ଓଡ଼ିଶାଲାଇଭ୍ ବ୍ୟୁରୋ

 

କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ? ଗୋଟିଏ ପଟେ ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଲଢ଼ିବେ ନାହିଁ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିବାବେଳେ ଏହି ରେସରେ ଅନେକ ଦାବିଦାରଙ୍କ ନାଁ ଯୋଡ଼ି ହେବାରେ ଲାଗିଛି। 

କଂଗ୍ରେସ ଅଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଆସନ୍ତା ଅକ୍ଟୋବର ୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ଏହା ପରେ ଅକ୍ଟୋବର ୧୭ ତାରିଖ ଦିନ କଂଗ୍ରେସର ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ ତାରିଖରେ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ଘୋଷଣା କରାଯିବ। ତେବେ କିଏ ହେବେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଗୋଟିଏ ପଦବୀ, ଅନେକ ଦାବିଦାର

ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଥିବାବେଳେ ରାହୁଲ ନିର୍ବାଚନ ଲଢ଼ନ୍ତୁ ବୋଲି କେରଳ କଂଗ୍ରେସ ଦାବି କରୁଛି। ଏହି ରେସରେ ଏବେ ଅନେକ ଦାବିଦାରଙ୍କ ନାଁ ଯୋଡ଼ି ହେବାରେ ଲାଗିଛି। ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁ ଚର୍ଚ୍ଚା ହେଉଥିଲା। ଏବେ ଏହି ପଦବୀ ପାଇଁ କଂଗ୍ରେସ ସାଂସଦ ମନୀଷ ତିୱାରୀ ଏବଂ ଦିଗବିଜୟ ସିଂହଙ୍କ ନାଁ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ଵାନ ମଧ୍ୟ ଏହି ରେସରେ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି।

ବଦଳିଲା ଗେହଲଟଙ୍କ ସ୍ଵର

ନିଜର ସ୍ଵର ବଦଳାଇଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ମନ୍ତ୍ରୀ ପଦରେ ଥାଇ ଜଣେ ଅଧ୍ୟକ୍ଷ ହୋଇପାରିବ ବୋଲି ଅଶୋକ ଗେହଲଟ ପୂର୍ବରୁ ଯୁକ୍ତି ବାଢ଼ିଥିଲେ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଆଜି ଗେହଲଟଙ୍କ ସହ ଏ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ ନିଜ କଥାରେ ଅଟଳ ରହିଥିଲେ ଅଶୋକ ଗେହଲଟ। କିନ୍ତୁ ରାହୁଲ ଗାନ୍ଧୀ ମୁହଁ ଖୋଲିବା ପରେ ବଦଳି ଯାଇଥିଲା ଗେହଲଟଙ୍କର ସ୍ଵର।

‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ଏହା ଉଦୟପୁର ସଙ୍କଳ୍ପ ସମାବେଶରେ ପାରିତ ହେବା କଥା ରାହୁଲ ଗାନ୍ଧୀ ମନେ ପକାଇବା ପରେ ଗେହଲଟଙ୍କୁ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ଗେହଲଟ ନିର୍ବାଚନ ଲଢ଼ିବାକୁ ରାଜି ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକମାନେ ନିରାଶ ହୋଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କାରଣ ଗେହଲଟ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ିବା ପରେ ଏହି ପଦବୀରେ ବସିବା ପାଇଁ ସଚିନ ପାଇଲଟ ପ୍ରଥମ ପସନ୍ଦ ବୋଲି କୁହାଯାଉଛି।

ଚର୍ଚ୍ଚାରେ ମନୀଷ ତିୱାରୀ

କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ମନୀଷ ତିୱାରୀଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଆସନ୍ତା ୨୪ ତାରିଖରେ ଦିଲ୍ଲୀରେ ପହଞ୍ଚି ନିଜ ସମର୍ଥକଙ୍କ ସହ ଆଲୋଚନା କରି ସେ ନିର୍ବାଚନ ଲଢ଼ିବା ଉପରେ ନିଷ୍ପତ୍ତି ନେବେ ବୋଲି ଶୁଣିବାକୁ ମିଳିଛି। ମନୀଷ ତିୱାରୀ ଏହା ପୂର୍ବରୁ ୫ ବର୍ଷ ପର୍ଯ୍ୟନ୍ତ ଏନଏସୟୁଆଇ ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ ଯୁବ କଂଗ୍ରେସର ଅଧ୍ୟକ୍ଷ ରହିସାରିଛନ୍ତି।

ଅଧ୍ୟକ୍ଷ ଦୌଡ଼ରେ ଦିଗବିଜୟ ସିଂହ

କଂଗ୍ରେସ ଅଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଦିଗବିଜୟ ସିଂହ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ୩୦ ତାରିଖ ଦିନ ଏହି ରେସରେ କେଉଁମାନେ ରହିଛନ୍ତି ତାହା ଜଣାପଡ଼ିବ ବୋଲି ଦିଗବିଜୟ ସିଂହ କହିଛନ୍ତି। ସେ କହିଛନ୍ତି ଯଦି ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ନହୁଅନ୍ତି ତେବେ ବି ନେହେରୁ-ଗାନ୍ଧୀ ପରିବାରର ଭୂମିକା ବଦଳିବ ନାହିଁ।

ତେବେ ପ୍ରାର୍ଥିପତ୍ର ଦାଖଲ ଏବଂ ପ୍ରତ୍ୟାହାର ପରେ ସ୍ପଷ୍ଟ ହୋଇଯିବ କିଏ ରହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦବୀ ନିର୍ବାଚନ ଦୌଡ଼ରେ।

Tags: #Politics #IndianPolitics #Congress #PresidentElection #RahulGandhi #AshokGehlat #ShashiTharoor

Comment