ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହିରେ ଦୁର୍ଗାପୂଜା ଅବସରରେ ମା’ଙ୍କୁ ଭିନ୍ନ ପରମ୍ପରାରେ ପୂଜା କରାଯାଏ

ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ। ମା’ ଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଭକ୍ତଗଣ। କିଏ କେତେ ଭାବ ଓ ଭକ୍ତିରେ ପୂଜା କରିଥାନ୍ତି। ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହିରେ ଭିନ୍ନ ରୂପରେ ପୂଜା ପାଆନ୍ତି ମା’। ଏଠାରେ ମା’ଙ୍କୁ କୁମାରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ ରହିଆସିଛି।

ଦୁର୍ଗାପୂଜା ଆସିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହି ହୋଇଉଠେ ଉତ୍ସବ ମୁଖର। ମା’ ଦୁର୍ଗା ଧରା ପୃଷ୍ଠକୁ ଓହ୍ଲାଇବା ପାଇଁ ଏଠି ଅପେକ୍ଷାରେ ଥା’ନ୍ତି ଭକ୍ତଗଣ। ଏଠାରେ ଘରେ ଘରେ ନିଆରା ପୂଜା ବିଧିର ପରମ୍ପରା ହୋଇଆସୁଛି। ପ୍ରାୟ  ୫୦୦ ବର୍ଷରୁ ଅଧିକ ହେଲାଣି ଏଠି ମା’ଙ୍କୁ ଭକ୍ତମାନେ ନିଜର କନ୍ୟା ରୂପରେ ଦେଖିଥାନ୍ତି। ବର୍ଷକରେ ଥରେ କନ୍ୟା ଯେମିତି ବାପ ଘରକୁ ବୁଲି ଆସନ୍ତି ସେମିତି ମା’ଙ୍କ ପାଇଁ ସବୁରି ଘରେ ଚାଲେ ପିଠାପଣାର ଆସର। ନୂଆ ପୋଷାକ ସାଙ୍ଗକୁ ସ୍ଵାଦିଷ୍ଟ ବ୍ୟଞ୍ଜନରେ ମହକେ ସାହି।

ସାହି ମୁଣ୍ଡରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରିଥାନ୍ତି କାରୀଗର। ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ। ମା’ଙ୍କୁ ଏଠି କାଳିକା ତନ୍ତ୍ରରେ ପୂଜା କରାଯାଏ। ବଙ୍ଗୀୟ ବ୍ରାହ୍ମଣ ଯଥା ଚକ୍ରବର୍ତ୍ତୀ, ମୁଖାର୍ଜୀ ଓ ମିଶ୍ର ସାଙ୍ଗିଆଧାରୀ ବ୍ରାହ୍ମଣମାନେ ଏଠି ମା’ଙ୍କର ପୂଜା କରିଥାନ୍ତି।

ନବମୀ ତିଥିରେ ମା’ଙ୍କର କୁମାରୀ ପୂଜା କରାଯାଏ। ସାହିର ୯ ଜଣ କୁମାରୀଙ୍କୁ ମା’ଙ୍କ ଛାମୁରେ ବସାଇ ପୂଜା କରାଯାଏ। ଏହି କୁମାରୀମାନଙ୍କର ବୟସ ୯ ବର୍ଷ ମଧ୍ୟରେ ରହିଥାଏ। ଯଦି ୯ ବର୍ଷର କୁମାରୀ ଏହି ସାହିରେ ନମିଳନ୍ତି ତେବେ ପାଖ ଓଡ଼ିଆ ସାହିରୁ ୯ ବର୍ଷର କନ୍ୟାଙ୍କୁ ଆଗରୁ ଖୋଜି ଯୋଗାଡ଼ କରାଯାଇଥାଏ। ସେଦିନ ଏହି କନ୍ୟାଙ୍କ ସହ ତାଙ୍କର ପରିବାର ସମସ୍ତ ସଦସ୍ୟ ବ୍ରତ ପାଳିଥାନ୍ତି।

ମୁଣ୍ଡରେ ଓଢ଼ଣା ଢାଙ୍କି ଏହି କନ୍ୟାମାନଙ୍କୁ ଦେବୀ ରୂପରେ ସଜେଇ ଦିଆଯାଏ। ମା’ଙ୍କ ଚରଣ ତଳେ ବସାଇ ଅଭିମନ୍ତ୍ରିତ କରାଯାଏ। ପରେ କାଳିକା ତନ୍ତ୍ରରେ ପୂଜାପାନ୍ତି ଏହି ନବ କୁମାରୀ। ଦିନ ଦ୍ଵିପ୍ରହର ମଧ୍ୟରେ ପୂଜା ଶେଷ ହେବା ପରେ ବ୍ରତ ସମାପନ କରିଥାନ୍ତି ଏହି ବଙ୍ଗୀୟମାନେ। ପଟ୍ଟାମୁଣ୍ଡାଇ ସହରରେ ଅନେକ ସ୍ଥାନରେ ଦୁର୍ଗା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିଲେ ମଧ୍ୟ ବଙ୍ଗାଳି ସାହିର ଏହି ନିଆରା ଦୁର୍ଗାପୂଜା ଦେଖିବାକୁ କାହିଁ କେଉଁଠୁ ଭକ୍ତମାନେ ଏଠାକୁ ଆସି ମା’ଙ୍କ ଆଶୀର୍ବାଦ ନେଇଥାନ୍ତି।

Tags: #Culture #Festival #DurgaPuja #KumariPuja #Festival

LEAVE A REPLY

Please enter your comment!
Please enter your name here