ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କର ବିୟୋଗ ଘଟିଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୋମବାର ଦିନ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ଗତ କିଛି ଦିନ ହେଲା ବିଧାୟକ ବିଜୟ ରଞ୍ଜନ ସିଂହ ବରିହା ବରିହା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ବିଧାୟକଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯିବା ପରେ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବା ପରେ ମରଶରୀରକୁ ପଦ୍ମପୁର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି।

ସ୍ଵର୍ଗତ ବରିହା ପଦ୍ମପୁରରୁ ୫ ଥର ନିର୍ବାଚିତ ହୋଇଥିଲେ। ସେ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୧୯୯୦ ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟରୁ ପଦ୍ମପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ୨୦୦୦ରୁ ୨୦୦୪ ଏବଂ ୨୦୦୯ରୁ ୨୦୧୪  ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବିଜୟ ରଞ୍ଜନ ସିଂହ ବରିହା ୨୦୦୯ ମସିହାରେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୯ ନିର୍ବାଚନରେ ପୁଣି ଥରେ ପଦ୍ମପୁର ଆସନରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜୟ ରଞ୍ଜନ ସିଂହ ବରିହା ଏବେ ଦଳର ବରଗଡ଼ ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ଦଳର ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

Tags: #PadmapurMLA #PassesAway #BijayRanjanSinghBariha #Politician

Comment