ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ୨୧ ଜଣ ମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା। ଏହି ତାଲିକା ଅନୁସାରେ ସବୁଠାରୁ ଧନୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପତ୍ତି ତାଲିକାରେ ମୁଖମନ୍ତ୍ରୀଙ୍କ ପଛରେ ରହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ସବୁଠାରୁ ଶେଷରେ ରହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇଥିବା ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଗତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ରହିଛି ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା। ହାତ ଗଣତି କେତେ ଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଅନ୍ୟ ମନ୍ତ୍ରୀମାନେ କୋଟିପତି ବୋଲି ତାଲିକାରୁ ଜଣାପଡ଼ିଛି। ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଥିବା ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ପତ୍ତି ୩୪ କୋଟି ଟଙ୍କାରୁ ଅଧିକ ଦର୍ଶାଯାଇଛି। ତାଙ୍କ ପତ୍ନୀଙ୍କ ନାଁରେ ରହିଥିବା ୬୫ଟି ଗାଡ଼ି ମଧ୍ୟରେ ଅଧିକାଂଶ ମର୍ସିଡିଜ ରହିଛି। ୩ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ରହିଛି। ୧୮ ଗାଡ଼ି କେବଳ ୨୦୨୧ ମସିହାରେ କିଣା ଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୪ କୋଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସତ୍ୟପାଠ ଅନୁଯାୟୀ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ତାଙ୍କର ୭୨ ଲକ୍ଷ ଟଙ୍କା, ଭୁବନେଶ୍ଵରସ୍ଥିତ ଏସବିଆଇରେ ୨୧ ଲକ୍ଷ ୭୧ ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଏସବିଆଇରେ ୭ ହଜାର ୭୪ ଟଙ୍କା ଏବଂ ଅନ୍ୟ ଏକ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ରହିଛି। ଏହା ସହିତ ବ୍ୟାଙ୍କ ଅଫ ଇଣ୍ଡିଆରେ ୧,୧୧,୨୬,୩୭୯ କୋଟିର ଏଫଡି ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ୯ କୋଟି ଟଙ୍କାର ଆରବିଆଇ ବଣ୍ଡ ଏବଂ ପୋଷ୍ଟ ଅଫିସରେ ୧ କୋଟି ଟଙ୍କାର ଟର୍ମ ଡିପୋଜିଟ ରହିଛି। ଏହା ସହିତ ୩,୪୫,୩୩୬ ଟଙ୍କା ମୂଲ୍ୟର ସୁନା ଗହଣା ଏବଂ ୧୯୮୦ ମସିହାର ଏକ ଆମ୍ବାସଡର କାର ରହିଛି। ବର୍ତ୍ତମାନ ଯାହାର ମୂଲ୍ୟ ୬,୪୩୬ ଟଙ୍କା ହେବ।

ମୁଖ୍ୟମନ୍ତ୍ରୀଙ୍କର ମୋଟ ୬୪ କୋଟିର ସମ୍ପତ୍ତି ମଧ୍ୟରୁ ୫୨ କୋଟିରୁ ଅଧିକ ପୈତୃକ ସମ୍ପତ୍ତି ରହିଛି। ମୁଖ୍ୟମନ୍ତ୍ରୀଙ୍କର ନବୀନ ନିବାସରେ ଦୁଇ ତୃତୀୟାଂଶ ସେୟାର ରହିଛି, ଯାହାର ମୂଲ୍ୟ ୯,୫୨,୪୬,୧୯୦ ଟଙ୍କା ରହିଛି। ଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କାଲାମ ରୋଡରେ ଥିବା ସମ୍ପତ୍ତିରେ ମୁଖ୍ୟମନ୍ତ୍ରୀଙ୍କର ୫୦ ପ୍ରତିଶତ ସେୟାର ରହିଛି। ବର୍ତ୍ତମାନ ଏହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ। ୨୦୨୦ ମସିହାରେ ଫରିଦାବାଦରେ ଏକ ଫାର୍ମ ହାଉସ ଥିଲା ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ହେବ। ଏହି ଫାର୍ମହାଉସକୁ ମୁଖ୍ୟମନ୍ତ୍ରୀ ବିକ୍ରି କରିଦେଇଛନ୍ତି।

ସମ୍ପତ୍ତି ତାଲିକା ଅନୁସାରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ କୋଟିପତି। ତାଙ୍କ ପାଖରେ ୩ଟି କାର ରହିଛି। ଯାହାର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ। ଏହା ସହ ତାଙ୍କ ପାଖରେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ପାଖରେ ନଗଦ ୫ ଲକ୍ଷ ଟଙ୍କା ରହିଛି। ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପତ୍ତି ମୂଲ୍ୟ ୨ କୋଟିରୁ ଅଧିକ ରହିଛି। ଏଥିରେ ଉଭୟ ପୈତୃକ ଓ ନିଜସ୍ଵ ସମ୍ପତ୍ତି ରହିଛି।

ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମ୍ପତ୍ତିର ମୂଲ୍ୟ ଦେଢ଼ କୋଟିରୁ ଅଧିକ ରହିଛି। ଏଥିରେ ୧.୧୦ କୋଟି ମୂଲ୍ୟର ପୈତୃକ ସମ୍ପତ୍ତି ସହିତ ୯ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ୨ଟି ଗାଡ଼ି ରହିଛି। ସେ ବ୍ୟାଙ୍କରୁ ୬ ଲକ୍ଷ ଟଙ୍କାର ଋଣ କରିଥିବା ଦର୍ଶାଯାଇଛି।

ପ୍ରକାଶିତ ସମ୍ପତ୍ତି ତାଲିକା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କା ସମ୍ପତ୍ତି ମୂଲ୍ୟ ୭୦ ଲକ୍ଷରୁ ଅଧିକ ରହିଛି। ତାଙ୍କ ପାଖରେ ୨୧ ଲକ୍ଷ ଟଙ୍କାର ଇନୋଭା କାର ଓ ୫ ଲକ୍ଷ ଟଙ୍କା ସୁନା ଅଳଙ୍କାର ରହିଛି।

ସବୁଠାରୁ କମ ସମ୍ପତ୍ତିର ମାଲିକ ହେଉଛନ୍ତି ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ତାଙ୍କର ପାଖରେ ମୋଟ ୪୨ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି। ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ରହିଥିବାବେଳେ ତାଙ୍କ ପାଖରେ କୌଣସି କାର୍ ନାହିଁ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ପ୍ରାୟ ୨ କୋଟି ୭୩ ଲକ୍ଷ, ରଣେନ୍ଦ୍ର ସ୍ଵାଇଁଙ୍କର ୩ କୋଟି ୨୭ ଲକ୍ଷ, ପ୍ରତାପ ଦେବଙ୍କର ୬କୋଟି ୨୮ ଲକ୍ଷ ଓ ଜଗନ୍ନାଥ ସାରକାଙ୍କର ୬୦ ଲକ୍ଷ ଟଙ୍କାର ସପତ୍ତି ଥିବା ଦର୍ଶାଯାଇଛି।

ସେହିପରି ପ୍ରଦୀପ ଅମାତଙ୍କର ୧ କୋଟି ୨୬ ଲକ୍ଷ, ମନ୍ତ୍ରୀ ଟୁକୁନି ସାହୁଙ୍କର ୪ କୋଟି, ଅଶୋକ ପଣ୍ଡାଙ୍କର ୭ କୋଟି, ରାଜେନ୍ଦ୍ର ଢୋଲକିଆଙ୍କର ୧ କୋଟି ୩୪ ଲକ୍ଷ, ପ୍ରୀତିରଞ୍ଜନ ଘଡ଼େଇଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧ କୋଟି ଦର୍ଶା ଯାଇଛି। ମନ୍ତ୍ରୀ ପ୍ରତାପ ଦେବ, ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କର ଅଧିକ ଜମିଜମା ଥିବା ଜଣାପଡ଼ିଛି।

Tags: #Politics #CMOdisha #NaveenPatnaik #OdishaMinisters #PropertyDetails

Comment