ଓଡ଼ିଶାଲାଇଭ୍ ବ୍ୟୁରୋ

ସମୟ ବଦଳିବା ସହ କଟକର ଦୁର୍ଗା ପୂଜା ପାଳନର ଢଙ୍ଗ ବି ବଦଳୁଛି। ଏବେ ଅଧିକାଂଶ ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଶୋଭା ପାଉଥିବାବେଳେ ଆଉ କିଛି ପୂଜା ମଣ୍ଡପରେ ମା’ଙ୍କୁ ସୁନା ଅଳକଙ୍କାର ଲାଗି କରାଯାଉଛି। ଚାନ୍ଦି ଓ ସୁନା ଭିତରେ ଆଜି ମଧ୍ୟ ଜରି ମେଢ଼ର ଚମକ ହଜିନି। ଏବେ ବି କଟକର ବହୁ ପୂଜା ମଣ୍ଡପରେ ଜରି ମେଢ଼ ଆକର୍ଷଣ ପାଲଟିଛି। ଏହି ଜରି ମେଢ଼ ତିଆରିରେ ମୁସଲମାନ କାରିଗରଙ୍କର ପ୍ରମୁଖ ଅବଦାନ ରହିଛି। ଦୁର୍ଗା ପୂଜାରେ ମୁସଲମାନ ସମ୍ପ୍ରଦାୟଙ୍କ ଅବଦାନ ଭାଇଚାରା ପରମ୍ପରାକୁ ଆହୁରି ମଜଭୁତ କରିପାରିଛି।

ଦୁର୍ଗାପୂଜା ସମୟରେ ଭାଇଚାରାର ସହର କଟକରେ ମୁସଲମାନ ସମ୍ପ୍ରଦାୟର କାରିଗରମାନଙ୍କର ଅବଦାନକୁ ଭୁଲି ହେବ ନାହିଁ। ଜରିମେଢ ନିର୍ମାଣରେ ପୁରୁଷ ପୁରୁଷ ଧରି ମୁସଲମାନ କାରିଗରମାନନଙ୍କର ପ୍ରମୁଖ ଅବଦାନ ରହି ଆସିଛି।

କେମିତି ତିଆରି ହୁଏ ଜରିମେଢ଼ ?

ପ୍ରଥମେ ବାଉଁଶ କଣିରେ ବନ୍ଧାଯାଏ ମେଢ। ଏହାପରେ ତିଆରି କରାଯାଏ ଛାଞ୍ଚ। ଏହା ଉପରେ ଜରି, କାଗଜ ପ୍ଲେଟ ଆଦିରେ ତିଆରି କରାଯାଏ ସୁନ୍ଦର ସୁନ୍ଦର ଡିଜାଇନ। ଜରିମେଢ, କାଗଜ ମେଢ଼ ହେଉ କିମ୍ବା ପ୍ଲେଟମେଢ଼, ଭାରି ଯତ୍ନର ସହିତ କରିବାକୁ ପଡ଼େ ଏହି କାମ। ଡିଜାଇନ୍ ପ୍ରସ୍ତୁତ ହୋଇଯିବା ପରେ ତା’ ଉପରେ ଚୁମକି ସଜାଇ ଦିଆଯାଏ।

ଜରି, କାଗଜ, ଭେଲଭେଟ, ଜମ୍ବୁରା, କାର୍ଡ ବୋର୍ଡ ପେପର, ସୋଲ ଆଦିକୁ କାଟିବା ପରେ ତା’ ଉପରେ ଆଙ୍କିବାକୁ ପଡ଼େ ଭିନ୍ନ ଭିନ୍ନ ଡିଜାଇ। ତା’ ଉପରେ ସଜାଯାଏ ବୁଲିଏନ, ଚୁମକି, ଭେଲଭେଟ ଆଦି ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଚିକମିକ ସାମଗ୍ରୀ। ମେଢ଼ ସାଜସଜା କ୍ଷେତ୍ରରେ ଜରି ମେଢ଼ ଯେତିକି ପୁରୁଣା ସେତିକି ଆକର୍ଷଣୀୟ ମଧ୍ୟ। ଚାନ୍ଦିମେଢ଼ ଗୋଟିଏ ଡିଜାଇନରେ ପ୍ରତି ବର୍ଷ ଶୋଭାପାଉ ଥିବା ବେଳେ, ନୂଆ ନୂଆ ଡିଜାଇନ ଦେଖିବାକୁ ମିଳେ ଜରିମେଢ଼, ପ୍ଲେଟ ମେଢ଼ ଗୁଡ଼ିକରେ।

ପୁରୁଷଙ୍କ ସହ ମୁସଲମାନ ପରିବାରର ମହିଳାମାନେ ମଧ୍ୟ ଲାଗିପଡନ୍ତି ମା’ ମେଢ଼ ପ୍ରସ୍ତୁତିରେ। ଦୁର୍ଗା ପୂଜାର ଦୁଇ ତିନି ମାସ ଆଗରୁ କାମ ଆରମ୍ଭ କରି ଦିଅନ୍ତି ମୁସଲିମ୍ କାରିଗରମାନେ। କେବଳ କଟକ ସହର ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବେଶ ପ୍ରସିଦ୍ଧି ରହିଛି ଏହି କାରିଗରମାନଙ୍କର।

ଏବେ ଜରି ମେଢ଼ ପରମ୍ପରା ବଞ୍ଚି ରହିଥିବାବେଳେ ଏଥିରେ ପରିଲକ୍ଷିତ ହୋଇଛି ସାମାନ୍ୟ ଭିନ୍ନତା। ଚାହିଦା ଅନୁଯାୟୀ ଯୋଡ଼ା ଯାଉଛି କିଛି ନୂଆ ନୂଆ ମେଟେରିଆଲ। ଉଭୟ ଚାନ୍ଦି ମେଢ ତଥା ଜରି-ବୁଲିଆନ୍-ପ୍ଲେଟ ମେଢ ଗୁଡିକର ଅଲଗା ଅଲଗା ସ୍ୱତନ୍ତ୍ରତା ଓ ଆକର୍ଷଣ ରହିଥିବା ମତ ଦିଅନ୍ତି କଟକବାସୀ।

ମୁସଲମାନ ଭାଇ ଭଉଣୀମାନେ ମା’ ଦୁର୍ଗାଙ୍କର ମେଢ଼ ତିଆରିରେ ବିଗତ ଅନେକ ବର୍ଷ ଧରି ସାମିଲ ହୋଇ ଆସୁଛନ୍ତି। ପବିତ୍ର ରମଜାନ୍ ମାସରେ ଯେତେବେଳେ ମୁସଲମାନ ଭାଇଭଉଣୀମାନେ ନିଷ୍ଠାର ସହିତ ରୋଜା ବ୍ରତ ପାଳନ କରନ୍ତି ସେତେବେଳେ ହିନ୍ଦୁ ଘରୁ ମଧ୍ୟ ମସଜିଦକୁ ଆସିଥାଏ ଇଫତାର୍ ଥାଳି।

୮୦ ପୂଜା ମଣ୍ଡପରେ ମା’ ଦୁର୍ଗା

ବିଡ଼ାନାସୀଠାରୁ କହ୍ନେଇପୁର ଏପଟେ ଜଗତପୁରଠାରୁ ଫୁଲନଖରା ପର୍ଯ୍ୟନ୍ତ ଅଞ୍ଚଳ ଏବେ ଉଠୁଛି ପଡୁଛି। କାରଣ ପାର୍ବଣ ପାଇଁ ଏସବୁ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଛି।

ଏହି ଅଞ୍ଚଳଗୁଡ଼ିକରେ ଚଳିତ ବର୍ଷ ପ୍ରାୟ ୧୬୭ଟି ପୂଜା ମଣ୍ଡପରେ କରାଯାଉଛି। କେବଳ କଟକ ସହର ଭିତରେ ୧୪୦ଟି ପୂଜା ମଣ୍ଡପରେ ଚାଲିଛି ଦୁର୍ଗାପୂଜା। ଏହା ଭିତରୁ ୮୦ ପାଖାପାଖି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ପୂଜା ରୀତିନୀତି ଅନୁଯାୟୀ ମହାଷଷ୍ଠୀଠାରୁ ଆରମ୍ଭ ହୋଇଯାଇଛି। ଅନ୍ୟ ମଣ୍ଡପଗୁଡ଼ିକରେ କେଉଁଠି ହରପାର୍ବତୀ ପୂଜା ପାଉଛନ୍ତି ତ ଅନ୍ୟ ଦେବାଦେବୀଙ୍କର ଆରାଧନା କରାଯାଉଛି।

Tags: #DurgaPuja #Dashera #Festival #Culture #CTCDurgaPuja

Comment