ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାମାୟା ମା’ ଦୁର୍ଗାଙ୍କ ମହାନବମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ପୂଜା ମଣ୍ଡପ। ସୁନା, ଚାନ୍ଦି ଆଦି ଆଭୂଷଣରେ ଝଟକୁଛନ୍ତି ମା’ ଜଗଦମ୍ବା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜା ବିଧିରେ ମହିଷମର୍ଦିନୀଙ୍କୁ ଆବାହାନ କରାଯାଉଛି। ଘଣ୍ଟଘଣ୍ଟା, ହରିବୋଲ ଏବଂ ହୁଳହୁଳି ଶବ୍ଦରେ କମ୍ପୁଛି ପରିବେଶ। ପୂଜା ଦେଖିବାକୁ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି।

ଦଶହରାରେ ମହାନବମୀ ଏକ ଗୁରୁତ୍ୱପୂର୍ଣ୍ଣ ପୂଜା। ସକାଳେ ମା’ଙ୍କର ମହାସ୍ନାନ ପରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇଥାଏ।

ପବିତ୍ର ମହାନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ରାଜ୍ୟର ବିଭିନ୍ନ ପ୍ରମୁଖ ସହରଗୁଡ଼ିକରେ ଏ ବର୍ଷ ଆକର୍ଷଣୀୟ ଢ଼ଙ୍ଗରେ ପୂଜା ପାଳନ କରାଯାଉଛି। କୋଭିଡ ମହାମାରୀ ଯୋଗୁଁ ଦୁଇବର୍ଷ ହେଲା ମା’ଙ୍କ ପୂଜାରୁ ବଞ୍ଚିତ ରହିଥିଲେ ଭକ୍ତି। ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜା ପାଇଁ ଅନୁମତି ଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଦୁର୍ଗା ପୂଜା ଅବସରରେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଏ ବର୍ଷ ବିଭିନ୍ନ ପୂଜାମଣ୍ଡପ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି। ଏହା ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି ପୂଜା ମାହୋଲକୁ ଦ୍ୱିଗୁଣିତ କରୁଛି।

କେତେକ ପୂଜାମଣ୍ଡପରେ ମା’ଙ୍କୁ ସୁନା, ଚାନ୍ଦି ଏବଂ ରୂପାରେ ସଜ୍ଜା ଯାଇଛି। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ସୃଷ୍ଟି ହେଉଛି। କେବଳ ସହର ନୁହେଁ ଗାଁଗୁଡ଼ିକରେ ମଧ୍ୟ ବେଶ ଧୁମଧାମରେ ଚଳିତ ବର୍ଷ ଦୁର୍ଗାପୂଜାର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ବିଜୟା ଦଶମୀ। ଦେବୀପୀଠରେ ବିଜୟା ଦଶମୀ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

Tags: #Festival #Celebration #DurgaPuja #Dashera #MahaNabamiPuja

Comment