ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସବ୍ ଜୁନିଅର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ ରେ ସୁନ୍ଦରଗଡ଼ ଟିମ ଚାମ୍ପିୟନ ହୋଇଛି। ରବିବାର ଦିନ ଏହି ଟିମର ଖେଳାଳିମାନେ ସୁନ୍ଦରଗଡ଼ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଏବଂ ହକି ଆସୋସିଏସନ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ସୁନ୍ଦରଗଡ଼ସ୍ଥିତ ଭବାନୀପୁର କ୍ରୀଡ଼ା ଛାତ୍ରାବାସଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଯୋଗଦେଇ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଛା ଜଣାଇଥିଲେ। ଶାରିରୀକ ଫିଟନେସ ଉପରେ ଧ୍ୟାନ ରଖି ଆଗାମୀ ଦିନରେ ଭଲ ଖେଳ ପ୍ରଦର୍ଶନ କରିବାକୁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ।

“ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ରାଉରକେଲାରେ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ୨୦୨୩ରେ ସେଠାରେ ପୁରୁଷ ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏହା ଆମ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର କଥା”, କହିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ।

ଦିଲ୍ଲୀପ ତିର୍କୀ ଆହୁରି କହିଥିଲେ ଯେ, “ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳର ହକି ପ୍ରତିଭାମାନଙ୍କ ସୁବିଧା ଲାଗି ବ୍ଲକସ୍ତରରେ ସିନ୍ଥେଟିକ ଟର୍ଫ କରାଯାଉଛି। ଫଳରେ ସୁନ୍ଦରଗଡ଼ ମାଟିରୁ ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ପାଇଁ ପ୍ରସ୍ତୁତ ହେବାର ସୁଯୋଗ ପାଇବେ।”

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ଦାଶରଥି ସରାବୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ହକି ଆସୋସିଏସନ୍ କାର୍ଯ୍ୟକାରୀ ସଭାପତି ରାମେଶ୍ଵର ଟପ୍ପୋ ଏବଂ ସାଧାରଣ ସମ୍ପାଦକ ସିଲଭେଷ୍ଟର ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

Tags: #HockeyIndia #HAO #SubJuniorMensHockeyChampionships #Winners #SundargarhTeam #Felicitated #DistAdmin #HockeyAssociation

Comment