଲାବୋରେଟୋରି ରହିଛି। ଏହାଛଡ଼ା ସେମାନଙ୍କୁ ତାଲିମ ଦେବା ଲାଗି ସିଙ୍ଗାପୁରରୁ ତାଲିମ ନେଇଥିବା ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। ତେଣୁ ପ୍ରାର୍ଥୀମାନେ ସୁବିଧାରେ ଏହି ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ନେଇ ସେମାନଙ୍କ ଜୀବିକା ବିକାଶ ପାଇଁ ବାଟ ବାହାର କରିପାରିବେ’’, କହିଛନ୍ତି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା।

ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରି ସେମାନଙ୍କୁ ରୋଜଗାରକ୍ଷମ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରଠାରେ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ ସ୍ଥାପନ କରାଯାଇଛି। ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନର ମିଳିତ ସହଯୋଗରେ ଏହା ଆରମ୍ଭ କରାଯାଇଛି।

ୱାର୍ଲ୍ଡ ସ୍କିଲ ସେଣ୍ଟର ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ପ୍ରମୁଖ ଆକର୍ଷଣ ହେବାକୁ ଯାଉଛି। ଏଠାରେ ପ୍ରାର୍ଥୀମାନଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ସହ ବ୍ୟକ୍ତିତ୍ୱ ବିକାଶର ଶିକ୍ଷା ଦିଆଯାଇ ସେମାନଙ୍କୁ ଦକ୍ଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Tags: #SkillDevelopment #AdvancedSkillingFacilities #Education #BeautyAndWellness #OdishaGovt #Course

LEAVE A REPLY

Please enter your comment!
Please enter your name here