ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ଏଠାରେ ଦଶହରାରେ ନିଆରା ପରମ୍ପରା ଦେଖିବାକୁ ମିଳେ। ସବୁଠାରୁ ବଡ଼ କଥା ହେଲା ଦଶହରା ଅବସରରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ବାଡ଼ି ଖେଳ। କେବଳ ପୁରୁଷ ନୁହନ୍ତି କିଶୋରୀମାନଙ୍କୁ ମଧ୍ୟ ନିଜର କୌଶଳ ପ୍ରଦର୍ଶନ ପାଇଁ ସୁଯୋଗ ମିଳିଥାଏ ଏହି ଅବସରରେ।

ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି ପୂଜା କରୁଥିଲେ। ଏହା ୧୭୦୦ ମସିହା ପୂର୍ବର କଥା ବୋଲି କୁହାଯାଏ।

୧୮୬୩ ମସିହାରେ ଶ୍ୟାମାଚରଣ କରଙ୍କ ବଂଶଧରମାନେ ଦୁର୍ଗାଙ୍କ ମୂର୍ତ୍ତି କରି ନିଜ ବୈଠକଖାନାରେ ପୂଜା କରୁଥିବା ଇତିହାସ କହେ। ସେ ସମୟରୁ ଆଜି ପର୍ଯ୍ୟନ୍ତ ଦୁର୍ଗାପୂଜାର ବ୍ୟାପକ କ୍ରମୋନ୍ନତି ହେବା ସହ ସହରରେ ପ୍ରତିବର୍ଷ ପୂଜା ମଣ୍ଡପ ବୃଦ୍ଧି ପାଇବାରେ ଲାଗିଛି।

୧୯୭୪ ମସିହାରୁ କାଳୀମନ୍ଦିର ଦୁର୍ଗାପୂଜା କମିଟି ମା’ ଦୁର୍ଗାଙ୍କ ପୂଜାକୁ ଅତି ଧୁମ୍‌ଧାମ୍‌ର ସହ ପାଳନ କରି ଆସୁଛନ୍ତି।

ବାଡ଼ି ଖେଳ ମୁଖ୍ୟ ଆକର୍ଷଣ

ବାଲେଶ୍ୱର ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ବାଡ଼ିଖେଳ। ଆବାହମାନ କାଳରୁ ବାଲେଶ୍ୱର ସହରରେ ଏହି ପୁରାତନ ପରମ୍ପରା ରହିଆସିଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃତ୍ୱ ଭାବ ପ୍ରତିଷ୍ଠା ହେଉଛି ଏହାର ଉଦ୍ଦେଶ୍ୟ।
ପ୍ରତିବର୍ଷ ଉଭୟ ସମ୍ପ୍ରଦାୟର ଆଖଡ଼ା ଦଳ ଅଷ୍ଟମୀ ଦିନ ସକାଳୁ ସହରର ବିଭିନ୍ନ ସ୍ଥାନରୁ ବାହାରି ପୃଥକ ଶୋଭାଯାତ୍ରାରେ ମହାବୀର ମନ୍ଦିର ନିକଟରେ ପହଞ୍ଚିଥାନ୍ତି। ମନ୍ଦିର ନିକଟରେ ଖେଳ ପ୍ରଦର୍ଶନ କରିଥାନ୍ତି।
ଆଖଡ଼ା ଖେଳ ଭିତରେ ବନାଟି, ରୁକମାର, ଛେଡ଼ିବାଡ଼ି, ପରିବାଡ଼ି, ଖଣ୍ଡାଖେଳ ଦର୍ଶକଙ୍କ ମନ ମୋହିଥାଏ। ଏହି ଅବସରରେ କିଶୋରୀମାନେ ମଧ୍ୟ ନିଜ କ୍ରୀଡ଼ା ନୈପୁଣ୍ୟ ଦେଖାଇବାର ସୁଯୋଗ ପାଇଥାନ୍ତି। ୧୯୨୫ ମସିହାରେ ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ ଏହି ପରମ୍ପରା ଆରମ୍ଭ କରିଥିବା କୁହାଯାଉଛି।

Tags: #DurgaPuja #Dashera #Tradition #Culture #Festival #BaleswarDurgapuja

Comment