ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରେ ହେବ କଟକଣା ମୁକ୍ତ ଦୁର୍ଗପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥର ଯଥେଷ୍ଟ ପରିମାଣରେ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ୍ ପକ୍ଷରୁ ଆସନ୍ତା ଅକ୍ଟୋବର ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସହର ଭିତରେ ଭାରୀଯାନ ଯାତାୟତ ଉପରେ ରୋକ ଲାଗିଛି। ଏହି ନିୟମ ଅପରାହ୍ଣ ୪ରୁ ରାତି ୨ ପର୍ଯ୍ୟନ୍ତ ଲାଗୁ ହେବ।

କୋଭିଡ ମହାମାରୀ ପରେ ଚଳିତ ବର୍ଷ ଦୁର୍ଗାପୂଜାରେ ଭକ୍ତଙ୍କୁ ସାମିଲ ହେବାକୁ ସୁଯୋଗ ମିଳିବ। ଏଥର ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଭିଡ଼ ଜମିବ। ରାଜଧାନୀରେ ବିଭିନ୍ନ ସ୍ଥାନରୁ ଦର୍ଶକ ଏକାଠି ହେବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟିବାର ସମ୍ଭାବନା ମଧ୍ୟ ରହିଛି। ଏହି ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ, ସାଧାରଣ ଜନତା ଏବଂ ପଥଚାରୀଙ୍କ ସୁବିଧା ଦୃଷ୍ଟିରୁ ଅକ୍ଟୋବର ୧ ତାରିକରୁ ୫ ଦିନ ପର୍ଯ୍ୟନ୍ତ କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରଫିକ୍ ନିୟମକୁ କଡ଼ା କରାଯାଇଛି।

ସହରର ପ୍ରମୁଖ ରାସ୍ତାରେ ଭାରିଯାନ ପ୍ରବେଶ ଉପରେ କଟକଣା ରହିଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ବରମଣ୍ଡାଠାରୁ ପଳାସୁଣି ପର୍ଯ୍ୟନ୍ତ ସର୍ଭିସ ରୋଗଡ଼ରେ ଭାରିଯାନ ଉପରେ ରୋକ ଲଗାଯାଇଛି। ଏହା ସହିତ କେତେକ ପ୍ରମୁଖ ପୂଜା ମଣ୍ଡପ ନିକଟବର୍ତ୍ତୀ ରାସ୍ତା ଓ ପ୍ରବେଶସ୍ଥଳକୁ ବାଇକ ଯାଇପାରିବ ନାହିଁ ବୋଲି କୁହାଯାଇଛି।

କମିଶନରେଟ ପୋଲିସ୍ ପକ୍ଷରୁ ପ୍ରକାଶ ବିଜ୍ଞପ୍ତି ଅନୁସାରେ ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ପାଖ ରାସ୍ତା ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ଦେଇ ଭାରୀଯାନ ଚଳାଚଳ କରିପାରିବ ନାହିଁ। ଏହା ସହିତ ଫାୟାର ଟ୍ରେନିଂ ସ୍କୁଲ ଛକଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଜ କରୁଥିବା ପାଇକନଗର, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ପର୍ଯ୍ୟନ୍ତ ମଧ୍ୟ ଭାରୀଯାନ ଯାତାୟତ ଉପରେ କଟକଣା ରହିଛି।

ସିଆରପି ଛକଠାରୁ ପାଓ୍ଵାର ହାଉସ ଛକ ଏବଂ ଷ୍ଟୁଆର୍ଟ ସ୍କୁଲ ଓ ୟୁନିଟ ୮ ଡିଏଭି ସ୍କୁଲ ରାସ୍ତାରେ ଭାରୀଯାନ ଚଳାଚଳ କରିପାରିବ ନାହିଁ। ଜୟଦେବ ବିହାର ଛକଠାରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ବେହେରା ସାହି ଛକ ଏବଂ ଶାସ୍ତ୍ରୀ ନଗର ଛକ ଦେଇ ଭାରୀଯାନ ଯାତାୟତ ଉପରେ ରୋକ ଲଗାଯାଇଛି।

ସେହିପରି ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଏବଂ ପଟିଆ ଛକ ଦେଇ ଭାରୀଯାନ ଚଳାଚଳ କରିପାରିବ ନାହିଁ। ଆଚାର୍ଯ୍ୟ ବିହାର ଛକଠାରୁ ନ୍ୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ନିକୋ ପାର୍କ, ପଟେଲ ମାର୍ଗ, ହାଉସିଂ ବୋର୍ଡ, ରବୀନ୍ଦ୍ର ମଣ୍ଡପ ଏବଂ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଛି।

ଏହା ସହିତ ବାଣୀବିହାର ଛକଠାରୁ ଶିଶୁ ଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରୁପାଲି, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ ଏବଂ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ଦେଇ ଧାର୍ଯ୍ୟ ସମୟ ମଧ୍ୟରେ ଭାରୀଯାନ ଚଳାଚଳ କରିପାରି ନାହିଁ। ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା ବମିଖାଲ, ଲକ୍ଷ୍ମୀ ସାଗର, କଳ୍ପନା, ରବି ଟକିଜ ଏବଂ ସାମନ୍ତରାପୁର ଛକ ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ ରୋକ ଲାଗୁ କରାଯାଇଛି।

ବିଜ୍ଞପ୍ତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଜୟଦେବ ବିହାର ସର୍ଭିସ ରୋଡରେ ଆସୁଥିବା ସମସ୍ତ ଗାଡ଼ି ନୟାପଲ୍ଲୀ ଅଣ୍ଡର ପାସ ଦେଇ ଯାଇପାରିବେ ନାହିଁ। ସେହି ଗାଡ଼ିଗୁଡ଼ିକ ଚନ୍ଦକା-ବାରଙ୍ଗ ଦେଇ ବାଲିକୁଦାଠାରେ ୧୬ ନମ୍ବର ଜାତୀୟ ରାଜପଥରେ ମିଶିବେ।

ରାବଣ ପୋଡ଼ି ସମୟରେ କଟକ ପଟୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ବିହାରଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରି ନଗର, ପାଓ୍ଵାର ହାଉସ ଏବଂ ୟୁନିଟ ୮ ଡିଏଭି ସ୍କୁଲ ଛକ ଦେଇ ବାଲିକୁଦା ସିଆରପି ଛକରେ ମିଶିବେ।

ପୁରୀ ପଟୁ ବରମୁଣ୍ଡା ଅଭିମୁଖେ ଆସୁଥିବା ଗାଡ଼ିଗୁଡ଼ିକ ଲିଙ୍ଗିପୁର ଛକଠାରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁ ଭବନ, ସୁର କମ୍ପାନି, ଗଙ୍ଗନଗର ଏବଂ ଫାୟାର ଟ୍ରେନିଂ ସ୍କୁଲ ଛକ ଦେଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇପାରିବେ। ସେହିପରି ବରମୁଣ୍ଡା ପଟୁ ପୁରୀ ଅଭିମୁଖେ ଯିବାକୁ ଚାହୁଥିବା ଗାଡ଼ିଗୁଡ଼ିକ ସମାନ ରାସ୍ତା ଦେଇ ଲିଙ୍ଗିପୁର ଛକଠାରେ ଜାତୀୟ ରାଜପଥରେ ମିଶିବେ।

ସେହିପରି ପୁରୀ ପଟୁ କଟକ ଆଡ଼କୁ ଯିବାକୁ ଥିବା ସମସ୍ତ ଗାଡ଼ି କଳ୍ପନା, ଲକ୍ଷ୍ମୀ ସାଗର, ରସୁଲଗଡ଼ ରାସ୍ତାରେ ନଯାଇ ଲିଙ୍ଗିପୁର ଛକଠାରୁ ବାଇପାସ୍ ରୋଡରେ ଆସି ହାଇଟେକ୍ ମେଡିକାଲ ଛକଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ। ଏହା ସହିତ କଟକ ପଟୁ ପୁରୀ ଅଭିମୁଖେ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ସମାନ ରାସ୍ତା ଦେଇ ଲିଙ୍ଗିପୁର ଛକଠାରେ ଜାତୀୟ ରାଜପଥରେ ମିଶିବେ।

ଜନସାଧାରଣଙ୍କ ସୁରକ୍ଷିତ ଯାତାୟତ ନିମନ୍ତେ କମିଶନରେଟ ପୋଲିସ୍ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି। ନିୟମ ଖିଲାପକାରୀଙ୍କଠାରୁ ୫ଶହରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି କମିଶନରେଟ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Tags: #DurgaPuja #BhubaneswarDurgaPuja #TrafficRules #CommissioneratePolice #HeavyVehicles

Comment